ନିରୋଳା ଜୀବନ ବିତାଉଛନ୍ତି ହକି କିଂବଦନ୍ତି ସୋହେଲ

ନୂଆଦିଲ୍ଲୀ : ଦୀର୍ଘ ୮ ବର୍ଷ ହେଲା ହକି କିଂବଦନ୍ତି ସୋହେଲ ଆବାସଙ୍କ ସମ୍ପର୍କରେ କିଛି ଖୋଜ ଖବର ନଥିଲା। ୨୦୧୨ ଲଣ୍ଡନ୍ ଅଲିମ୍ପିକ୍ସ ପରେ ଅବସର ନେଇଥିବା ଏହି ମହାନ ପାକିସ୍ତାନୀ ଫରୱାର୍ଡଙ୍କ ସହ ଯୋଗାଯୋଗ କରିବାରେ ଖୁବ୍ କସରତ କରିଥିବା କ୍ରୀଡ଼ା ସାମ୍ବାଦିକ ଯଶପ୍ରୀତ୍ ସାହାଣୀ ଶେଷରେ ତାଙ୍କୁ ଖୋଜି ପାଇଛନ୍ତି। ଏଥିପାଇଁ ତାଙ୍କୁ ପାକିସ୍ତାନ, ଅଷ୍ଟ୍ରେଲିଆ, ନେଦରଲାଣ୍ଡ ଆଦି ଦେଶରେ ଥିବା ସୋହେଲଙ୍କ ବଂଧୁ ଓ ସାଥୀ ‌ଖେଳାଳିଙ୍କୁ ବି ପଚାରି ବୁଝିବାକୁ ପଡିଥିଲା। ବିଶ୍ବ ହକିର ଏହି ଅଗ୍ରଣୀ ଗୋଲ୍‌ସ୍କୋରର୍‌ ଅବସର ନେବାର ୮ ବର୍ଷ ପରେ ବି ତାଙ୍କ କୀର୍ତ୍ତିମାନକୁ ଅତୁଟ ରଖିଛନ୍ତି। ୩୫୦ ମ୍ୟାଚ୍‌ରୁ ୩୪୮ ଗୋଲ୍ ଦେଇଥିବା ସୋହେଲଙ୍କୁ ‘କିଙ୍ଗ୍‌ ଅଫ୍‌ ଡ୍ରାଗ୍‌ ଫ୍ଲିକ୍‌’ ଆଖ୍ୟା ମିଳି ସାରିଛି ଗଣମାଧ୍ୟମ ଓ ହକିର ଅସଲ ପ୍ରଶଂସକଙ୍କଠାରୁ। ଏବେ କରାଚିରେ ନିରୋଳା ଜୀବନ ବିତାଉଛନ୍ତି ଏହି ୪୫ ବର୍ଷୀୟ ତାରକା। ୪୫ ବର୍ଷ ବୟସରେ ହକି ଖେଳିବା ସମ୍ଭବ ନ ଥିଲେ ମଧ୍ୟ ସୋହେଲ ନିଜକୁ ବର୍ତମାନର ଖେଳାଳିଙ୍କ ସ୍ତରର ଫିଟନେସ୍‌ ବି ବଜାୟ ରଖିଛନ୍ତି। ଏପରିକି ୟୋ ୟୋ ଟେଷ୍ଟ୍‌ରେ ଉତ୍ତୀର୍ଣ୍ଣ ହେବା ଭଳି ୬ ପ୍ୟାକ୍‌ ଚେହେରା ବି ରଖିଛନ୍ତି। ଶୃଙ୍ଖଳା ଏବଂ ତାଲିମ ମୋ ଜୀବନ ଶୈଳୀର ପରମ ବଂଧୁ ବୋଲି କୁହନ୍ତି ସୋହେଲ। ହକି ପଡିଆକୁ ପ୍ରତ୍ୟାବର୍ତନ ପାଇଁ ନୁହେଁ ଏହା ମୋ ଜୀବନର ଅଭିଳାଷ। ‌ମୁଁ ମୋର ଜଣେ ଆଇରନ୍‌ମ୍ୟାନ୍‌ ବଂଧୁ ସହ ତାଲିମ ନେଉଛି। ଈଶ୍ବର ବି ଯାହା କରନ୍ତି ମୋ ପାଇଁ ତାହା ଶ୍ରେଷ୍ଠ ବୋଲି ପ୍ରକାଶ କରିଥିଲେ ସୋହେଲ। ଖେଳିବା ବେଳେ ମୁଁ ଭାବି ନ ଥିଲି ଏତେ ମ୍ୟାଚ୍‌ ଖେଳିବି କି ବିଶ୍ବ କୀର୍ତ୍ତିମାନ କରିବି (୩୪୮* ଗୋଲ୍‌) ବୋଲି। ସଚ୍ଚୋଟତାର ସହ ‌କାମ କରି ଅବଶିଷ୍ଟ ସବୁ ଈଶ୍ବରଙ୍କ ଉପରେ ଛାଡ଼ିଦିଏ ବୋଲି ବିଶ୍ବର ଏକମାତ୍ର ଖେଳାଳି ଭାବେ ଦୁଇଟି ଡବଲ୍ ହ୍ୟାଟ୍ରିକ୍ ଏବଂ ମୋଟ ୨୧ ହ୍ୟାଟ୍ରିକ କରିଥିବା ସୋହେଲ୍ ପ୍ରକାଶ କରିଥିଲେ।

ମାଇଲଖୁଣ୍ଟ ମଣିଷ
୨୦୧୦ ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ସହିତ ୪ ଚାମ୍ପିଅନ୍ସ ଟ୍ରଫି ପଦକ, ରାଜ୍ୟଗୋଷ୍ଠୀ କାଂସ୍ୟ ପଦକରେ ବିଭୂଷିତ ସୋହେଲ ଆବାସଙ୍କୁ ନିର୍ବିବାଦୀୟ ଭାବେ ଗୋଲ୍‌ କିଙ୍ଗ୍‌ କୁହାଯାଏ। କିନ୍ତୁ ଅଂଶଗ୍ରହଣ କରିଥିବା ୩ ଅଲିମ୍ପିକ୍ସରେ ଦେଶକୁ ପଦକ ପର୍ଯ୍ୟନ୍ତ ନେଇ ପାରିନଥିବାର ଅବସୋସକୁ ସବୁବେଳେ ସେ କହିଥା’ନ୍ତି। ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ ଗୋଲ୍‌ (୩୪) ଏବଂ ଗୋଟିଏ ଅନ୍ତର୍ଜାତୀୟ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଗୋଲ୍ (୬୦)ର କୀର୍ତ୍ତିମାନ ମଧ୍ୟ ସୋହେଲଙ୍କ ନାମରେ। ମୋଟ ୩୪୮ ଗୋଲ୍ ସହିତ ୧୦୦, ୨୦୦, ୩୦୦ ଗୋଲରେ ମଧ୍ୟ ସେ ଦ୍ରୁତତମ ଖେଳାଳି। ବିଦେଶୀ ପ୍ରଶିକ୍ଷକଙ୍କ ସପକ୍ଷରେ କିନ୍ତୁ ରହିନଥିବା ସୋହେଲ ପ୍ରକାଶ କରିଥିଲେ।

ଭାରତ ଉନ୍ନତ ଖେଳିବା ଭଲ କଥା
ଧନରାଜ ଭାଇ (ପିଲ୍ଲେ), ରିଆଜ ଭାଇ (ମହମ୍ମଦ ରିଆଜ), ସାହାବାଜ ଭାଇ ପ୍ରମୁଖ ମୋ ପାଇଁ କିଂବଦନ୍ତି ଥିଲେ। ସେମାନଙ୍କ ସହ ମୁଁ ପ୍ରିମିୟର୍ ହକି ଲିଗ୍ (ପିଏଚ୍‌ଏଲ୍‌)ରେ ଏବଂ ସେମାନଙ୍କ ବିରୋଧରେ ଅନ୍ତର୍ଜାତୀୟ ସ୍ତରରେ ଖେଳିଛି। ଧନରାଜ ଭାଇ ଏବଂ ଦିଲ୍ଲୀପ (ତିର୍କି) ଭାଇ ମୋ ଭଲ ବଂଧୁମଧ୍ୟ। ପେନାଲଟି କର୍ନର ନେବାକୁ ପଡିବା ବେଳେ ମୁଁ ସବୁବେଳେ ଦେଖୁଥିଲି ଧନରାଜ ଭାଇ ଅଛନ୍ତି ନା ନାହିଁ। ସେ ଓ ଯୁଗରାଜ ସିଂହ ଆମକୁ ରୋକି ଦେଉଥିଲେ। ଉଭୟ ଥରେ ଲେଖାଏଁ ମୋ ଷ୍ଟିକ୍‌ରେ ଆହତ ବି ହୋଇଥିଲେ। ଧନରାଜ ଭାଇ କିନ୍ତୁ ଭାରି ଦେଶପ୍ରେମୀ। କିନ୍ତୁ କ‌େବେ ରାଗ ଅଭିମାନକୁ ସାଙ୍ଗରେ ନେଇଯାଆନ୍ତି ନାହିଁ। ମୁଁ ଯୁବ ଖେଳାଳି ଥିବାବେଳେ ଥରେ କହିଥିଲେ ‘ଆରେ ମିଆଁ ତୁ ଭାରି ସାଧାସିଧା ବ୍ୟକ୍ତି ଲାଗୁଛୁ ଏବଂ ଭାରି ଭଲ ପିଲା। ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ବେଳେ ସେ ରାଗନ୍ତି ନାହିଁ। ହସ ହସ ମୁହଁରେ କଥା ହୁଅନ୍ତି। ବିଦେଶୀ ଅମ୍ପାୟାର୍ କିନ୍ତୁ ଆମ ଭାଷ‌ା ବୁଝିପାରୁନଥିବାରୁ କେବଳ ଆମ ମୁହଁକୁ ଦେଖି ନିଷ୍ପତ୍ତି ନିଅନ୍ତି’ ବୋଲି ସୋହେଲ ପ୍ରକାଶ କରିଥିଲେ। ଯୁଗରାଜ ସିଂହ ଏବଂ ସନ୍ଦୀପ ସିଂହଙ୍କୁ ଭାରତର ଶ୍ରେଷ୍ଠ ଡ୍ଲାଗ୍ ଫ୍ଲିକର ବୋଲି କହିଥିଲେ ସୋହେଲ। ହକିରେ ଆଉ ଆମ ସମୟ ଭଳି କଠିନ ପରିଶ୍ରମ ହେଉନାହିଁ। ଭାରତ ହେଉ କି ପାକିସ୍ତାନ ଅନେକ କିଛି ପରିବର୍ତନ ଘଟିଛି। ଭାରତ କିନ୍ତୁ ଭଲ ଖେଳୁଥିବାରୁ ଏହା ଏସୀୟ ହକି ପାଇଁ ଶୁଭସୂଚନା ବୋଲି ସୋହେଲ ଶେଷରେ ପ୍ରକାଶ କରିଥିଲେ

ସମ୍ବନ୍ଧିତ ଖବର