ହକି ଆଜି ଓଡ଼ିଶାର ଅନନ୍ୟ ପରିଚୟ: ତୁଷାରକାନ୍ତି ବେହେରା

ମନ୍ତ୍ରୀ, କ୍ରୀଡ଼ା ଓ ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି

ରାଜ୍ୟ ସରକାର ହକିର ଅନ୍ତୁଡ଼ିଶାଳ ଓଡ଼ିଶାରେ ଚାମ୍ପିଅନସିପ୍‌ ଟ୍ରଫି ହକି, ଏଫଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌, ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ଆଦି ଅନେକ ଅନ୍ତର୍ଜାତୀୟ ସ୍ତରର ଇଭେଣ୍ଟର ସଫଳ ଆୟୋଜନ କରିଛନ୍ତି। ଫଳରେ ଓଡ଼ିଶାରେ ହକିର ପ୍ରସିଦ୍ଧି ଓ ଲୋକପ୍ରିୟତା ଆଶାତୀତ ଭାବେ ବୃଦ୍ଧି ପାଇଛି। ଜାତୀୟ ହକିକୁ ଯେତେବେଳେ ପ୍ରାୟୋଜକର ଅଭାବ ଘାରିଥିଲା, ଠିକ ସେତିକିବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ସମର୍ଥନ ପାଇଁ ଓଡ଼ିଶା ଜାତୀୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ହେଲା। ପରବର୍ତ୍ତୀ ସମୟରେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ଓଡ଼ିଶା ଆଉ ୧୦ ବର୍ଷ ପାଇଁ ଜାତୀୟ ଦଳର ପ୍ରାୟୋଜକ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କଲେ। କରୋନା ମହାମାରୀ ସମୟରେ ଆମେ ଅନେକଗୁଡିଏ କ୍ରୀଡା ପ୍ରତିଯୋଗିତା ଆୟୋଜନରୁ ବଞ୍ଚିତ ରହିଥିଲୁ। ତେବେ ଟୋକିଓ ଅଲିମ୍ପିକ୍ସରେ ଆମ ହକି ଦଳର ପ୍ରଦର୍ଶନ ଆମକୁ ଆହୁରି ଅଧିକ କିଛି କରିବା ପାଇଁ ପ୍ରେରଣା ଯୋଗାଇଛି। ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳରେ ୪ ଓଡ଼ିଆ ହକି ଖେଳାଳି ସାମିଲ ହୋଇ ସେମାନଙ୍କର ପ୍ରଦର୍ଶନ ଜରିଆରେ ସବୁ ଦେଶବାସୀଙ୍କ ମନ କିଣି ନେଇଥିଲେ। ଏହା ମଧ୍ୟ ଆମ ଦେଶ ତଥା ରାଜ୍ୟ ଓଡିଶାକୁ ଗୌରବାନ୍ୱିତ କରିବା ସହ ସମଗ୍ର ବିଶ୍ୱ କ୍ରୀଡା ମାନଚିତ୍ରରେ ଓଡ଼ିଶା ପାଇଁ ଆଣି ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏପରି ଘଟଣା ଆଜି ରାଜ୍ୟର ତୃଣମୂଳ ସ୍ତରର ସମସ୍ତ ହକି ଖେଳାଳିଙ୍କୁ ଉତ୍ସାହିତ କରିଛି। ଆଜି ଗାଁ ଗାଁରେ, ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକଟି ବ୍ଲକ୍‌ ଓ ପ୍ରତ୍ୟେକଟି ଗ୍ରାମରେ ସମସ୍ତେ ହକିକୁ ଉତ୍ସବ ଭାବେ ପାଳନ କରି ଆସୁଛନ୍ତି। ଏତିକିରେ ସନ୍ତୁଷ୍ଟ ନରହି ଆମ ଓଡ଼ିଶା ସରକାର ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ସିନ୍ଥେଟିକ ଟର୍ଫ ଓ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ୍‌ ନିର୍ମାଣ ଆରମ୍ଭ କରିଛନ୍ତିି। ଏଥିପାଇଁ ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଓଡ଼ିଶାବାସୀ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଚିର କୃତଜ୍ଞ।

ଆମ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଆଜି ରାଜ୍ୟ କ୍ରୀଡ଼ା ପାଇଁ ଏକ ଶୁଭଙ୍କର ପରିବେଶ ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ପୁରୁଷ ଏଫଆଇଏଚ୍‌ କନିଷ୍ଠ ହକି ବିଶ୍‌କପ୍‌-୨୦୨୧ ଓଡ଼ିଶାରେ ଆୟୋଜନ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ସବୁ ହକିପ୍ରେମୀମାନଙ୍କ ମଧ୍ୟରେ ଉନ୍ମାଦନା ସୃଷ୍ଟି କରିଛି। ଏଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି । ଅଂଶଗ୍ରହଣକାରୀ ସମସ୍ତ ୧୬ ଦଳ ଭୁବନେଶ୍ବର ପହଞ୍ଚି ସାରିଛନ୍ତି। ଏହି ଦଳଗୁଡ଼ିକୁ ଆତିଥେୟତା ଦେଇ ଓଡ଼ିଶା ଗର୍ବିତ। ଅପରୂପ ସୌନ୍ଦର୍ଯ୍ୟଭରା ଓଡ଼ିଶା ଏବଂ ମନ୍ଦିରମାଳିନୀ ଭୁବନେଶ୍ୱରକୁ ବିଦେଶୀ ଖୋଳାଳୀମାନେ ବେଶ୍‌ ଉପଭୋଗ କରିବେ ବୋଲି ମୋର ଆଶା। ଓଡ଼ିଶା ସରକାର ସବୁବେଳେ କୋଭିଡ୍‌କୁ ନିୟନ୍ତ୍ରିତ କରିବା ଓ ମୁକାବିଲା କରିବରେ ସଫଳ ହୋଇଛନ୍ତି। ଆଗାମୀ ଦିନରେ ଏହି ଧାରାକୁ ବଜାୟ ରଖିବା ସହିତ ସମସ୍ତ ଖେଳାଳିଙ୍କ ସମେତ ଅଫିସିଆଲ୍‌, ହୋଟେଲ୍‌ କର୍ମଚାରୀ ଏବଂ ସ୍ବେଚ୍ଛାସବୀଙ୍କୁ ପ୍ରତି ୭୨ ଘଣ୍ଟାରେ କୋଭିଡ୍‌ ପରୀକ୍ଷଣ ପାଇଁ ନିଷ୍ପତ୍ତି ହୋଇଛି। ପ୍ରତିଯୋଗିତା ବେଳେ କୋଭିଡ୍‌ ସଂକ୍ରମଣକୁ ଯେପରି ପ୍ରତିହତ କରିହେବ ସେ ନେଇ ବ୍ୟାପକ ପ୍ରସ୍ତୁତି ହୋଇଛି। ଏଥି ସହିତ ଏକ ବାୟୋ-ବବ୍‌ଲ୍‌ ପରିବେଶ ମଧ୍ୟରେ ସମସ୍ତ ଖେଳାଳିଙ୍କ ରହଣି, ଅଭ୍ୟାସ ଓ ମ୍ୟାଚ୍‌ ଆୟୋଜନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଗ୍ରହଣ କରିଛନ୍ତି। ଏହା ଭିତରେ ବିଭିନ୍ନ ଦଳ ସେମାନଙ୍କ ନିର୍ଦ୍ଧାରିତ ସମୟରେ ଅଭ୍ୟାସ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଆସୁଛନ୍ତି। ଖେଳାଳିମାନଙ୍କ ଖାଦ୍ୟପେୟ ଏବଂ ସ୍ୱାସ୍ଥ୍ୟର ଯତ୍ନ ପାଇଁ ରାଜ୍ୟ ସରକାର ସଜାଗ ରହିଛନ୍ତି। ବିନା ଦର୍ଶକରେ ଖେଳ ଅନୁଷ୍ଠିତ ହେଉଥିବାରୁ ଦର୍ଶକମାନେ ଟିଭି ଏବଂ ଏଫ୍‌ଆଇଏଚ୍‌ର ସ୍ୱତନ୍ତ୍ର ଆପ୍‌ ଜରିଆରେ ଏହାକୁ ଦେଖିପାରିବେ। ତେଣୁ ସମସ୍ତ ହକିପ୍ରେମୀଙ୍କ ଲାଗି ଏହା ଏକ ଭଲ ସୁଯୋଗ। ସେମାନେ ନିଜ ଘରେ ବସି ନିଜ ପସନ୍ଦର ଦଳ ଓ ଖେଳାଳିଙ୍କ ଖେଳକୁ ବେଶ୍‌ ଖୁସିର ସହ ଉପଭୋଗ କରିପାରିବେ।

ଏହି ମେଗା ଇଭେଣ୍ଟ ହକି ଏଚ୍‌ପିସିରେ ଖେଳୁଥିବା ଖେଳାଳିଙ୍କୁ ପ୍ରେରଣା ଯୋଗାଇବା ସହ ଅନ୍ୟ ସମସ୍ତ ଖେଳାଳି ଓ ଖେଳପ୍ରେମୀଙ୍କୁ ଉତ୍ସାହିତ କରିବ। ଓଡ଼ିଶା ସରକାର ସବୁବେଳେ କ୍ରୀଡ଼ାର ଉନ୍ନତି ଏବଂ କ୍ରୀଡ଼ାର ପ୍ରଚାରପ୍ରସାର ଓ ପ୍ରାୟୋଜନକୁ ବିଶ୍ୱାସ କରନ୍ତି ଏବଂ ସେଥିପାଇଁ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧ଟି ଏଚ୍‌ପିସିରୁ ୯ଟି କାର୍ଯ୍ୟକ୍ଷମ ହୋଇପାରିଛି। ଏହି ବିଶ୍ବକପ୍‌ରେ ସ୍ଥାନୀୟ ଗଣମାଧ୍ୟମ ସହିତ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର ଗଣମାଧ୍ୟମ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ଖବର ସଂଗ୍ରହ କରିବାର ବ୍ୟବସ୍ଥା ହୋଇଛି। ତେଣୁ ମୁଁ ଅନୁଭବ କରୁଛି ପ୍ରତ୍ୟେକ ଦିନ ଖବରକାଗଜର ପୃଷ୍ଠା ଓଲଟାଇଲେ କିମ୍ବା ଟିଭି ପରଦାରେ ରାଜ୍ୟ, ଦେଶର ତଥା ବିଶ୍ୱର ସବୁଲୋକ ଓଡ଼ିଶାରେ ହେଉଥିବା ଏହି ହକି ବିଶ୍ୱକପ୍‌ର ସମସ୍ତ ଖବର ବିସ୍ତୃତ ଭାବେ ପାଇପାରିବେ। ଖେଳର ପ୍ରଚାରପ୍ରସାରରେ ଆମ ରାଜ୍ୟ ତଥା ଦେଶର ଗଣମାଧ୍ୟମ ସବୁବେଳେ ଆଗରେ ରହିଆସିଛି। ତେଣୁ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ନିୟମିତ ଅନ୍ତରାଳରେ କୋଭିଡ୍‌ ପରୀକ୍ଷଣ କରାଇବା ସହ ଖବର ସଂଗ୍ରହ ପାଇଁ ସ୍ୱତନ୍ତ୍ର ପ୍ରେସ୍‌ ବକ୍ସର ସୁବିଧା କରାଯାଇଛି। ଶେଷରେ ଏତିକି କହିବି ଓଡ଼ିଶାକୁ ଏକ କ୍ରୀଡ଼ା ହବ୍‌ରେ ପରିଣତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହା ସମସ୍ତ କ୍ରୀଡ଼ାବିତ୍‌, କ୍ରୀଡ଼ାପ୍ରେମୀ, ଗଣମାଧ୍ୟମ ତଥା ରାଜ୍ୟବାସୀଙ୍କ ଅକୁଣ୍ଠ ସହଯୋଗରେ ପୂରା ହୋଇପାରିବ।

ସମ୍ବନ୍ଧିତ ଖବର