ଭୁବନେଶ୍ବର: ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ତଥା ହକି ଯାଦୁକର ଧ୍ୟାନଚାନ୍ଦ ୧୯୦୫ ମସିହା ଅଗଷ୍ଟ ମାସ ୨୯ ତାରିଖରେ ବ୍ରିଟିସ ଶାସନାଧୀନ ଭାରତର ୟୁନାଇଟେଡ୍ ପ୍ରୋଭିନ୍ସ ଅନ୍ତର୍ଗତ ଆଲ୍ଲାହାବାଦଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ପିତା ସମେଶ୍ବର ସିଂହ ବ୍ରିଟିସ୍ ଇଣ୍ଡିଆନ୍ ଆର୍ମିରେ ଚାକିରି କରୁଥିବା ବେଳେ ତାଙ୍କ ସାନ ଭାଇ ମଧ୍ୟ ହକି ଖେଳାଳି ଥିଲେ। ପିତାଙ୍କ ବାରମ୍ବାର ବଦଳି ଯୋଗୁଁ ଧ୍ୟାନଚାନ୍ଦଙ୍କ ଶିକ୍ଷାଗ୍ରହଣ ଠିକ୍ ରୂପେ ହୋଇ ପାରିନଥିଲା। ତାଙ୍କ ପରିବାର ଉତ୍ତରପ୍ରଦେଶର ଝାନ୍ସୀଠାରେ ସଂପୂର୍ଣ୍ଣ ସ୍ଥାୟୀ ଭାବେ ବସବାସ କରିବା ପରେ ସ୍ଥାନୀୟ ଭିକ୍ଟୋରିଆ କଲେଜରେ ସେ ଅଧ୍ୟୟନ କଲେ। ପିଲା ଦିନରୁ ହକି ଖେଳ ସହ ତାଙ୍କର କୌଣସି ସଂପର୍କ ନଥିଲା, ବରଂ କୁସ୍ତି ପ୍ରତି ସେ ବେଶ୍ ଆଗ୍ରହୀ ଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ଭାରତୀୟ ସେନାରେ ଯୋଗଦାନ କଲେ। ଆର୍ମିରେ ଯୋଗଦାନ କରିବା ପରେ ବିଭିନ୍ନ ରେଜିମେଣ୍ଟାଲ ଖେଳ ଅଧିନରେ ସେ ହକି ଖେଳିବାକୁ ଲାଗିଲେ। ସମୟକ୍ରମେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ପାଇଁ ପ୍ରସ୍ତୁତ ହେଉଥିବା ଭାରତୀୟ ସେନାର ହକି ଦଳରେ ଧ୍ୟାନଚାନ୍ଦ ସ୍ଥାନ ପାଇଲେ। ଏହି ଗସ୍ତରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୧୮ ବିଜୟ ଓ ଗୋଟିଏ ପରାଜୟ ବାଦ୍ ୨ ମ୍ୟାଚ୍ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲା। ଏହାପରେ ଧ୍ୟନଚାନ୍ଦ ଓ ଭାରତୀୟ ଦଳ ନିଜ ଉତ୍କର୍ଷ ପ୍ରଦର୍ଶନ ପାଇଁ ବେଶ୍ ପ୍ରଶଂସିତ ମଧ୍ୟ ହୋଇଥିଲେ। ଏଥିପାଇଁ ଆର୍ମିରେ ତାଙ୍କୁ ପଦୋନ୍ନତି ମଧ୍ୟ ମିଳିଲା। ୧୯୨୮ ଆମଷ୍ଟରଡାମ ଅଲିମ୍ପିକ୍ସରେ ମଧ୍ୟ ଭାରତୀୟ ହକି ଦଳରୁ ଭାଗନେବା ଲାଗି ସୁଯୋଗ ମିଳିଲା। ପ୍ରଥମେ ପ୍ରଥମେ ଧ୍ୟାନଚାନ୍ଦ ମ୍ୟାଚ୍ ସମୟରେ ସେଣ୍ଟର ପରୱାର୍ଡ ହୋଇ ଖେଳୁଥିଲେ। ତାଙ୍କର ଖେଳ ସମ୍ବଦ୍ଧୀୟ ଦକ୍ଷତା ଓ ଅଭୁତପୂର୍ବ କୌଶଳ ସଭିଙ୍କୁ ଚମକୃତ କରି ପକାଉଥିଲା। ପଦାର୍ପଣ ଅଲିମ୍ପିକ୍ସରେ ଧ୍ୟାନଚାନ୍ଦଙ୍କ ଅପୂର୍ବ ପ୍ରଦର୍ଶନ ଯୋଗୁଁ ଭାରତ ସ୍ବର୍ଣ୍ଣ ପଦକ ଲାଭ କଲା। ଏହାପରେ ସେ କେବଳ ଭାରତ ନୁହେଁ, ସମଗ୍ର ବିଶ୍ବରେ ପ୍ରସିଦ୍ଧ ହୋଇଗଲେ। ପରବର୍ତୀ ସମୟରେ ଧ୍ୟାନଚାନ୍ଦଙ୍କୁ ଭାରତୀୟ ହକି ଦଳର ଅଧିନାୟକ କରାଗଲା। ଖେଳ ସମୟରେ ସେ ଯେପରି ନିମଗ୍ନ ହୋଇ ଖେଳୁଥିଲେ, ଚାକିରି କ୍ଷେତ୍ରରେ ମଧ୍ୟ ଠିକ୍ ସେହିପରି ଅନୁରକ୍ତି ଓ ସାଧୁତା ପ୍ରଦର୍ଶନ କରୁଥିଲେ। ଅଲିମ୍ପିକ୍ସ ହକିରେ ୧୯୨୮, ୧୯୩୨ ଓ ୧୯୩୬ ଲଗାତାର ତିନି ସଂସ୍କରଣ ସ୍ବର୍ଣ୍ଣ ପଦକ ଜିତିବା ପରେ ସମଗ୍ର ବିଶ୍ବରେ ଧ୍ୟାନଚାନ୍ଦଙ୍କ ପ୍ରଶଂସା ଗୁଞ୍ଜରିତ ହେଲା। ତାଙ୍କ ଖେଳରେ ବିସ୍ମିତ ହୋଇ ଲୋକେ ତାଙ୍କୁ ‘ହକିର ଯାଦୁକର’ ଭାବରେ ଡାକିବାକୁ ଲାଗିଲେ। ତାଙ୍କ ସମୟରେ ଭାରତୀୟ ହକି ସଫଳତାର ଶୀର୍ଷ ସୋପାନକୁ ସ୍ପର୍ଶ କରିପାରିଥିଲା। ୧୯୨୮ରୁ ୧୯୬୪ ମଧ୍ୟରେ ହୋଇଥିବା ଆଠଟି ଅଲିମ୍ପିକ୍ସ ମଧ୍ୟରୁ ଭାରତ ୭ଟିରେ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ୧୯୩୬ ଅଲିମ୍ପିକ୍ସରେ ଭାରତ ୮-୧ ଗୋଲ୍ ଜର୍ମାନିକୁ ପରାସ୍ତ କରିବା ପରେ ତାଙ୍କ ଅପୂର୍ବ କ୍ରୀଡ଼ା କୌଶଳରେ ବିସ୍ମିତ ହୋଇ ଜର୍ମାନିର ତତ୍କାଳୀନ ଶାସକ ହିଟ୍ଲର ଜର୍ମାନ୍ ସେନାର ଏକ ସମ୍ମାନଜନକ ପଦବି ତାଙ୍କୁ ଉପହାର ଦେବା ପାଇଁ ମନସ୍ଥ କରିଥିଲେ। ମାତ୍ର ଧ୍ୟାନଚାନ୍ଦ ଏହାକୁ ନମ୍ରତାର ସହ ପ୍ରତ୍ୟାଖାନ କରି ନିଜ ଦେଶରେ ରହିବାକୁ ଶ୍ରେୟ ମଣିଥିଲେ। ଧ୍ୟାନଚାନ୍ଦଙ୍କ ଭଳି ଖେଳାଳି ଆଜିର ଯୁଗରେ ବିରଳ। ତାଙ୍କ ନାମରେ ଆଜି ଦେଶର ଏକାଧିକ ଖେଳ ପ୍ରତିଷ୍ଠାନ, ଷ୍ଟାଡିୟମ ନାମିତ ହୋଇଛି। ତାଙ୍କ ଜନ୍ମ ଦିବସ (ଅଗଷ୍ଟ ୨୯)କୁ ରାଷ୍ଟ୍ରୀୟ କ୍ରୀଡ଼ା ଦିବସ ରୂପେ ପାଳନ କରାଯାଉଛି। ଭାରତୀୟ ହକିକୁ ବିଶ୍ବ ଦରବାରରେ ଏକ ସମ୍ମାନଜନକ ସ୍ଥାନରେ ଆସୀନ କରାଇ ପାରିଥିବାରୁ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବାକୁ ମଧ୍ୟ ଦାବି ହେଉଛି। ୧୯୫୨ ମସିହାରେ ତାଙ୍କ ଆତ୍ମଜୀବନୀ ‘ଗୋଲ୍’ ପ୍ରକାଶିତ ହୋଇଥିଲା। ୧୯୭୯ ମସିହା ଡିସେମ୍ବର ୩ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା। ଆଗାମୀ ହକି ବିଶ୍ବକପ୍ ଅବ୍ୟବହିତ ପୂର୍ବରୁ ଏହି ହକି କିମ୍ବଦନ୍ତୀଙ୍କୁ ମନେ ପକାଇବା ଏକାନ୍ତ କାମ୍ୟ।