ହକି ଟେଷ୍ଟ: ଶେଷ ମ୍ୟାଚ୍‌ ବି ହାରିଲା ଭାରତ

ଆଡିଲେଡ୍‌: ବିଶ୍ବକପ୍‌ ପ୍ରସ୍ତୁତି ନିମନ୍ତେ ଅଷ୍ଟ୍ରେଲିଆ‌ ଗସ୍ତରେ ଥିବା ଭାରତୀୟ ହକି ଦଳ ବିଶ୍ବ ବିଜେତା ଅଷ୍ଟ୍ରେଲିଆଠାରୁ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାକୁ ୧-୪ରେ ହାରିଯାଇଛି। ପ୍ରଥମ ମ୍ୟାଚ୍‌କୁ ୪-୫ ଏବଂ ଦ୍ବିତୀୟ ମ୍ୟାଚ୍‌କୁ ୪-୭ ଗୋଲ୍‌ରେ ହାରିବା ପରେ ଭ୍ରମଣକାରୀ ହର୍ମନପ୍ରୀତ୍‌ଙ୍କ ଭାରତୀୟ ଦଳ ୪-୩ ଗୋଲ୍‌ରେ ତୃ୍ତୀୟ ମ୍ୟାଚ୍‌ ଜିତି ଶୃଙ୍ଖଳା ଉଜ୍ଜୀବିତ ରଖିଥିଲା। ହେଲେ ଚତୁର୍ଥ ମ୍ୟାଚ୍‌କୁ ୧-୫ ହାରି ଆଗୁଆ ଶୃଙ୍ଖଳା ହାତଛଡ଼ା କରିଥିବା ଭାରତ ଶେ‌ଷ ତଥା ପଞ୍ଚମ ମ୍ୟାଚ୍‌କୁ ୪-୫ ଗୋଲ୍‌ରେ ପରାସ୍ତ ହୋଇଛି ରବିବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟର ଆରମ୍ଭରୁ ଟମ୍‌ ୱିକ୍‌ହାମ (୨ ମିନିଟ୍‌)ଙ୍କ ଗୋଲ୍‌ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୧୭ତମ ମିନିଟ୍‌ରେ ଆଉ ଏକ ଗୋଲ୍‌ ଦେଇ ୱିକ୍‌ହାମ ବ୍ୟକ୍ତିଗତ ଯୁଗଳ ସଫଳତା ସହ ଦଳକୁ ୨-୦ରେ ଆଗୁଆ ରଖିଥିଲେ। ୨୪ତମ ମିନିଟ୍‌ରେ ଭାରତକୁ ‌ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହର୍ମନପ୍ରୀତ ଗୋଲ୍‌ରେ ପରିଣତ କରି ସ୍ଥିତି ୧-୨ କରିଥିଲେ।

ଦ୍ବିତୀୟ କ୍ବାର୍ଟରର ଶେ‌ଷ ମିନିଟ୍‌ରେ ଆରନ ଜାଲେୱସ୍କି (୩୦ ମିନିଟ୍‌)ଙ୍କ ଗୋଲ୍‌ ଯୋଗୁଁ ଏହି ବ୍ୟବଧାନ (୧-୩) ପୁଣି ବଢ଼ିଯାଇଥିଲା। ତୃତୀୟ କ୍ବାର୍ଟର ଆରମ୍ଭରୁ ଓଡ଼ିଆ ପୁଅ ଅମିତ ରୋହିଦାସ (୩୪ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ସ୍ଥିତି ୨-୩ କରିଥିଲେ। ତେବେ ଜାକବ ଆଣ୍ଡରସନ୍‌ (୪୦ ମିନିଟ୍‌)ଙ୍କ ଗୋଲ୍‌ରେ ଅଷ୍ଟ୍ରେଲିଆ ତୃତୀୟ କ୍ବାର୍ଟରକୁ ୪-୨ରେ ଶେଷ କରିଥିଲା। ଜାକେ ହ୍ବେଟନ (୫୪ ମିନିଟ୍‌) ଅଷ୍ଟ୍ରେଲିଆକୁ ୫-୨ରେ ଅଗ୍ରଣୀ ଦେବାପରେ ସୁଖଜିତ ସିଂହ (୫୫ ମିନିଟ୍‌) ଓ ହର୍ମନପ୍ରୀତ (୬୦ ମିନିଟ୍‌) ଦୁଇଟି ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ।

ସମ୍ବନ୍ଧିତ ଖବର