ହକି ଓଡ଼ିଶାର ସୁପାରିସ ପ୍ରସଂଗରେ ପଦକ୍ଷେପ ନିଅ: ହାଇକୋର୍ଟ

ହକି ଖେଳାଳି ଚୟନ ମାମଲା

କଟକ : ଓଡ଼ିଶାରେ ହକି ଖେଳ ପରିଚାଳନା ପାଇଁ ହକି ଇଣ୍ଡିଆ ତରଫରୁ ଗଠିତ ଆଡ୍‌-ହକ୍‌ କମିଟି ପ୍ରସଂଗକୁ ବିରୋଧ କରି ଦାୟର ମାମଲା ନୂଆମୋଡ଼ ନେଇଛି। ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର ପ୍ରତିଯୋଗିତାରେ  ଅଂଶଗ୍ରହଣ ପାଇଁ ଦଳ ଚୟନ ବେଳେ ହକି ଓଡ଼ିଶା ପକ୍ଷରୁ ପ୍ରସ୍ତୁତ ଖେଳାଳି ତାଲିକାକୁ ବିଚାରକୁ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦିଓ ରାଜ୍ୟର ସର୍ବୋଚ୍ଚ ହକି ସଂଘ ଏହି ମାମଲାରେ ପକ୍ଷ ନୁହେଁ ତଥାପି ହକି ଓଡ଼ିଶା ପକ୍ଷରୁ ଦାଖଲ କରାଯାଇଥିବା ଖେଳାଳିଙ୍କ ତାଲିକାକୁ ଏହି କମିଟି ଯାଞ୍ଚ କରିବ ବୋଲି ହାଇକୋର୍ଟ କହିଛନ୍ତି। ୧୦ ଦିନ ଭିତରେ ରାଜ୍ୟରେ ହକିର ସର୍ବୋଚ୍ଚ କମିଟି ସହିତ ହକି ଓଡ଼ିଶା ଅଧିକାରୀଙ୍କ ଏକ ବୈଠକ ଆୟୋଜନ କରାଯିବ। ଏଥିରେ ହକି ଓଡ଼ିଶା ପକ୍ଷରୁ ସୁପାରିସ କରାଯାଇଥିବା ଖେଳାଳିଙ୍କ ଚୟନ ପ୍ରସଂଗରେ ଦିଲ୍ଲୀପ ତିର୍କିଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟର ସର୍ବୋଚ୍ଚ ହକି କମିଟି ନୀତି ନିର୍ଦ୍ଧାରଣ କରିବ। ଯଦି ହକି ଓଡ଼ିଶା ଦ୍ବାରା ସୁପାରିସ କରାଯାଇଥିବା ଖେଳାଳିମାନଙ୍କୁ ଚୟନ କରାଯାଏ ତେବେ ସେମାନଙ୍କୁ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ଚାମ୍ପିଅନସିପ ଓ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯିବ। ହକି ଓଡ଼ିଶା ସୁପାରିସ କରିଥିବା ଖେଳାଳିମାନେ ଯଦି ଫିଟ୍, ସକ୍ଷମ ଓ ଉପଯୁକ୍ତ ତେବେ ସେମାନଙ୍କ ପ୍ରସଂଗରେ କୌଣସି ସାଲିସ କରାଯିବା ଉଚିତ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ସର୍ବୋଚ୍ଚ କମିଟି ବିନା କୌଣସି ପକ୍ଷପାତିତାରେ ଏହି ପ୍ରସଂଗ ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସିଆର ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ହକି ଓଡ଼ିଶା ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ର‌ାୟ ଦେଇଛନ୍ତି। ଖଣ୍ଡପୀଠ ଅନ୍ତରୀଣ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିବା ବେଳେ ମୂଳ ରିଟ୍ ଆବେଦନର ଡିସେମ୍ବର ୧ରେ ଚୂଡାନ୍ତ ଶୁଣାଣି ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ତିଆ ପକ୍ଷରୁ ଏକ ଆଡ୍‌ ହକ୍‌ କମିଟି ଗଠନ କରାଯାଇଥିଲା। ହକି ଇଣ୍ଡିଆର ଏପରି ନିଷ୍ପତ୍ତି ବିରୋଧରେ ହକି ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଜୁନ୍ ୨୫ରେ ହାଇକୋର୍ଟ ମାମଲାର ଶୁଣାଣି କରି ନୋଟିସ୍ ଜାରି କରିଥିଲେ। କିନ୍ତୁ ଆଡ୍ ହକ୍ କମିଟି ଗଠନ ଉପରେ ଅନ୍ତରୀଣ ଆଦେଶ ଦେବାକୁ ହାଇକୋର୍ଟ ମନା କରିଥିଲେ। ଅନ୍ୟପକ୍ଷରେ ଯଦି ଏହି କମିଟି ଦ୍ବାରା ଆବେଦନକାରୀଙ୍କ କୌଣସି କ୍ଷତି ହୁଏ, ତାହେଲେ ଏହାର ଫଳାଫଳ ମାମଲାର ଭବିଷ୍ୟତ ଉପରେ ନିର୍ଭର କରିବ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। ଏହାପରେ ହକି ଓଡ଼ିଶା ଦ୍ବାରା ସୁପାରିସ କରାଯାଇଥିବା ଖେଳାଳିମାନଙ୍କୁ ଉଭୟ ମହିଳା ଓ ପୁରୁଷ ବର୍ଗର ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ ପାଇଁ ଅନୁମତି ପ୍ରସଂଗ ନେଇ ହାଇକୋର୍ଟରେ ଅନ୍ତରୀଣ ‌ଆବେଦନ ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର