ଭୁବନେଶ୍ବର,: ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍ ହକି କଂପ୍ଲେକ୍ସରେ ଆସନ୍ତା ମେ’ ମାସ ୨୩ ଓ ୨୪ ତାରିଖରେ ଖେଳାଯିବାକୁ ଥିଲା ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍ର ଦୁଇଟି ମ୍ୟାଚ୍। ଭାରତୀୟ ପୁରୁଷ ହକି ଦଳ ସହିତ ଏହି ଦୁଇଟି ମ୍ୟାଚ୍ ନ୍ୟୁଜିଲାଣ୍ଡ ଖେଳିବାର ସୂଚୀ ରହିଥିଲା। ହେଲେ ସାଂପ୍ରତିକ ବିଶ୍ବବ୍ୟାପୀ କରୋନା ମହାମାରୀ ଆତଙ୍କ ଯୋଗୁଁ ନ୍ୟୁଜିଲାଣ୍ଡ୍ ଦଳ ଏହି ମ୍ୟାଚ୍ ଖେଳିବାକୁ ଭାରତ ଗସ୍ତରେ ଆସିପାରିବନି ବୋଲି ଜଣାଇଦେଇଛି। ଯାତ୍ରା ଉପରେ ନ୍ୟୁଜିଲାଣ୍ଡ୍ ସରକାର କଟକଣା ଜାରି କରିଥିବା ଏବଂ ଦେଶରେ ଲକ୍ଡାଉନ୍ ଯୋଗୁଁ ଦଳ ଭାରତ ଗସ୍ତ କରିବାକୁ ଅସମର୍ଥ ବୋଲି କହିଛି। ବିଶେଷକରି ଖେଳାଳି ଏବଂ ଅଧିକାରୀମାନଙ୍କ ସ୍ବାସ୍ଥ୍ୟ, ନିରାପତ୍ତାର ଗୁରୁତ୍ବ ଏବଂ ଦଳୀୟ ଡାକ୍ତରମାନଙ୍କ ପରାମର୍ଶକ୍ରମେ ଓଡ଼ିଶାରେ ଖେଳାଯିବାକୁ ଥିବା ପ୍ରୋ ଲିଗ୍ ମ୍ୟାଚ୍ ପାଇଁ ଭାରତ ଗସ୍ତ କରିବା ସମ୍ଭବ ନୁହେଁ ବୋଲି ହକି ନ୍ୟୁଜିଲାଣ୍ଡ୍ ଶୁକ୍ରବାର କହିଛି। ପୁରୁଷ ଦଳର ଭାରତ ଗସ୍ତ ସାଙ୍ଗକୁ ମହିଳା ଦଳର ଚୀନ୍ ଗସ୍ତ ମଧ୍ୟ କୋଭିଡ୍-୧୯ ଯୋଗୁଁ ବାତିଲ କରିବାକୁ ବାଧ୍ୟ ହୋଇଛୁ ବୋଲି ହକି ନ୍ୟୁଜିଲାଣ୍ଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଲାନ୍ ଫ୍ରାନ୍ସିସ୍ କହିଛନ୍ତି। ନ୍ୟୁଜିଲାଣ୍ଡ୍ ଦଳ ଓହରିଯିବା ନିଷ୍ପତ୍ତିକୁ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲିନା ନର୍ମାନ୍ ଗ୍ରହଣ କରିଛନ୍ତି। ଏପରି ସ୍ଥିତିରେ ଅନ୍ୟ କିଛି ବିକଳ୍ପ ନଥିଲା ବୋଲି ସେ କହିଛନ୍ତି। ତେଣୁ କଳିଙ୍ଗ ଷ୍ଟାଡିୟମ୍ରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇଟିଯାକ ମ୍ୟାଚ୍ ପାଇଁ ଉଭୟ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ ଜରିଆରେ ଯେଉଁମାନେ ଟିକେଟ କିଣିଥିଲେ ସେସବୁର ଅର୍ଥ ଫେରସ୍ତ କରାଯିବ ବୋଲି ନର୍ମାନ୍ ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟରେ କରୋନା ସ୍ଥିତି ସୁଧୁରିଲେ ଟିକେଟ ଅର୍ଥ ଫେରସ୍ତ ପାଇଁ ତାରିଖ ସୂଚାଇ ଦିଆଯିବ ବୋଲି ସେ କହିଛନ୍ତି। ଆଉ ଯଦି ଫେରସ୍ତ ନେଇ କେହି ଅଧିକ ଜାଣିବାକୁ ଚାହାନ୍ତି, ତାହାଲେ ଟିକେଟଜେନି ([email protected]) ସହ ଯୋଗାଯୋଗ କରିପାରିବେ ଏବଂ +୯୧୮୨୧୭୩୯୫୩୬୪ ନମ୍ବରରେ ଟିକେଟଜେନି ସହ ସଂପର୍କ ରଖିପାରିବେ ବୋଲି ନର୍ମାନ୍ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ, ପ୍ରୋ ଲିଗ୍ ପଏଣ୍ଟ୍ ତାଲିକାରେ ଏବେ ସୁଦ୍ଧା ଭାରତ ଚତୁର୍ଥ ସ୍ଥାନରେ ଥିଲା ବେଳେ ନ୍ୟୁଜିଲାଣ୍ଡ ଷଷ୍ଠରେ ରହିଛି। ଏହି ଲିଗ୍ରେ ଏପର୍ଯ୍ୟନ୍ତ ଉଭୟ ଦଳ ୨ଟି ଲେଖାଏଁ ବିଜୟ ହାସଲ କରିଛନ୍ତି।
ହକି ପ୍ରୋ ଲିଗ୍ ଖେଳିବାକୁ ଓଡ଼ିଶା ଆସିବନି ନ୍ୟୁଜିଲାଣ୍ଡ୍, ଟିକେଟ ଅର୍ଥ ଫେରସ୍ତ ଦିଆଯିବ: ନର୍ମାନ୍
/sambad/media/post_attachments/wp-content/uploads/2019/02/11-FieldHockey_HowtoPlay_01_300x3501-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)