ବଲ୍‌ବୀରଙ୍କ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଭାରତ ରତ୍ନ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ

ଚଣ୍ଡିଗଡ଼: ଭାରତୀୟ ହକି କିମ୍ବଦନ୍ତୀ ବଲ୍‌ବୀର ସିଂହ (ବରିଷ୍ଠ)ଙ୍କ ପାଇଁ ଅଣ୍ଟା ଭିଡ଼ିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ସେ ବଲ୍‌ବୀରଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ୯୫ ବର୍ଷୀୟ ‌ବଲ୍‌ବୀର ତାଙ୍କ ସମୟରେ‌ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଥିଲେ। ସ୍ବାଧୀନ ଭାରତର ସେ ଜଣେ ସମ୍ମାନସ୍ପଦ ଏବଂ ସୁଦକ୍ଷ ଖେଳାଳି ଥିଲେ। ଫଳରେ ତାଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିବା ଲାଗି ଆପଣଙ୍କ ଧ୍ୟାନ ଅକର୍ଷଣ କରୁଛି ବୋଲି ଅମରିନ୍ଦର ଚିଠିରେ ଉଲ୍ଲେଖ କରିଛନ୍ତି। ଫିଲ୍ଡ ହକିରେ ବଲ୍‌ବୀର ଜଣେ ଶ୍ରେଷ୍ଠ ଖେଳାଳି ଥିଲେ। ୧୯୪୮, ୧୯୫୨ ଓ ୧୯୫୬ ଅଲିମ୍ପିକ୍ ବିଜେତା ଭାରତୀୟ ହକି ଦଳର ସେ ସଦସ୍ୟ ରହିଥିଲେ। ସେ ମଧ୍ୟ ୧୯୫୬ ଅଲିମ୍ପିକ୍ସରେ ଭାରତର ନେତୃତ୍ବ ନେଇଥିଲେ। ତାଙ୍କର ଏଭଳି ପ୍ରଦର୍ଶନ ଯୋଗୁଁ ୧୯୫୭‌ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଏଥିପାଇଁ ବଲ୍‌ବୀରଙ୍କ ନାମ ଭାରତ ରତ୍ନ ଲାଗି ବିଚାର କରାଯାଉ। ଦୃଢ଼ତାର ସହ ତାଙ୍କ ନାମ ସୁପାରିସ କରିବା ପାଇଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ଅମରିନ୍ଦର ଏହି ଚିଠିରେ ଲେଖିଛନ୍ତି। ସୂଚନାଯୋଗ୍ୟ ଯେ କୌଣସି ହକି ପ୍ରତିଯୋଗିତାର ଫାଇନାଲ୍‌ରେ ସର୍ବାଧିକ ଗୋଲ୍‌ କରିବାର କୀର୍ତ୍ତିମାନ ବଲ୍‌ବୀରଙ୍କ ନାମରେ ରହିଛି। ସେ ୧୯୫୨ ହେଲସିଙ୍କି ଅଲିମ୍ପିକ୍‌ ଫାଇନାଲ୍‌ରେ ୫ ଗୋଲ୍‌ ଦେଇଥିଲେ। ତାଙ୍କ ଗୋଲ୍‌ ବଳରେ ଭାରତ ୬-୧ରେ ନେଦରଲାଣ୍ଡକୁ ହରାଇ ବିଜେତା ହୋଇଥିଲା। ଏଥିସହ ୧୯୭୫ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ପ୍ରବନ୍ଧକ ଥିଲେ। ଅନ୍ତର୍ଜାତୀୟ ଅଲିମ୍ପିକ୍‌ ସମିତି ଦ୍ବାରା ଘୋଷିତ ଆଧୁନିକ ଅଲିମ୍ପିକ୍‌ ଇତିହାସର ପ୍ରତିଭାବାନ ୧୬ କ୍ରୀଡ଼ାବିତ୍‌ ତାଲିକାରେ ‌ଭାରତୀୟ ଭାବେ କେବଳ ବଲ୍‌ବୀରଙ୍କୁ ସ୍ଥାନ ମିଳିଛି।

ସମ୍ବନ୍ଧିତ ଖବର