ରାଉରକେଲା: ସୁନ୍ଦରଗଡ଼ ମାଟିରୁ ୭୦ରୁ ଅଧିକ ଅନ୍ତର୍ଜାତୀୟ ହକି ଖେଳାଳି ସୃଷ୍ଟି ହୋଇଛନ୍ତି। ଏହି ଆନ୍ତର୍ଜାତିକ ତାରକା ହକି ଖେଳାଳି ସୃଷ୍ଟି କରିବାରେ ପାନପୋଷ କ୍ରୀଡ଼ା ଛାତ୍ରାବାସର ଅବଦାନ ଅତୁଳନୀୟ। ସୁନ୍ଦରଗଡ଼ ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ ଉଦୀୟମାନ ହକି ଖେଳାଳିଙ୍କୁ ଚିହ୍ନଟକରି ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ। ତେବେ ଏହି ଚୟନ ପ୍ରକ୍ରିୟାରେ ଏବେ ବିଡ଼ମ୍ବନା ପରିଲକ୍ଷିତ ହୁଏ। ଗତ ଦୁଇବର୍ଷ ହେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ପାଇଁ ଖେଳାଳି ଚୟନ କରାଯାଉନି। ଶେଷଥର ପାଇଁ ଗତ ୨୦୨୩ ମସିହାରେ ଚୟନ ଶିବିର ଆୟୋଜିତ ହୋଇଥିଲା। ଦୁର୍ଭାଗ୍ୟର ବିଷୟ, ଛାତ୍ରାବାସ କର୍ତ୍ତୃପକ୍ଷ କିମ୍ବା ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।
ପୂର୍ବରୁ ବହୁସ୍ତରୀୟ ପ୍ରକ୍ରିୟା ଦ୍ବାରା ପାନପୋଷ କ୍ରୀଡ଼ା ଛାତ୍ରାବାସ ପାଇଁ ଖେଳାଳି ଚୟନ କରାଯାଉଥିଲା। ୧୦ରୁ ୧୪ ବର୍ଷ ବୟସ୍କ ପ୍ରତିଭାବାନ ପୁଅ ଓ ଝିଅ ଟ୍ରାଏଲ୍ସରେ ଅଂଶଗ୍ରହଣ କରୁଥିଲେ। ପ୍ରଥମେ ବ୍ଲକ୍, ଜିଲ୍ଲା ଓ ପରେ ରାଜ୍ୟସ୍ତରୀୟ ପରୀକ୍ଷଣପରେ ଖେଳାଳିଙ୍କୁ ମନୋନୀତ କରାଯାଉଥିଲା। ଏବେ କିନ୍ତୁ ଏହା ସଂପୂର୍ଣ୍ଣ ବନ୍ଦ ହୋଇଯାଇଥିବା ଛାତ୍ରାବାସରେ ସ୍ଥାନ ଖାଲିପଡ଼ିଛି। ଏଠାରେ ଉଭୟ ବାଳକ ଓ ବାଳିକା ବର୍ଗ ପାଇଁ ଶହେ ଜଣ ଲେଖାଏଁ, ମୋଟ୍ ୨ ଶହ ସିଟ୍ ରହିଛି। ତେବେ ବର୍ତ୍ତମାନ ବାଳକରେ ୭୬ ଓ ବାଳିକାରେ ୬୭ ଜଣ, ମୋଟ୍ ୧୪୩ ଜଣ ଅନ୍ତେବାସୀ ଅଛନ୍ତି। ଅର୍ଥାତ୍ ୫୭ଟି (୨୮.୫୦%) ସିଟ୍ ଖାଲିପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ତତ୍କାଳୀନ ହକି ଆସୋସିଏସନ୍ ଅଫ୍ ଓଡ଼ିଶା (ହାଓ)ର ନିର୍ଦ୍ଦେଶକ ଡେଭିହ୍ ଜନ୍ଙ୍କ ସମୟରେ ଶେଷଥର ପାଇଁ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ସେତେବେଳେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ଓ ଅନ୍ୟାନ୍ୟ ପ୍ରକ୍ରିୟା ସଂପାଦିତ ହେବାରୁ ଯାବତୀୟ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳିଥିଲା। ବିଶେଷକରି ଜନ୍ମ ପ୍ରମାଣପତ୍ରର ସଠିକତା, ଖେଳାଳିଙ୍କ ଶାରୀରିକ ଦକ୍ଷତା, କ୍ରୀଡ଼ାକୌଶଳ ଆଦି ବିଷୟରେ କେବଳ ଚୂଡ଼ାନ୍ତ ପର୍ଯ୍ୟାୟରେ ହିଁ ଜଣାପଡ଼ୁଥିଲା। ଏଣୁ ଏସବୁ ମାନଦଣ୍ଡ ପୂରଣ କରି ନପାରି ଅଧିକାଂଶ ଖେଳାଳି ବାଦ୍ ପଡ଼ୁଥିଲେ। ସମ୍ଭବତଃ ଏହି କାରଣରୁ ଅନ୍ଲାଇନ୍ ନା ଅଫ୍ଲାଇନ୍ ମାଧ୍ୟମରେ ଚୟନ ଶିବିର ଅନୁଷ୍ଠିତ ହେବ, ତା’ର ନିଷ୍ପତ୍ତି ହୋଇପାରୁନି। ଏଭଳିସ୍ଥିତିରେ ପୁରୁଣା ନୀତି ଅବଲମ୍ବନକରି ତୃଣମୂଳସ୍ତରକୁ ଯାଇ ପ୍ରଶିକ୍ଷକ ଖେଳାଳି ଚୟନ କରିବାକୁ ଜଣେ ବରିଷ୍ଠ ହକି ଖେଳାଳି ମତବ୍ୟକ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/09/20/fhfshfshf-2025-09-20-00-35-35.jpg)