ହକି ବିଶ୍ବକପ୍ ଆରମ୍ଭ ହେବାକୁ ଆଉ ୨ ଦିନ ରହିଲା। ଏଥିରେ ଭାଗ ନେବା ପାଇଁ ସମସ୍ତ ଅଂଶଗ୍ରହଣକାରୀ ଦଳ ଭୁବନେଶ୍ବରରେ ପହଞ୍ଚିସାରିଛନ୍ତି। ଯେଉଁ ଦଳମାନଙ୍କର ରାଉରକେଲାରେ ପ୍ରଥମ ମ୍ୟାଚ୍ ଖେଳିବାର ଅଛି, ସେମାନେ ସେଠାରେ ପହଞ୍ଚିଗଲେଣି। ଏବେ କେବଳ ୧୩ ତାରିଖର ଆକ୍ସନ୍କୁ ଅପେକ୍ଷା। ଦୁଇ ଦିନ ଆଗରୁ ଅର୍ଥାତ୍ ୧୧ ତାରିଖରେ ଏହି ହକି ମହାକୁମ୍ଭର ଉଦ୍ଘାଟନୀ ସମାରୋହ କଟକର ବାରବାଟୀ ଷ୍ଟାଡିୟମ୍ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି। ବହୁ ତାରକା ବିଶିଷ୍ଟ ରଙ୍ଗାରଙ୍ଗ ସନ୍ଧ୍ୟାରେ ସାରା ବିଶ୍ବ ଓଡ଼ିଶାର କଳା ସଂସ୍କୃତିକୁ ଜାଣିବାକୁ ଆଉ ଏକ ଅବସର ରହିଛି। ତେବେ ଏହି ମହାସମର ଆରମ୍ଭ ହେବା ପୂର୍ବରୁ ବିଶ୍ବକପ୍ର ୧୫ତମ ସଂସ୍କରଣରେ ୧୫ଟି ଜଣା ଅଜଣା ତଥ୍ୟ ଉପରେ ନଜର ପକାଇବା...
୪ ଥର ବିଜେତା ତଥା ସବୁଠୁ ସଫଳ ଦଳ ପାକିସ୍ତାନ ଚଳିତ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହିଁ। ୨୦୧୪ ସଂସ୍କରଣ ପରଠୁ ପାକିସ୍ତାନ ଦ୍ବିତୀୟ ଥର ପାଇଁ ବିଶ୍ବକପ୍ରେ ଖେଳୁନାହିଁ।
ଚତୁର୍ଥ ଥର ପାଇଁ ଭାରତ ହକି ବିଶ୍ବକପ୍ର ଆୟୋଜକ ହୋଇଛି। ପୂର୍ବରୁ ମୁମ୍ବାଇରେ ୧୯୮୨ରେ, ଦିଲ୍ଲୀରେ ୨୦୧୦ରେ, ଭୁବନେଶ୍ବରରେ ୨୦୧୮ରେ ବିଶ୍ବକପ୍ ଆୟୋଜନ ହୋଇଥିଲା। ଏହାଦ୍ବାରା ଭାରତ ସବୁଠୁ ଅଧିକ ଥର ହକି ବିଶ୍ବକପ୍ ଆୟୋଜନ କରିବା ଦେଶ ହୋଇପାରିଛି।
୨୦୨୩ ସଂସ୍କରଣରେ ବିଶ୍ବକପ୍ର ୫୦ ବର୍ଷ ପୂର୍ତ୍ତିକୁ ପାଳନ କରିବ। ୧୯୭୧ରେ ପ୍ରଥମ ଥର ବିଶ୍ବକପ୍ ଖେଳାଯାଇଥିଲା।
ଭାରତ ପ୍ରଥମ ଦେଶ ଭାବେ ହକି ବିଶ୍ବକପ୍କୁ ଲଗାତର ଦ୍ବିତୀୟ ଥର ଆୟୋଜନ କରିବାକୁ ଯାଉଛି।
ପ୍ରଥମ ଥର ପାଇଁ ବିଶ୍ବକପ୍ ଦୁଇଟି ସହରରେ ଆୟୋଜନ ହେଉଛି। ଭୁବନେଶ୍ବର ଓ ରାଉରକେଲା ମିଳିତ ଭାବେ ଏହି ବିଶ୍ବକପ୍ର ଆୟୋଜକ ହୋଇଛନ୍ତି।
୧୯୮୨ ପରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ ପଦକ ବିଜେତା ଭାବେ ବିଶ୍ବକପ୍ରେ ଅଂଶଗ୍ରହଣ କରୁଛି। ୨୦୨୧ ଟୋକିଓ ଅଲିମ୍ପିକ୍ସରେ ଭାରତ କାଂସ୍ୟ ପଦକ ଜିତି ୪୧ ବର୍ଷ ପ୍ରତୀକ୍ଷାର ଅନ୍ତଃ ଘଟାଇଥିଲା।
ଭାରତ ମାତ୍ର ଥରେ ବିଶ୍ବକପ୍ ଟ୍ରଫି ଉଠାଇବାର ସୁଯୋଗ ପାଇଛି। ୧୯୭୫ରେ କୁଆଲାଲୁମ୍ପୁରଠାରେ ପାକିସ୍ତାନକୁ ୨-୧ ଗୋଲ୍ରେ ହରାଇ ଭାରତ ବିଜେତା ହୋଇଥିଲା।
ଏସୀୟ ମହାଦେଶରେ ସପ୍ତମ ଥର ପାଇଁ ବିଶ୍ବକପ୍ ଆୟୋଜିତ ହୋଇଛି। ହେଲେ ଭାରତ, ପାକିସ୍ତାନ ଓ ମାଲେସିଆ କୌଣସି ଥର ବି ଆୟୋଜକ ଭାବେ ବିଜେତା ହୋଇପାରିନାହାନ୍ତି।
ବିଶ୍ବକପ୍ରେ ପଦାର୍ପଣ କରିବାକୁ ଯାଉଥିବା ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ ଦର୍ଶକ କ୍ଷମତା ଅନୁସାରେ ଭାରତର ଦ୍ବିତୀୟ ବୃହତ୍ ଷ୍ଟାଡିୟମ୍। ୩୦ ହଜାର କ୍ଷମତା ବିଶିଷ୍ଟ ଚଣ୍ଡିଗଡ଼ ହକି ଷ୍ଟାଡିୟମ୍ ଦେଶର ସବୁଠୁ ବଡ଼ ଷ୍ଟାଡିୟମ୍ର ମାନ୍ୟତା ପାଇଛି।
ୱେଲ୍ସ ଓ ଚିଲି ୨୦୨୩ ସଂସ୍କରଣରେ ବିଶ୍ବକପ୍ ପଦାର୍ପଣ କରିବେ।
ରାଜିନ୍ଦର ସିଂହ ଏକମାତ୍ର ଭାରତୀୟ ଖେଳାଳି ଭାବେ ହକି ବିଶ୍ବକପ୍ର କୌଣସି ସଂସ୍କରଣରେ ସର୍ବାଧିକ ଗୋଲ୍ ସ୍କୋରର ତାଲିକାରେ ସ୍ଥାନ ପାଇଛନ୍ତି। ୧୯୮୨ ବମ୍ବେ ବିଶ୍ବକପ୍ରେ ସେ ୧୨ ଗୋଲ୍ ଦେଇ ଭାରତୀୟଙ୍କ ମଧ୍ୟରେ ଆଗରେ ଅଛନ୍ତି।
୨୦୧୪ ସଂସ୍କରଣର ସର୍ବାଧିକ ଗୋଲ ସ୍କୋରର ଆର୍ଜେଣ୍ଟିନାର ଗଞ୍ଜାଲୋ ପିଲାଟ୍ ୨୦୧୮ରେ ଦ୍ବିତୀୟ ସର୍ବାଧିକ ସ୍କୋରର ହୋଇଥିଲେ। ଚଳିତ ସଂସ୍କରଣରେ ସେ ଦଳ ବଦଳାଇ ଜର୍ମାନି ତରଫରୁ ଖେଳିବେ।
ପିଲାଟଙ୍କ ଭଳି ଅନ୍ୟତମ ସାଥି ଖେଳାଳି ଜୋଆକ୍ବିନ୍ ମେନିନି ୨୦୧୪ ଓ ୨୦୧୮ରେ ଆର୍ଜେଣ୍ଟିନା ପକ୍ଷରୁ ବିଶ୍ବକପ୍ରେ ଖେଳିଥିଲା ବେଳ ଏଥର ସ୍ପେନ୍ ପାଇଁ ଖେଳିବେ।
ବେଲ୍ଜିୟମର ଜନ୍ ଜନ୍ ଡୋହମେନ ଚଳିତ ସଂସ୍କରଣରେ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ଖେଳାଳି ହୋଇଛନ୍ତି। ଭୁବନେଶ୍ବର ଆସିବା ପୂର୍ବରୁ ସେ ୪୩୬ ଆନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି।
ବେଲଜିୟମ୍ ଚଳିତ ବିଶ୍ବକପ୍ରେ ଡିଫେଣ୍ଡିଂ ଚାମ୍ପିଅନର ପରିଚୟ ନେଇ ଆସିଛି। ୨୦୧୮ରେ ଭୁବନେଶ୍ବରରେ ବେଲଜିୟମ ୩-୨ ପୋନଲ୍ଟି ସୁଟ୍ଆଉଟ୍ରେ ନେଦରଲାଣ୍ଡ୍ସକୁ ହରାଇ ବିଜେତା ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp