ସିଓଏ ହାତରେ ହକି ଇଣ୍ଡିଆ, ବିଶ୍ବକପ୍ ପ୍ରଭାବିତ ହେବା ଆଶଙ୍କା

ଏଲିନାଙ୍କ ନିଯୁକ୍ତି ବି ଅବୈଧ, ଜାତୀୟ କ୍ରୀଡ଼ା ସଂହିତାର ଖୋଲା ଉଲ୍ଲଂଘନ ହେଉଥିଲା

ନୂଆଦିଲ୍ଲୀ/ଭୁବନେଶ୍ବର: ହକି ଇଣ୍ଡିଆର ପୂର୍ବତନ ସଭାପତି ଏବଂ ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ)ର ପୂର୍ବତନ ଅଧ୍ୟକ୍ଷ ତଥା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍)ର ବର୍ତ୍ତମାନର ସଭାପତି ନରିନ୍ଦର ବାତ୍ରା ସିବିଆଇ ଜାଲରେ ଛନ୍ଦି ହେବା ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବାର ଆଶଙ୍କା ବଢ଼ିଯାଇଛି। ବିଗତ କିଛି ବର୍ଷ ହେବ ବାତ୍ରା ଭାରତୀୟ ହକିର ସର୍ବେସର୍ବା ପାଲଟିଥିଲା ବେଳେ ଓଡ଼ିଶାରେ ବିଶ୍ବକପ୍‌ଠାରୁ ଆରମ୍ଭ କରି ଏଫ୍‌ଆଇଏଚ୍ ହକି ଲିଗ୍ ପର୍ଯ୍ୟନ୍ତ ଅସଂଖ୍ୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନରେ ପ୍ରମୁଖ ଭୂମିକା ତୁଲାଇ ଆସୁଥିଲେ ସେ। ତେବେ ବାତ୍ରାଙ୍କ ପ୍ରଚ୍ଛନ୍ନ ହାତ ଥାଇ ହକି ଇଣ୍ଡିଆର ପରିଚାଳନାରେ ବ୍ୟାପକ ଅନିୟମିତତା ହୋଇଥିବା ଏବଂ ବିଭିନ୍ନ ନୂଆ ପଦବି ସୃଷ୍ଟି କରି ଏଥିରେ ବେଆଇନ ଭାବେ ନିଜ ସମର୍ଥକଙ୍କୁ ନିଯୁକ୍ତି ଦେବା ଦିଲ୍ଲୀ ଉଚ୍ଚନ୍ୟାୟାଳୟ ହୃଦୟଙ୍ଗମ କରିଛନ୍ତି। ତା’ ସହ ହକି ଇଣ୍ଡିଆର ପରିଚାଳନାଭାର ଏବେ ତିନି ଜଣିଆ ପ୍ରଶାସକ ସମିତି (ସିଓଏ)କୁ ହସ୍ତାନ୍ତର କରିଛନ୍ତି। ହକି ଇଣ୍ଡିଆର ବିପୁଳ ପାଣ୍ଠି ବାତ୍ରା ନିଜ ବ୍ୟକ୍ତିଗତ କାର୍ଯ୍ୟରେ ଉପଯୋଗ କରିଥିବା ମଧ୍ୟ ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଓଡ଼ିଶା ସରକାର ଭାରତୀୟ ହକିର ପ୍ରାୟୋଜକ ଭାବେ ଦେଉଥିବା କୋଟି କୋଟି ଟଙ୍କାର କିଛି ଅଂଶ ବାଟମାରଣା ହୋଇଥିବାର ଆଶଙ୍କା ବି ଦେଖାଦେଇଛି। ଏଥିରେ କିଛି ପ୍ରଶାସକଙ୍କ ହାତ ଥିବା ବି ଚର୍ଚ୍ଚା ହେଉଛି।

ସେହିଭଳି ବାତ୍ରାଙ୍କ ଡାହାଣହାତ କୁହାଯାଉଥିବା ତଥା ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନଙ୍କୁ ହକି ଇଣ୍ଡିଆ ପରିଚାଳନା ସମିତିରେ ନିଯୁକ୍ତି ଦେବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ମଧ୍ୟ ଅବୈଧ ଘୋଷଣା କରିଛନ୍ତି। ହକି ଇଣ୍ଡିଆ ଖୋଲାଖୋଲି ଭାବେ ଜାତୀୟ କ୍ରୀଡ଼ା ସଂହିତା ଉଲ୍ଲଘନ କରୁଥିବା ବି ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ କହିଛନ୍ତି। ଏଭଳି ଏକ ଗୋଳମାଳିଆ ପରିସ୍ଥିତି ଭିତରେ ଆସନ୍ତାବର୍ଷ ପ୍ରାରମ୍ଭରେ ଭୁବନେଶ୍ବର ଏବଂ ରାଉରକେଲାରେ ହେବାକୁ ଥିବା ହକି ବିଶ୍ବକପ୍ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତା ଛଡ଼ା ସିବିଆଇ ରାଡାରରେ ବାତ୍ରାଙ୍କ କିଛି ବରିଷ୍ଠ ପ୍ରଶାସକ ମଧ୍ୟ ଥିବା ଚର୍ଚ୍ଚା ହେଉଛି। ସେହିଭଳି ନିକଟରେ ହକି ଇଣ୍ଡିଆର ସ୍ଥାୟୀ ସଦସ୍ୟତା ପାଇଥିବା ହକି ଆସୋସିଏସନ୍ ଅଫ୍ ଓଡ଼ିଶା ସହ ଅନ୍ୟ ୪ ରାଜ୍ୟ ସଂଘକୁ ଭାରତୀୟ ଅଲିମ୍ପିକ୍ସ ସଂଘ ଏପର୍ଯ୍ୟନ୍ତ ସ୍ବୀକୃତି ‌ଦେଇ ନଥିବାର ବି ଜଣାପଡ଼ିଛି। ଫଳରେ ହକି ଇଣ୍ଡିଆର ସ୍ବଚ୍ଛତା ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ହକି ଇଣ୍ଡିଆର ଦୈନନ୍ଦିନ ପରିଚାଳନାଭାର ପୂର୍ବତନ ସୁପ୍ରିମକୋର୍ଟ ବିଚା‌ରପତି ଏଆର ଦଭେ, ପୂର୍ବତନ ନିର୍ବାଚନ କମିସନର ଏସ୍‌ୱାଇ କୁରେସି ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଜାଫର ଇକବାଲଙ୍କୁ ନେଇ ଗଠିତ ସିଓଏ ହାତକୁ ଯିବା ପରେ ଆଗକୁ ଆହୁରି ଅନେକ ଗୁମର ଖୋଲିବାର ସମ୍ଭାବନା ବଢ଼ିଯାଇଛି। ଅବଶ୍ୟ ସିଓଏ ଦାୟିତ୍ବ ନେବା ପରେ ହକି ଇଣ୍ଡିଆ, ଓଡ଼ିଶା ସରକାର ଏବଂ ଏଫ୍‌ଆଇଏଚ୍ ମଧ୍ୟରେ ସମନ୍ବୟରେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ବି ରହିଛି। ଜଷ୍ଟିସ୍ ନଜମି ୱାଜିରୀ ଏବଂ ସ୍ବର୍ଣ୍ଣକାନ୍ତ ଶର୍ମା ଜାତୀୟ କ୍ରୀଡ଼ା ସଂହିତା ଅନୁସରଣ କରୁନଥିବା କ୍ରୀଡ଼ା ସଂଗଠନକୁ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ର ମାନ୍ୟତା ଦିଆଯାଇପାରିବ ନାହିଁ ବୋଲି ନିଜ ରାୟରେ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ଆଜୀବନ ସଦସ୍ୟ, ଆଜୀବନ ସଭାପତି ଭଳି ପଦ ସଂପୂର୍ଣ୍ଣ ବେଆଇନ ବୋଲି କହିଛନ୍ତି। ଫଳରେ ଭାରତୀୟ ହକିରୁ ବାତ୍ରାଙ୍କ ରାଜୁତି ଶେଷ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ବାତ୍ରା ଭାରତୀୟ ଅଲିମ୍ପିକ୍ସ ସଂଘର ସଭାପତି ପଦରୁ ଇସ୍ତଫା ‌ଦେଇସାରିଥିଲା ବେଳେ ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦରୁ ତାଙ୍କ ସଦସ୍ୟତା ମଧ୍ୟ କଟିଛି। ବାତ୍ରା ନିଜେ ନିଜକୁ ହକି ଇଣ୍ଡିଆର ଆଜୀବନ ସଦସ୍ୟ କରିଥିବାରୁ ଉଚ୍ଚ ନ୍ୟାୟାଳୟ ତାଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ବାତ୍ରା ନେଇଥିବା ଆର୍ଥିକ ଫାଇଦା କଡ଼ା ଗଣ୍ଡାରେ ଅସୁଲ କରିବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେବା ପରେ ତାଙ୍କ ସହ ଆହୁରି କିଛି ହକି ସଂଗଠକ, ଅଧିକାରୀ ଏବଂ କର୍ମକର୍ତ୍ତା ହରଡ଼ଘଣାରେ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର