ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଖେଳିବା ସୁଯୋଗ, ଝାନ୍ସୀ ଗଲା ଓଡ଼ିଶା ହକି ଦଳ

କଟକ: ଉତ୍ତର ପ୍ରଦେଶର ଝାନ୍ସୀରେ ଗୁରୁବାରଠୁ ଆରମ୍ଭ ହେଉଥିବା ଜାତୀୟ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଅ˚ଶଗ୍ରହଣ କରିବ। ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପରେ ବୁଧବାର ରାତିରେ ଓଡ଼ିଶା ଦଳ ଝାନ୍ସୀ ଅଭିମୁଖେ ଯାତ୍ରା କରିଛି। ଦୀପକ ଜନ୍‌ କେର୍କେଟାଙ୍କ ନେତୃତ୍ବରେ ଘୋଷିତ ହୋଇଥିବା ୧୭ ଜଣିଆ ଦଳ ଜାତୀୟ ପ୍ରତିଯୋଗିତାରେ ପୁଣି ଥରେ ଖେଳିବାକୁ ସୁଯୋଗ ପାଇଛି। ଦଳ ସହିତ କାଳୁ ଚରଣ ଚୌଧୁରୀ ପ୍ରଶିକ୍ଷକ ଓ ପ୍ରଣବ କିଶୋର ପଟ୍ଟନାୟକ ପ୍ରବନ୍ଧକ ଭାବେ ଯାତ୍ରା କରିଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଇବା ପରେ ହକି ଇଣ୍ତିଆର ଖେଳ ସୂଚୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ପୁଲ୍‌ ଡି’ରେ ଓଡ଼ିଶା ସହିତ ଏୟାର ଇଣ୍ତିଆ, କର୍ଣ୍ଣାଟକ ଓ ଗାଙ୍ଗପୁର ଓଡ଼ିଶା ସ୍ଥାନ ପାଇଛନ୍ତି। ୨୬ ତାରିଖରେ ଓଡ଼ିଶା ପ୍ରଥମ ମ୍ୟାଚ୍‌ରେ ଏୟାର ଇଣ୍ତିଆକୁ, ୨୭ ତାରିଖରେ ଦ୍ବିତୀୟ ମ୍ୟାଚ୍‌ରେ ଗାଙ୍ଗପୁର-ଓଡ଼ିଶାକୁ, ୨୯ ତାରିଖରେ କର୍ଣ୍ଣାଟକକୁ ଭେଟିବ।

ପ୍ରଥମେ ଏମ୍‌ୟୁ ପୋର୍ଟାଲ୍‌ରେ ଖେଳାଳିଙ୍କ ପଞ୍ଜୀକରଣ ଧାର୍ଯ୍ୟ ସମୟ ସୁଦ୍ଧା ହୋଇପାରିନଥିବାରୁ ଓଡ଼ିଶା ସମେତ ଅନ୍ୟ କିଛି ସ˚ଘର ଅ˚ଶଗ୍ରହଣ ଉପରେ ହକି ଇଣ୍ତିଆ ରୋକ୍‌ ଲଗାଇଥିଲା। ହେଲେ ପୋର୍ଟାଲରେ ସମସ୍ତ ସ˚ଘ ଅଭ୍ୟସ୍ତ ହୋଇନଥିବାରୁ ରାଜ୍ୟର ଖେଳାଳିମାନେ ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ନହୁଅନ୍ତୁ ବୋଲି ହକି ଓଡ଼ିଶା ସମ୍ପାଦକ ପ୍ରତାପ ଶତପଥୀ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରାର୍ଥନା କରିଥିଲେ। େଵବ୍‌ ପୋର୍ଟାଲ ଖୋଲିନଥିବାରୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ହକି ଓଡ଼ିଶା ପକ୍ଷରୁ ସମସ୍ତ କାଗଜପତ୍ର ଅପଲୋଡ କରାଯାଇପାରି ନଥିଲା। ତଥାପି ଜାତୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ଉଭୟ ପୁରୁଷ ଓ ମହିଳା ଦଳ ସମସ୍ତ ପ୍ରସ୍ତୁତି ଶେଷ କରିସାରିଥିଲେ। କିନ୍ତୁ ଗତ ୧୭ ତାରିଖରେ ଜାତୀୟ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବା ସୁଯୋଗରୁ ଓଡ଼ିଶାକୁ ବଞ୍ଚିତ କରାଯାଇଥିବା ବିଷୟରେ ରାଜ୍ୟ ସ˚ଘକୁ ଇ-ମେଲ୍‌ରେ ଜଣାଇ ଦିଆଯାଇଥିଲା। ତେବେ ସିଏଜି ଦଳ ୧୫ ତାରିଖରେ ପଞ୍ଜୀକରଣ କରିଥିଲେ ବି ସେମାନଙ୍କ ଦଳକୁ ଖେଳିବା ପାଇଁ ଅନୁମତି ମିଳିଥିବାରୁ ଓଡ଼ିଶା କ୍ଷେତ୍ରରେ ମଧ୍ୟ ସୁଯୋଗ ମିଳୁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି କରାଯାଇଥିଲା। ତେଣୁ ଏହି ମାମଲାକୁ ବିଚାରକୁ ନିଆଯାଇ ଓଡ଼ିଶାକୁ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବାକୁ ସୁଯୋଗ ଦେବା ପାଇଁ ହକି ଇଣ୍ତିଆକୁ ଅନ୍ତରୀଣ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ପ୍ରତିଯୋଗିତାରେ ଅ˚ଶଗ୍ରହଣ ପ୍ରସଙ୍ଗ, ମାମଲାର ଚୂଡ଼ାନ୍ତ ରାୟ ଉପରେ ନିର୍ଭର କରିବ ବୋଲି କୋର୍ଟ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୦ ତାରିଖରେ ହେବ।

ଓଡ଼ିଶା ଦଳ: ସାଇରିଲ୍‌ ଗୁଗୁନ୍‌, ଦୀପକ ଜନ୍‌ କେର୍କେଟା, ସୁମନ ବେକ୍‌, ସୁଶୀଲ ଧନଵର, ପ୍ରସାଦ କୁଜୁର, ପ୍ରକାଶ ଧୀର‌୍‌, ଅଭିଜିତ ସ୍ବାଇଁ, କ୍ରିଷ୍ଣା ତିର୍କି, ମଙ୍ଗଳ ଲୋହାର, ସୁନୀଲ ଜୋଜୋ, ଉପେନ୍ଦ୍ର ମାଝୀ, ଅଜୟ କୁମାର ଏକ୍କା, ପ୍ରଦୀପ ଲାକ୍ରା, ରେୟାଡାନ ଟିଗୁ, ସାହିଲ ନାୟକ, ସମୀର ଏକ୍କା, ଲାବନ ଲୁଗୁନ, ରାହୁଲ ଏକ୍କା।

ହକି ଗାଙ୍ଗପୁର ଓଡ଼ିଶା ପାଇଁ ଆଶା
ନିର୍ଧାରିତ ସମୟ ମଧ୍ୟରେ ନାମ ପଞ୍ଜୀକରଣ ତଥା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରିପାରିନଥିବାରୁ ହକି ଗାଙ୍ଗୁପୁର ଓଡ଼ିଶାର ମହିଳା ଦଳକୁ ମଧ୍ୟ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତାରୁ ଦାଦ୍ ଦେଇଛି। ସଂଘର ପୁରୁଷ ଦଳ ଅବଶ୍ୟ ପ୍ରକ୍ରିୟା ସଫଳତାର ସହ ଶେଷ କରିଥିବାରୁ ପ୍ରତିଯୋଗିତାର ସୂଚୀରେ ସାମିଲ ରହିଛି। ତେବେ ପୁରୁଷ ଭଳି ଗାଙ୍ଗପୁର ଓଡ଼ିଶା ମହିଳା ଦଳକୁ ମଧ୍ୟ ହକି ଇଣ୍ଡିଆ ଖେଳିବା ସୁଯୋଗ ଦେବ ବୋଲି ସଂଘର ସଂପାଦକ ଦେବାଶୀଷ ଗୌଡ଼ ଆଶା ପ୍ରକାଶ କରିଛନ୍ତି। ଏଥିନେଇ ‘ସମ୍ବାଦ’ ସହ କଥା ହେଲା ବେଳେ ସେ କହିଛନ୍ତି ଯେ ହକି ଇଣ୍ଡିଆ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ରେ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଛି। ଏଥିନେଇ ଆମ ପାଇଁ ବୈଷୟିକ ତାଲିମର କୌଣସି ବ୍ୟବସ୍ଥା କରାଯାଇନାହିଁ। ତା’ ଛଡ଼ା ଖେଳାଳିଙ୍କୁ ଅନେକ ବିଷୟରେ ତଥ୍ୟ ମଗା ଯାଉଛି। ଏପରିକି ଦସ୍ତଖତ ‌ମିଶୁ ନଥିବା ଦର୍ଶାଇ ଏବଂ ଆଧାର କାର୍ଡରେ ନାମ ଭୁଲ ଥିବା ଦର୍ଶାଇ ଆମର ଏକାଧିକ ଖେଳାଳିଙ୍କ ନାମ ପଞ୍ଜୀକରଣ କରାଯାଇନାହିଁ। ଫଳରେ ଆମ ଦଳର କେତେକ ଦକ୍ଷ ଖେଳାଳି ଜାତୀୟ ପ୍ରତିଯୋଗିତାରୁ ବଞ୍ଚିତ ହୋଇଛନ୍ତି। ମୋ ମତରେ ପ୍ରଥମ ବର୍ଷ ପରୀକ୍ଷା ମୂଳକ ଭାବେ ଲାଗୁ କରି ଦ୍ବିତୀୟ ବର୍ଷରୁ ଏହାକୁ କଡ଼ା‌କଡ଼ି ଭାବେ ଲାଗୁ କରିଥିଲେ ଭଲ ହୋଇଥାଆନ୍ତା। ଆମ ମହିଳା ଦଳରେ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ପିଲା ଅଛନ୍ତି। ସେମାନଙ୍କ ଜନ୍ମଗତ ପ୍ରମାଣପାତ୍ର ସହ ଅନ୍ୟାନ୍ୟ କାଗଜ ଯୋଗାଡ଼ କରିବା ଆଦୌ ସହଜ ନୁହେଁ। ସେଥିପାଇଁ ଆମେ ମଧ୍ୟ ମହିଳା ଦଳର ଖେଳାଳିଙ୍କ ପଞ୍ଜୀକରଣ କରି ପାରିଲୁନାହିଁ। ତେବେ ହକି ଓଡ଼ିଶାକୁ ଖେଳିବାର ଅନୁମତି ମିଳିବା ପରେ ମୁଁ ମଧ୍ୟ ଆମ ମହିଳା ଦଳକୁ ଖେଳିବାର ଅନୁମତି ଦେବାକୁ ହକି ଇଣ୍ଡିଆକୁ ପତ୍ର ଲେଖିବି। ଆଶା କରୁଛି ସେମାନେ ଆମକୁ ଖେଳିବାର ସୁଯୋଗ ଦେବେ। ସୂଚନାଯୋଗ୍ୟ ଯେ ଜାତୀୟ ମହିଳା ହକି ପ୍ରତିଯୋଗିତା ଚଳିତ ମାସ ୩୦ ତାରିଖରୁ କେରଳରେ ଆରମ୍ଭ ହେବ।

ସମ୍ବନ୍ଧିତ ଖବର