ହକି ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଭାରତୀୟ ଦଳରେ ୪ ଓଡ଼ିଆ
ମହିଳାରେ ଦୀପଗ୍ରେସ, ଲିଲିମା, ନମିତା ପୁରୁଷରେ ଏକା ଅମିତ
ଭୁବନେଶ୍ବର: ଭୁବନେଶ୍ବରସ୍ଥିତ କଳିଙ୍ଗ ହକି କମ୍ପ୍ଲେକ୍ସରେ ଆସନ୍ତା ମାସ ୧ ଓ ୨ ତାରିଖ ଦୁଇ ଦିନ ଧରି ଆୟୋଜିତ ହେବାକୁ ଥିବା ଏଫ୍ଆଇଏଚ୍ ହକି ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଲାଗି ହକି ଇଣ୍ଡିଆ ଶୁକ୍ରବାର ଉଭୟ ପୁରୁଷ ଓ ମହିଳା ଦଳ ଘୋଷଣା କରିଛି। ଉଭୟ ଦଳରେ ୧୮ ଜଣ ଲେଖାଏଁ ରହିଛନ୍ତି। ସେମାନଙ୍କ ମଧ୍ୟରେ ମୋଟ ୪ ଜଣ (ପୁରୁଷରେ ଜଣେ, ମହିଳାରେ ୩ ଜଣ) ଓଡ଼ିଆ ସ୍ଥାନ ପାଇଛନ୍ତି। ମନ୍ପ୍ରିତ ସିଂହଙ୍କ ନେତୃତ୍ବରେ ଖେଳିବାକୁ ଯାଉଥିବା ପୁରୁଷ ଦଳରେ ଓଡ଼ିଶାରୁ ଏକମାତ୍ର ଅମିତ ରୋହିଦାସ ସାମିଲ ହୋଇଛନ୍ତି। ତେବେ ଅଭ୍ୟାସ ଶିବିର ଲାଗି ୨୨ ଜଣିଆ ଦଳରେ ଥିବା ବୀରେନ୍ଦ୍ର ଲାକ୍ରାଙ୍କୁ ଚୂଡାନ୍ତ ଦଳରୁ ବାହାରେ ରହିବାକୁ ପଡ଼ିଛି। ଅନ୍ୟପକ୍ଷରେ ରାଣୀ ରାମପାଲଙ୍କ ନେତୃତ୍ବରେ ଘୋଷିତ ମହିଳା ଦଳରେ ଓଡ଼ିଶାରୁ ୩ ଜଣ ଦୀପ୍ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ ଏବଂ ନମିତା ଟପ୍ପୋ ନିଜ ନିଜ ସ୍ଥାନ ବଜାୟ ରଖିବାକୁ ସକ୍ଷମ ହୋଇଛନ୍ତି।
ବିଶ୍ବ ମାନ୍ୟତାରେ ପଞ୍ଚମ ସ୍ଥାନରେ ଥିବା ପୁରୁଷ ଦଳ ଅଲିମ୍ପିକ୍ସ ସ୍ଥାନ ଲାଗି ୨୨ ମାନ୍ୟତାପ୍ରାପ୍ତ ରୁଷିଆକୁ ଭେଟିବାକୁ ଥିଲା ବେଳେ ନବମ ମାନ୍ୟତାପ୍ରାପ୍ତ ମହିଳା ଦଳ ବିପକ୍ଷରେ ରହିଛି ତ୍ରୟୋଦଶ ମାନ୍ୟତାପ୍ରାପ୍ତ ଆମେରିକା। ଉଭୟ ଦଳ ୧୫ ଦିନ ଆଗରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେଣି। ପୁରୁଷ ଦଳ ପାଖରେ ଏଠାରେ ଖେଳିବାର ଅଭିଜ୍ଞତା ଥିଲା ବେଳେ ପ୍ରଥମ ଥର ଲାଗି ମହିଳା ଦଳ କଳିଙ୍ଗରେ ଖେଳିବାକୁ ଯାଉଛି। ଉଭୟ ଦଳ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳିବାକୁ ଥିଲା ବେଳେ ମହିଳାଙ୍କ ମ୍ୟାଚ୍ ସଂଧ୍ୟା ୬ଟା ଏବଂ ପୁରୁଷଙ୍କ ମ୍ୟାଚ୍ ରାତି ୮ଟାରେ ଆରମ୍ଭ ହେବ।
ପୁରୁଷ ଦଳ: ପିଆର୍ ଶ୍ରୀଜେସ, କୃଷ୍ଣ ବାହାଦୁର ପାଠକ, ହରମନ୍ପ୍ରୀତ ସିଂହ, ବରୁନ କୁମାର, ସୁରେନ୍ଦର କୁମାର, ଗୁରିନ୍ଦର ସିଂହ, ରୁପୀନ୍ଦର ପାଲ ସିଂହ, ଅମିତ ରୋହିଦାସ, ମନପ୍ରୀତ ସିଂହ (ଅଧିନାୟକ), ନୀଳକାନ୍ତ ଶର୍ମା, ହାର୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଲଲିତ କୁମାର ଉପାଧ୍ୟାୟ, ଏସ୍ଭି ସୁନିଲ (ଉପଅଧିନାୟକ), ମନଦୀପ ସିଂହ, ଅକାଶଦୀପ ସିଂହ, ରମଣଦୀପ ସିଂହ, ସିମ୍ରନଜିତ ସିଂହ।
ମହିଳା ଦଳ: ସବିତା (ଉପଅଧିନାୟିକା), ରଜନୀ ଇତିମାର୍ପୁ, ଦୀପ୍ ଗ୍ରେସ ଏକ୍କା, ଗୁରଜିତ କୌର, ରୀନା ଖୋଖର, ସଲିମା ଟେଟେ, ସୁଶୀଲା ଚାନୁ ପୁଖ୍ରମ୍ବାମ, ନିକ୍କି ପ୍ରଧାନ, ମୋନିକା, ନେହା ଗୋୟଲ, ଲିଲିମା ମିଞ୍ଜ, ନମିତା ଟପ୍ପୋ, ରାଣୀ ରାମପାଲ (ଅଧିନାୟିକା), ବନ୍ଦନା କାଟାରିୟା, ନଭନୀତ କୌର, ଲାଲରେମସିଆମି, ନଭଜୋତ କୌର, ଶର୍ମିଳା ଦେବୀ।
କଳିଙ୍ଗରେ ୧୧ ନୁହେଁ ୧୨ ଖେଳନ୍ତି: ରାଣୀ
ଆମେ ପ୍ରଥମ ଥର ଲାଗି କଳିଙ୍ଗ ଷ୍ଟାଡିୟମରେ ଖେଳିବାକୁ ଯାଉଥିବାରୁ ବହୁତ ଖୁସି। ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଆମର ପ୍ରଥମ ଲକ୍ଷ୍ୟ ରହିଛି। ମାନ୍ୟତାରେ ଆମେରିକା ଆମଠୁ କମ୍ ରହିଲେ ମଧ୍ୟ ଆମେ ହାଲ୍କା ଭାବେ ନେବୁନି। ଦୁଇଟି ଯାକ ମ୍ୟାଚ୍ ଜିତିବାକୁ ପୁରା ଚେଷ୍ଟା କରିବୁ। କଳିଙ୍ଗରେ ପୁରୁଷ ଦଳ ବହୁଗୁଡ଼ିଏ ମ୍ୟାଚ୍ ଖେଳିଛି। ଆମେ ଖେଳି ନଥିଲେ ମଧ୍ୟ ଯାହା ଦେଖିଛୁ କଳିଙ୍ଗ ଷ୍ଟାଡିୟମକୁ ଭରପୁର ଦର୍ଶକ ଆସିଥାନ୍ତି। ଭାରତୀୟ ଦଳକୁ ସୋମାନଙ୍କ ସମର୍ଥନ ଯୋଗୁଁ ଦଳ ୧୧ ନୁହେଁ ୧୨ ଜଣଙ୍କୁ ନେଇ ଖେଳିବାର ଅନୂଭୁତି ମିଳିଥାଏ। ଆମେ ପ୍ରଥମ ଥର କଳିଙ୍ଗରେ ଖେଳିବାକୁ ଯାଉଥିବାରୁ ଦର୍ଶକଙ୍କଠୁ ଏହି ଭଳି ସହଯୋଗ ଆଶା ରଖିଛୁ ବୋଲି କହିଛନ୍ତି ଅଧିନାୟିକା ରାଣୀ ରାମ୍ପଲ।
ବିଜୟ ଲକ୍ଷ୍ୟରେ ଖେଳିବୁ: ମନ୍ପ୍ରୀତ
ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ମ୍ୟାଚ୍ ଥିବାରୁ ଏହା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ରୁଷିଆ ମାନ୍ୟତାରେ ଆମଠୁ ତଳେ ରହିଛି ସତକଥା କିନ୍ତୁ ଏହି ଦଳ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଏଠାରେ ଖେଳିବ। ଏଥିପାଇଁ ଏହି ଦଳ ପୁରା ପ୍ରସ୍ତୁତ ହୋଇକି ଏଠାକୁ ଆସିଥିବ। ଏଥିପାଇଁ ଆମେ କୌଣସି ଦଳକୁ ହେୟ ଜ୍ଞାନ କରିବୁନି। ଯଦି ଏପରି କରୁ ତେବେ ସେ ଆମର ଦୁର୍ବଳତା ଖୋଜି ମ୍ୟାଚ୍ ଛଡ଼ାଇନେବ। ଆମେ ପ୍ରଥମେ ଅଲିମ୍ପିକ୍ ଟିକେଟ୍ ହାତକୁ ନେବାର ଅଛି। ଏଥିଲାଗି ଦୁଇଟି ଯାକ ମ୍ୟାଚ୍ ଜିତିବା ଲକ୍ଷ୍ୟ ରଖିଛୁ। ଅନ୍ୟ ଦଳ ଭଳି ଏହି ଦଳ ବିପକ୍ଷରେ ଖେଳିବୁ। ଶେଷ ଥର ଲାଗି ଆମେ ବେଲ୍ଜିୟମ ଗସ୍ତ କରିଥିଲୁ। ସେଠାରେ ଆମେ ଭଲ କରିଥିଲୁ। ଅଲିମ୍ପିକ୍ସ ଛୋଟ ପ୍ରତିଯୋଗିତା ନୁହେଁ। ଏଥିପାଇଁ ଯୋଗ୍ୟତା ଅର୍ଜନ କରିବା ଲାଗି ଆମେ ଶ୍ରେଷ୍ଠ ପ୍ରଦର୍ଶନ ଦେବୁ। ଅଧିକରୁ ଅଧିକ ଗୋଲ୍ କରିବା ଉପରେ ଧ୍ୟାନ ଦେବୁ।
ମୁଖ୍ୟ ଲକ୍ଷ୍ୟ ଅଲିମ୍ପିକ୍ସ ଯୋଗ୍ୟତା: ମାରିନ୍
ଆମର ମୁଖ୍ୟ ଲକ୍ଷ୍ୟ ରହିଛି ଅଲିମ୍ପିକ୍ ଯୋଗ୍ୟତା ଅର୍ଜନ। ଏଥି ଲାଗି ଆମେ ଇଂଲଣ୍ଡ ଗସ୍ତ କରି ଅଭ୍ୟାସ ମ୍ୟାଚ୍ ଖେଳିଥିଲୁ। ସେଠାରେ ପିଲାମାନେ ଭଲ କରିଥିଲେ। ଏଥିପାଇଁ ଇଂଲଣ୍ଡ ଗସ୍ତରେ ଯାଇଥିବା ଦଳକୁ ଆମେ ଅପରିବର୍ତିତ ରଖିଛୁ। ଦଳରେ ଥିବା ଓଡ଼ିଶାର ଦୀପଗ୍ରେସ୍, ଲିଲିମା, ନମିତା ଭଲ କରୁଥିବାରୁ ସେମାନେ ସ୍ଥାନ ପକ୍କା କରିଛନ୍ତି। ଦଳରେ ଓଡ଼ିଶା କି ହରିଆଣା, ପଞ୍ଜାବ ନଥାଏ। ଆମେ ଗୋଟିଏ ଦେଶର ଦଳ ଭାବେ ନେଇ ଖେଳୁଥାଉ। ଏହି ଖେଳାଳିମାନଙ୍କୁ ନେଇ କଳିଙ୍ଗରେ ଆମର ଅଭ୍ୟାସ ଭଲ ରହିଛି। ପ୍ରଶିକ୍ଷକ ଭାବେ ଦଳରେ ଥିବା ଦୁର୍ବଳତାକୁ ଦୂର କରିବାକୁ ଚେଷ୍ଟା କରୁଛୁ। ୧୫ ଦିନ ପୂର୍ବରୁ ଏଠାରେ ଅଭ୍ୟାସ କରୁଥିବାରୁ ମ୍ୟାଚ୍ ବେଳେ ଏହା ଆମକୁ ନିଶ୍ଚିତ ଆଗରେ ରଖିବ।
ବହୁ ଆଲୋଚନା ପରେ ଦଳ ଘୋଷଣା କରିଛୁ: ରିଡ୍
ଖେଳାଳିମାନଙ୍କ ସଂପ୍ରତି ପ୍ରଦର୍ଶନକୁ ନେଇ ଦଳ ଘୋଷିତ ହୋଇଛି। ଅଭିଜ୍ଞ ଓ ଯୁବ ଖେଳାଳିଙ୍କୁ ନେଇ ଦଳ ସନ୍ତୁଳିତ ରହିଛି। ଦଳ ଘୋଷଣା ପୂର୍ବରୁ ଖେଳାଳିମାନଙ୍କ ସହ ଆଲୋଚନା କରିଥିଲୁ। ସବୁକୁ ନଜରରେ ରଖି ଦଳ ଚୟନ ହୋଇଛି। ଦଳ ଚୟନ ଗୋପନ ବ୍ୟବସ୍ଥା ହୋଇଥିବାରୁ ବୀରେନ୍ଦ୍ରଙ୍କ ଦଳରେ ରହିବା ନେଇ କିଛି କହି ହେବନି। ଦଳ ବହୁତ ଭଲ ଅଛି। କଳିଙ୍ଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଅଲିମ୍ପିକ୍ସ ଯୋଗ୍ୟତା କରିବ ବୋଲି ଆଶା ରହିଛି।