ଜାତୀୟ ଶିବିରକୁ ଫେରିଲେ ହକି ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ବରିଷ୍ଠ ପୁରୁଷ, ବରିଷ୍ଠ ମହିଳା, କନିwଷ୍ଠ ମହିଳା, କନିଷ୍ଠ ପୁରୁଷ, ଭାରତ ‘ଏ’ ପୁରୁଷ, ଭାରତ ‘ଏ’ ମହିଳା ଦଳ ବେଙ୍ଗାଲୁରୁ ସାଇ (ଭାରତୀୟ କ୍ରୀଡ଼ା ପ୍ରାଧିକରଣ) କେନ୍ଦ୍ରଠାରେ ଚାଲିଥିବା ଜାତୀୟ ଶିବିରକୁ ଫେରିଛନ୍ତି। ଭାରତୀୟ ବରିଷ୍ଠ ମହିଳା ହକି ଦଳ ଏଫଆଇଏଚ୍ ଲିଗ୍‌ର ଚୂଡ଼ାନ୍ତ ପର୍ଯ୍ୟାୟ ଏବଂ ଜୁନ୍ ଓ ଜୁଲାଇରେ ଖେଳାଯିବାକୁ ଥିବା ଏଫ୍‌ଆଇଏଚ୍ ମହିଳା ହକି ବିଶ୍ବକପ୍ ଲାଗି ପ୍ରସ୍ତୁତି ଆରମ୍ଭ କରିଛି। ଭାରତୀୟ ବରିଷ୍ଠ ମହିଳା ଦଳର ୩୬ ଜଣିଆ ସମ୍ଭାବ୍ୟ ଦଳରେ ଓଡ଼ିଶାର ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ରଶ୍ମିତା ମିଞ୍ଜଙ୍କ ଭଳି ଅଭିଜ୍ଞ ଖେଳାଳି ରହିଛନ୍ତି। ସଂପ୍ରତି ଏଫ୍‌ଆଇଏଚ୍ ପୁରୁଷ ହକି ଲିଗ୍ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ଭାରତୀୟ ବରିଷ୍ଠ ପୁରୁଷ ହକି ଦଳ ଚଳିତବର୍ଷ ଖେଳାଯିବାକୁ ଥିବା ଏସିଆ କପ୍ ଏବଂ ବେଲଜିୟମ୍ ଓ ନେଦରଲାଣ୍ଡ୍ସ ବିପକ୍ଷ ଦୁଇ ପ୍ରୋ ଲିଗ୍ ମ୍ୟାଚ୍ ଲାଗି ପ୍ରସ୍ତୁତି କରିବ। ଏହି ଦଳରେ ଓଡ଼ିଆ ତାରକା ଅମିତ ରୋହିଦାସ ଥିଲା ବେଳେ ତାଙ୍କ ନେତୃତ୍ବରେ ଭାରତୀୟ ବରିଷ୍ଠ ପୁରୁଷ ହକି ଦଳ ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲା।

ଅନ୍ୟମାନଙ୍କ ମଧ୍ୟରେ ନୀଲମ ସଞ୍ଜୀବ ଖେସ୍, ଦୀପସାନ୍ ତିର୍କି, ଆଶିଷ କୁମାର ଟପ୍ନୋ, ଶିଳାନନ୍ଦ ଲାକ୍ରାଙ୍କ ଭଳି ଓଡ଼ିଆ ହକି ତାରକା ମଧ୍ୟ ଏହି ଦଳରେ ରହିଛନ୍ତି। କନିଷ୍ଠ ମହିଳା‌ ସମ୍ଭାବ୍ୟ ଭାରତୀୟ ଦଳରେ ଥିବା ଓଡ଼ିଆ ତାରକାଙ୍କ ମଧ୍ୟରେ ରହିଛନ୍ତି ମାଧୁରୀ କିଣ୍ଡୋ, ନିକିତା ଟପ୍ପୋ, ଜ୍ୟୋତି ଛତ୍ରୀ ପ୍ରମୁଖ। ସେହିଭଳି ଭାରତୀୟ ‘ଏ’ ସମ୍ଭାବ୍ୟ ଜାତୀୟ ଦଳରେ ପ୍ରେମାଞ୍ଜଳି ଟପ୍ପୋ, ଆଜମିନା କୁଜୁର, ଜୀବନକିଶୋରୀ ଟପ୍ପୋ, ରିଙ୍କି କୁଜୁର, ଦୀପ୍ତି ଲାକ୍ରାଙ୍କ ଭଳି ଓଡ଼ିଆ ଖେଳାଳି। ବୀରେନ୍ଦ୍ର ଲାକ୍ରା, ଅଭିଷେକ ଲାକ୍ରା, ସୁନିଲ ଯେଯୋ, ସୁଦୀପ ଚିର୍ମାକୋ ପ୍ରମୁଖ ଭାରତୀୟ ‘ଏ’ ପୁରୁଷ ଦଳରେ ରହିଛନ୍ତି।

ସମ୍ବନ୍ଧିତ ଖବର