ବ୍ରହ୍ମପୁର: ବିଶ୍ବକପ୍ ହକି ପାଇଁ ସାରା ରାଜ୍ୟ ଏବେ ଉତ୍ସବ ମୁଖର। ରେଶମ ସହର ବ୍ରହ୍ମପୁର ମଧ୍ୟ ଏଥିରୁ ବାଦ୍ ଯାଇନି। ଟ୍ରଫିକୁ ସ୍ବାଗତ କରିବାଠାରୁ ଆରମ୍ଭ କରି ମହୋତ୍ସବର ଆୟୋଜନ ମଧ୍ୟ ହୋଇଛି। ଅନ୍ତଃୱାର୍ଡ଼ କ୍ରିକେଟ୍ ପ୍ରତିଯୋଗିତା, ହ୍ୟାଣ୍ଡବଲ୍ ପ୍ରତିଯୋଗିତା ଆଦି ଆୟୋଜନ ହୋଇଛି। କିନ୍ତୁ ହକିର ଦେଖାନାହିଁ। ଦିନ ଥିଲା, ଏଇ ସହରରୁ ଗଢ଼ା ହୋଇଥିଲେ ଏକାଧିକ ଜାତୀୟସ୍ତରର ହକି ଖେଳାଳି, ଯେଉଁମାନେ କି ଓଡ଼ିଶା ପାଇଁ ପ୍ରତିନିଧିତ୍ବ କରିବା ସହ ଆଗଧାଡ଼ିର ଖେଳାଳି ଭାବେ ଗଣା ହେଉଥିଲେ। ୭୦ ଦଶକରେ ହକିର ଜାଦୁକର ମେଜର୍ ଧ୍ୟାନଚାନ୍ଦ ବ୍ରହ୍ମପୁର ଆସିଥିଲେ। ଖଲ୍ଲିକୋଟ କଲେଜ ପଡ଼ିଆରେ ତା’ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ଅତିଥି ଭାବେ ଯୋଗଦେଇ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିଥିଲେ। ନିୟମିତ ଖଲ୍ଲିକୋଟ କଲେଜ ପଡ଼ିଆରେ ହକି ଅଭ୍ୟାସ ହେଉଥିଲା। ବରିଷ୍ଠମାନଙ୍କ ଦ୍ବାରା ନୂଆ ପିଢ଼ି ପ୍ରୋତ୍ସାହିତ ହେଉଥିଲେ। ଏବେ କିନ୍ତୁ ସେସବୁ ଇତିହାସ ପାଲଟି ଯାଇଛି। ଦଶନ୍ଧିରୁ ଅଧିକ ସମୟ ହେବ ବ୍ରହ୍ମପୁରର କୌଣସି ପଡ଼ିଆରେ ଆଉ ହକି ବଲ୍ ଗଡ଼ିବା ଦେଖିବାକୁ ମିଳୁନି। ବ୍ରହ୍ମପୁରରେ ଆଉ ହକି ଖେଳ ଅଛି ନା ଖେଳାଳି। ସହରରୁ ଏଇ ଖେଳ ସତେ ଯେମିତି ହଜିଯାଇଛି। ଏହାର ପୁନରୁଦ୍ଧାର ପାଇଁ ମଧ୍ୟ କୌଣସି ସ୍ତରରେ ଉଦ୍ୟମ ହେଉନଥିବା ଯୋଗୁଁ କ୍ରୀଡ଼ାବିତ୍ଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି।
ବରିଷ୍ଠ ଖେଳାଳିମାନଙ୍କ କହିବା ଅନୁଯାୟୀ, ସହରରେ ହକି ଖେଳର ଅଧୋଗତି ହେବାର ମୁଖ୍ୟକାରଣ ପରିବର୍ତ୍ତିତ କ୍ରୀଡ଼ା ଶୈଳୀ। ପୂର୍ବରୁ ଘାସ ପଡ଼ିଆରେ ଏହି କ୍ରୀଡ଼ା ଆୟୋଜନ ହେଉଥିଲା। ତେଣୁ ଯେନତେନ ପ୍ରକାରେ ସହରରେ ଉପଲବ୍ଧ ପଡ଼ିଆରେ ଖେଳାଳିମାନେ ଅଭ୍ୟାସ କରୁଥିଲେ। କିନ୍ତୁ ସମୟକ୍ରମେ ଘାସ ପଡ଼ିଆର ସ୍ଥାନ ନେଲା ଆଷ୍ଟ୍ରୋଟ୍ରଫ।
ରାଜ୍ୟସ୍ତରୀୟ ହେଉ ଅବା, ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରତିଯୋଗିତା ସବୁ ଆଷ୍ଟ୍ରୋ ଟ୍ରଫ୍ ବିଛାଯାଇଥିବା ଚଟାଣରେ ଆୟୋଜନ ହେଲା। କିନ୍ତୁ ସହରରେ ଏହା ସାତସପନ ଥିଲା। ତେଣୁ ଘାସ ପଡ଼ିଆରେ ଅଭ୍ୟାସ କରୁଥିବା ଖେଲାଳି ଆଉ ରାଜ୍ୟସ୍ତରରେ ପୂର୍ବଭଳି ପ୍ରଭାବୀ ପ୍ରଦର୍ଶନ କରିପାରିଲେ ନାହିଁ। ୯୦ ଦଶକ ପରଠୁ ସହରରେ ଏହି କ୍ରୀଡ଼ା ତା’ର ଚମକ ହରାଇଥିଲା। ଏପରିକି ଜିଲ୍ଲା କ୍ରୀଡ଼ା ସଂଘ (ଜିଡିଏଏ)ରେ ହକି ଶୃଙ୍ଖଳା ଏବେ ବି ରହିଛି। ନିୟମିତ ବ୍ୟବଧାନରେ ନିର୍ବାଚନ ହେଉଥିବା ବେଳେ ହକି ସହ ସମ୍ପାଦକ ଭାବେ ଜଣେ ମନୋନୀତ ହେଉଛନ୍ତି। କିନ୍ତୁ ନାଁ ବ୍ରହ୍ମପୁରରେ ନାଁ ଜିଲ୍ଲାର କୌଣସି ପ୍ରାନ୍ତରେ ହକିର ବିକାଶ ପାଇଁ ସଂଘ ପକ୍ଷରୁ କିଛି ବି ପଦକ୍ଷେପ ନିଆଯାଉନାହିଁ। ଖଲ୍ଲିକୋଟ ସ୍ବୟଂଶାସିତ କଲେଜରେ କ୍ରୀଡ଼ା ଶିକ୍ଷକ ପ୍ରକାଶ ପଣ୍ଡା ଥିବା ପର୍ଯ୍ୟନ୍ତ ଏଠାରେ ହକିର ସତ୍ତା ଥିଲା। ଏହି କଲେଜର ଛାତଛାତ୍ରୀମାନେ ଅନ୍ତଃବିଶ୍ବବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହେଉଥିଲେ। କିନ୍ତୁ ସେ ଅବସର ନେବା ପରେ ନୂଆ କ୍ରୀଡ଼ା ଶିକ୍ଷକ ଆଉ ନିଯୁକ୍ତ ହେଲେ ନାହିଁ। ହଠାତ୍ ହକି ଉଭାନ୍ ହୋଇଗଲା।
ତେବେ ଚଳିତ ଶିକ୍ଷାବର୍ଷରେ ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ପକ୍ଷରୁ ଜଣେ ପୂର୍ବତନ ହକି ଖେଳାଳି ଅନିଲ ପାତ୍ରଙ୍କୁ ଅସ୍ଥାୟୀ କ୍ରୀଡ଼ା ଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ସେ ଆସିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅନ୍ତଃବିଶ୍ବବିଦ୍ୟାଳୟ ହକି ପାଇଁ ଏହି ବିଶ୍ବବିଦ୍ୟାଳୟର ଉଭୟ ପୁରୁଷ ଓ ମହିଳା ଦଳ ବଛା ହୋଇଥିଲା। ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ହକିକୁ ନେଇ ଉତ୍ସାହ ମଧ୍ୟ ଥିବା ଦେଖିବାକୁ ମିଳିଥିଲା। ଯାହାକି ହକିକୁ ନେଇ ବ୍ରହ୍ମପୁର ସହରରେ ନୂଆ ସମ୍ଭାବନା ସୃଷ୍ଟି କରିଛି। ସେମାନେ ଭାଗ ନେଇଥିବା ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିପାରି ନଥିଲେ। ଯଦି ସେମାନଙ୍କୁ ଆବଶ୍ୟକ ଭିତ୍ତିଭୂମି ଓ ତାଲିମ ଯୋଗାଇ ଦିଆଯିବ, ତେବେ ନିଶ୍ଚିତ ଭାବେ ବ୍ରହ୍ମପୁର ସହରରେ ଦକ୍ଷ ହକି ଖେଳାଳି ସୃଷ୍ଟି ହୋଇପାରିବେ। ହକିରେ ପୁଣି ବ୍ରହ୍ମପୁର ତାର ପୂର୍ବ ଗୌରବ ଫେରିପାଇବ।