ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଫେବ୍ରୁଆରି ୧୦ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୁଷ ହକି ପ୍ରୋ-ଲିଗ୍ ଖେଳାଯିବ। ପୂର୍ବଥର ଭଳି ଏଥର ମଧ୍ୟ ହକିପ୍ରେମୀ ମାଗଣାରେ ମ୍ୟାଚ୍ ଉପଭୋଗ କରିପାରିବେ। ଏନେଇ ଶୁକ୍ରବାର ହକି ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ତେବେ ଦର୍ଶକ ଅନ୍ଲାଇନ୍ରେ ଆଗୁଆ ଟିକଟ ପଞ୍ଜୀକରଣ କରିବେ। ଏହି ପଞ୍ଜୀକରଣ ପ୍ରକ୍ରିୟା ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି।
ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ବିଶ୍ୱ ହକିର ତିନି ଶ୍ରେଷ୍ଠ ଦଳ, ଆୟୋଜକ ଭାରତ ସମେତ ବେଲଜିୟମ୍ ଓ ଆର୍ଜେଣ୍ଟିନା ପଡ଼ିଆକୁ ଓହ୍ଲାଇବେ। ତିନି ଦଳ ପରସ୍ପର ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍ ଖେଳିବେ। ହକିପ୍ରେମୀ ‘ଟିକଟ୍ଜିନି’ ୱେବ୍ସାଇଟ୍ ମାଧ୍ୟମରେ ମାଗଣା ଭର୍ଚୁଆଲ୍ ଟିକଟ୍ ସୁରକ୍ଷିତ କରିପାରିବେ। ପଞ୍ଜୀକରଣ ପରେ, ଦର୍ଶକମାନେ ଏକ ଡିଜିଟାଲ୍ ଟିକଟ୍ ପାଇବେ, ଯାହାକୁ ଦେଖାଇ ସେମାନେ ଷ୍ଟାଡିୟମ୍କୁ ପ୍ରବେଶ କରିପାରିବେ। ବର୍ଷକପରେ ରାଉରକେଲାକୁ ଅନ୍ତର୍ଜାତୀୟ ହକି ଫେରୁଥିବାରୁ ପୁଣି ହକିପ୍ରେମୀଙ୍କ ଉତ୍ସାହ ପରିଲକ୍ଷିତ ହେଉଛି। ଓଡ଼ିଶା ଓ ବାହାରର ପ୍ରଶଂସକ ନିଜ ନିଜ ଦଳକୁ ସମର୍ଥନ କରିବା ପାଇଁ ଏକତ୍ରିତ ହେଉଥିବାରୁ ଷ୍ଟାଡିୟମ୍ ପୁଣିଥରେ ଗୁଞ୍ଜରିତ ହେବ ବୋଲି ଆଶା କରାଯାଉଛି। ଏନେଇ ହକି ଇଣ୍ଡିଆ ସଭାପତି ଡ. ଦିଲୀପ ତିର୍କି କହିଛନ୍ତି, ରାଉରକେଲା ନିରନ୍ତର ହକି ପ୍ରତି ପ୍ରବଳ ଆଗ୍ରହ ଦେଖାଇଛି। ମାଗଣା ପ୍ରବେଶ ବ୍ୟବସ୍ଥା ଦ୍ବାରା ଆମେ ନିଶ୍ଚିତ କରିବାକୁ ଚାହୁଛୁ ଯେ ଅଧିକ ସଂଖ୍ୟକ ପ୍ରଶଂସକ, ବିଶେଷକରି ଯୁବ ଖେଳାଳି ଓ ପରିବାର ଶୀର୍ଷସ୍ତରୀୟ ଅନ୍ତର୍ଜାତୀୟ ହକିକୁ ଦେଖିବାର ସୁଯୋଗ ପାଇବା ସହ ଭାରତୀୟ ଦଳକୁ ସମର୍ଥନ କରନ୍ତୁ। ହକି ଇଣ୍ଡିଆ ସମ୍ପାଦକ ଭୋଳାନାଥ ସିଂହ କହିଛନ୍ତି, ‘ଏଫ୍ଆଇଏଚ୍ ପ୍ରୋ-ଲିଗ୍ ଏକ ଗୁରୁତ୍ବପୂର୍ଣ୍ଣ ପ୍ଲାଟ୍ଫର୍ମ୍, ଯେଉଁଠାରେ ଭାରତୀୟ ଖେଳାଳି ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କସହ ପ୍ରତିଦ୍ବନ୍ଦ୍ବିତା କରିବାର ସୁଯୋଗ ପାଇବେ। ଦର୍ଶକରେ ଭରପୂର୍ ଷ୍ଟାଡିୟମ୍ ବିଶେଷ ଶକ୍ତି ସୃଷ୍ଟି କରିବା ସହ ଦଳକୁ ପ୍ରେରଣା ଦେଇଥାଏ। ରାଜ୍ୟ ତଥା ରାଜ୍ୟବାହାର ପ୍ରଶଂସକ ହକିର ଏହି ଉତ୍ସବରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି।
ପ୍ରୋ-ଲିଗ୍ ସୂଚୀ
୧୦ ଫେବ୍ରୁଆରି: ବେଲଜିୟମ-ଆର୍ଜେଣ୍ଟିନା
୧୧ ଫେବ୍ରୁଆରି: ଭାରତ-ବେଲଜିୟମ
୧୨ ଫେବ୍ରୁଆରି: ଭାରତ-ଆର୍ଜେଣ୍ଟିନା
୧୩ ଫେବ୍ରୁଆରି: ଆର୍ଜେଣ୍ଟିନା-ବେଲଜିୟମ
୧୪ ଫେବ୍ରୁଆରି: ଭାରତ-ବେଲଜିୟମ
୧୫ ଫେବ୍ରୁଆରି: ଭାରତ-ଆର୍ଜେଣ୍ଟିନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/30/new-project-15-2026-01-30-23-02-34.jpg)