ଭୁବନେଶ୍ବର: ଆସନ୍ତା ଅକ୍ଟୋବରରେ ଆରମ୍ଭ ହେବାକୁ ଥିବା ଏଫ୍ଆଇଏଚ୍ ପ୍ରୋ ଲିଗ୍ ହକି ପ୍ରତିଯୋଗିତା ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ। ମଙ୍ଗଳବାର ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍ଆଇଏଚ୍) ରାଉରକେଲାକୁ ଭୁବନେଶ୍ବର ପରେ ଦ୍ବିତୀୟ ଭାରତୀୟ ଆୟୋଜକ ସହର ଭାବେ ତା’ର ସୂଚୀରେ ସାମିଲ କରିଛି। ଉଭୟ ଭେନ୍ୟୁରେ ପ୍ରୋ ଲିଗ୍ର ମୋଟ ୧୨ ମ୍ୟାଚ୍ ଆୟୋଜିତ ହେବ। ଯାହା ଓଡ଼ିଶା ହକି ପାଇଁ ଏକ ବଡ଼ ଖୁସି ଖବର ହୋଇଛି। ଜାନୁଆରି, ୨୦୨୩ରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତି ପର୍ବ ସ୍ବରୂପ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଶ୍ବକପ୍ ମଧ୍ୟ ଉଭୟ ଭୁବନେଶ୍ବର ଏବଂ ରାଉରକେଲାରେ ଖେଳାଯିବ।
ରାଉରକେଲାରେ ବିଶ୍ବକପ୍ ଲାଗି ଏକ ନୂଆ ବିଶ୍ବସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ କରାଯାଇଛି। ଏଣୁ କଳିଙ୍ଗ ଷ୍ଟାଡିୟମ ସହ ସେଠାରେ ପ୍ରୋ ଲିଗ୍ ଆୟୋଜନ କରି ଏଫ୍ଆଇଏଚ୍ ଉଭୟ ସ୍ଥାନର ଟର୍ଫ ଏବଂ ସୁବିଧା ସୁଯୋଗକୁ ବିଶ୍ବକପ୍ ପୂର୍ବରୁ ପରଖିବାକୁ ଯୋଜନା କରିଛି। କଳିଙ୍ଗ ଷ୍ଟାଡିୟମ୍ରେ ବିଶ୍ବକପ୍ ଲାଗି ନୂଆ ଟର୍ଫ ବିଛା ଯାଇଥିଲା ବେଳେ ରାଉରକେଲା ଷ୍ଟାଡିୟମ୍ରେ ମଧ୍ୟ ନୂତନ ଭାବେ ଟର୍ଫ ବିଛା ହୋଇଛି। ଭୁବନେଶ୍ବର ଏବଂ ରାଉରକେଲା ସହ ପ୍ରୋ ଲିଗ୍ ଅଷ୍ଟ୍ରେଲିଆର ହୋବର୍ଟ ଓ ନ୍ୟୁ କ୍ୟାସେଲ, ଆର୍ଜେଣ୍ଟିନାର ମେଣ୍ଡୋଜା ଓ ସାଣ୍ଟିଆଗୋ, ବେଲଜିୟମର ଅେନ୍ତର୍ପେ, ଇଂଲଣ୍ଡର ଲଣ୍ଡନ, ନେଦରଲାଣ୍ଡ୍ସର ଏଣ୍ଡୋଭେନ୍ ଓ ଆମଷ୍ଟରଡାମ ଏବଂ ନ୍ୟୁଜିଲାଣ୍ଡର କ୍ରିଷ୍ଟଚର୍ଚ୍ଚ ଓ ୱେଲିଂଟନଠାରେ ଖେଳାଯିବ।
ଉଭୟ ସହରରେ ୧୨ ମ୍ୟାଚ୍
ରାଉରକେଲା ଓ ଭୁବନେଶ୍ବରରେ ଏଫ୍ଆଇଏଚ୍ ପ୍ରୋ ଲିଗ୍ର ୬ଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ଏଠାକୁ ନ୍ୟୁଜିଲାଣ୍ଡ, ସ୍ପେନ୍, ଜର୍ମାନୀ ଓ ଅଷ୍ଟ୍ରେଲିଆ ଖେଳିବାକୁ ଆସିବେ। ପ୍ରତିଯୋଗିତାର ଭାରତୀୟ ପର୍ଯ୍ୟାୟ ଅକ୍ଟୋବର ୨୮ରୁ ଆରମ୍ଭ ହେବ। ରାଉରକେଲାରେ ଭାରତ-ଅଷ୍ଟ୍ରେଲିଆ, ଅଷ୍ଟ୍ରେଲିଆ-ଜର୍ମାନୀ, ଭାରତ-ଜର୍ମାନୀ, ଭାରତ-ଅଷ୍ଟ୍ରେଲିଆ ଭଳି ମ୍ୟାଚ୍ ଖେଳାଯିବ। ସେହିଭଳି କଳିଙ୍ଗରେ ଭାରତ-ନ୍ୟୁଜିଲାଣ୍ଡ, ନ୍ୟୁଜିଲାଣ୍ଡ-ସ୍ପେନ୍, ଭାରତ-ସ୍ପେନ୍ ଆଦି ମ୍ୟାଚ୍ ଅନୁଷ୍ଠିତ ହେବ। କଳିଙ୍ଗ ଷ୍ଟାଡିୟମ୍ରେ ହିଁ ଉଦ୍ଘାଟନୀ ମ୍ୟାଚ୍ ଖେଳାଯିବ। ଏଥିରେ ଭାରତକୁ ନ୍ୟୁଜିଲାଣ୍ଡ ଭେଟିବ। ସଂପୂର୍ଣ୍ଣ ପ୍ରୋ ଲିଗ୍ ଅକ୍ଟୋବର ୨୮ରୁ ଆରମ୍ଭ ହୋଇ ୫ ଜୁଲାଇ ୨୦୨୩ରେ ଶେଷ ହେବ। ପ୍ରତିଯୋଗିତାରେ ମୋଟ ୯ ଦଳ ଅଂଶଗ୍ରହଣ କରିବେ। ସେମାନେ ହେଲେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିୟମ, ଜର୍ମାନୀ, ଗ୍ରେଟ୍ ବ୍ରିଟେନ୍, ଭାରତ, ନେଦରଲାଣ୍ଡ୍ସ, ନ୍ୟୁଜିଲାଣ୍ଡ, ସ୍ପେନ୍।
ପ୍ରଶ୍ନ ଉଠାଇ ଅରୁମୁଗମ୍ ସମାଲୋଚିତ
ଓଡ଼ିଶାରେ ବିଶେଷ କରି ଭୁବନେଶ୍ବରକୁ ସବୁବେଳେ ଏଫ୍ଆଇଏଚ୍ ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ ଲାଗି ପ୍ରାଥମିକତା ଦେଉଥିବାରୁ ହକି ବିଶେଷଜ୍ଞ ଏବଂ ଅନେକ ପୂର୍ବତନ ଅଲିମ୍ପିଆନ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଚେନ୍ନାଇ, ବେଙ୍ଗାଲୁରୁ, ମୋହାଲି, କୋଲକାତା, ରାଏପୁର ଓ ଦିଲ୍ଲୀ ଭଳି ସହରରେ ବିଶ୍ବସ୍ତରୀୟ ହକି ଭିତ୍ତିଭୂମି ଥିଲେ ମଧ୍ୟ କିଛି ଅତିରିକ୍ତ ଅର୍ଥ ଲାଗି ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଥିବା କ୍ରୀଡ଼ା ସାମ୍ବାଦିକ ତଥା ପ୍ରତିଷ୍ଠିତ ହକି ଲେଖକ କେ. ଅରୁମୁଗମ୍ ଫେସବୁକ୍ ପୋଷ୍ଟରେ ଅଭିଯୋଗ କରିଛନ୍ତି। ହକି ଏବେ କେବଳ ଗୋଟିଏ ଷ୍ଟାଡିୟମ୍ରେ ସୀମାବଦ୍ଧ। ଏକଥାକୁ କିଛି ପ୍ରଚାର କୈନ୍ଦ୍ରୀକ ଲେଖା ଲୁଚାଇ ପାରିବ ନାହିଁ ବୋଲି କଟାକ୍ଷ କରିଛନ୍ତି ସେ। ତେବେ ଅରୁମୁଗମ୍ଙ୍କ ଏଭଳି ଫେସବୁକ୍ ପୋଷ୍ଟ୍କୁ ଓଡ଼ିଶା ହକି ପ୍ରେମୀ ସହଜରେ ଗ୍ରହଣ କରି ନାହାନ୍ତି। ଭୁବନେଶ୍ବର ଆସି ଖବର ସଂଗ୍ରହ ଲାଗି ସବୁପ୍ରକାର ସୁବିଧା ସୁଯୋଗ ନେବାପରେ ମଧ୍ୟ ଓଡ଼ିଶାକୁ ସେ ଏଭଳି ଖୋଲାଖୋଲି ବିରୋଧ କରିବା ଦୁର୍ଭାଗ୍ୟଜନକ ବୋଲି ଓଡ଼ିଆ ହକି ଖେଳାଳି ଏବଂ ହକି ପ୍ରେମୀ କହିଛନ୍ତି। ସାମାଜିକ ଗଣମାଧ୍ୟମରେ ଏହି ବିଷୟ ମଙ୍ଗଳବାର କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଅନ୍ୟତମ ବିତର୍କର ବିଷୟ ହୋଇଥିଲା।