ବିଶ୍ବ ବିଜୟୀ ବାଦଶାହ: ହକି ଅର୍ଜୁନ, ଝୁରିଲେ ହକି ତାରକା

୧୯୭୨ ଅଲିମ୍ପିକ୍‌ରେ କାଂସ୍ୟ ପଦକ ବିଜୟୀ ଭାରତୀୟ ଦଳ ଓ ୧୯୭୫ ମସିହାରେ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ଥିବା କିଣ୍ଡୋ ଭାରତୀୟ ହକି ଦଳର ଭରସାଯୋଗ୍ୟ ସଦସ୍ୟ ଥିଲେ, ଯାହାକି ତାଙ୍କୁ ବିଶ୍ବ ହକିରେ ସୁଖ୍ୟାତି ଆଣିଦେଇଥିଲା। ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ ଯୋଗୁଁ ୧୯୭୩-୭୪ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରାୟ ୧୦ ବର୍ଷ ଧରି ଭାରତୀୟ ନୌସେନାରେ ଚାକିରି କରିବା ପରେ ସେ ରେଳବାଇରେ ଯୋଗଦେଇଥିଲେ। ପରେ ୧୯୭୭ ମସିହାରେ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ରେ ଯୋଗଦେଇଥିଲେ। ଆର୍‌ଏସ୍‌ପିରେ ଯୋଗଦେବା ପରେ ସେ ସ୍ଥାନୀୟ ପିଲାଙ୍କୁ ହକି ପ୍ରଶିକ୍ଷଣ ଦେବାସହ ଜିଲ୍ଲାରେ ହକିର ବିକାଶ ପାଇଁ ଦିନରାତି ପ୍ରୟାସ ଚଳାଇଥିଲେ। ତାଙ୍କ ନେତୃତ୍ବରେ ଓଡ଼ିଶା ହକି ଦଳ ଏକାଧିକବାର କୃତିତ୍ବ ହାସଲ କରିଥିଲା। ୨୦୦୪ ମସିହାରେ ଆର୍‌ଏସ୍‌ପିରୁ ଅବସର ନେଲାପରେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ହକିର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ ରଖିଥିଲେ। କିଣ୍ଡୋଙ୍କ ରାଉରକେଲା ଆଗମନ ପରେ ହିଁ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ଆରମ୍ଭ ହୋଇଥିଲା। ଭାରତ ବିଶ୍ବକପ୍ ବିଜୟୀ ହେବାରେ ପ୍ରମୁଖ ଭୂମିକା ତୁଲାଇଥିବା କିଣ୍ଡୋ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ୧୯୭୫ ମସିହା ବିଶ୍ବକପ୍‌ର ସେମିଫାଇନାଲ୍ ଓ ଫାଇନାଲ୍‌ରେ ଖେଳି ନଥିଲେ। ତେବେ ଫୁଲବ୍ୟାକ୍‌ରେ ଖେଳୁଥିବା ଏହି କିଂବଦନ୍ତି ହକି ତାରକା ନିଜ କଳା କୌଶଳ ଏବଂ ଶୈଳୀ ପାଇଁ ଅଜସ୍ର ସମ୍ମାନ ଓ ପ୍ରଶଂସା ସାଉଣ୍ଟି ଥିଲେ।

।ସେ ଥିଲେ ହକି କିଂବଦନ୍ତି। ତାଙ୍କ ସମୟରେ ସେ ଥିଲେ ଭାରତୀୟ ହକି ଦଳର ମେରୁଦଣ୍ଡ। ଛୋଟବେଳୁ ତାଙ୍କ ବିଷୟରେ ବହୁତ କିଛି ଶୁଣିଛି। କିଭଳି ଚମତ୍କାର କ୍ରୀଡ଼ା କୌଶଳ ତାଙ୍କ ନିକଟରେ ଭରି ରହିଥିଲା, ତାର ଅନେକ ଉଦାହରଣ ଶୁଣିଛି; ଯାହାକି ପ୍ରେରଣାଦାୟୀ। ଓଡ଼ିଶା ହକି ପ୍ରତି ତାଙ୍କର ଅବଦାନ ଅତୁଳନୀୟ। ରାଜ୍ୟରେ ହକିର ପ୍ରଚାର ପ୍ରସାର ପାଇଁ ସେ ଯେମିତି ନିଜକୁ ସମର୍ପିତ କରିଥିଲେ, ତାହା ଅବର୍ଣ୍ଣନୀୟ। ପାରିବାରିକ ସମ୍ପର୍କ ଯୋଗୁଁ ତାଙ୍କୁ ଅତି ନିକଟରୁ ଦେଖିଛି। ତାଙ୍କଠାରୁ ବହୁତ କିଛି ଶିଖିଛି, ବହୁ ଅଭୁଲା ମୂହୁର୍ତ୍ତ କାଟିଛି। ତାଙ୍କ ଭଳି ଜଣେ ସର୍ବକାଳୀନ ମହାନ ହକି ଖେଳାଳିଙ୍କ ସାନ୍ନିଧ୍ୟ ପାଇବାର ସୁଯୋଗ ଜୁଟିଛି। ତାଙ୍କ ସ୍ଥାନ ସବୁଦିନ ପାଇଁ ଅପୂରଣୀୟ ହୋଇ ରହିବ।
-ପଦ୍ମଶ୍ରୀ ଦିଲୀପ ତିର୍କି, ପୂର୍ବତନ ଭାରତୀୟ ଅଧିନାୟକ
। ହକି ପଡ଼ିଆରେ ବହୁ ଇତିହାସ ରଚିଥିବା ପ୍ରଖ୍ୟାତ ଡିଫେଣ୍ଡର ମାଇକେଲ କିଣ୍ଡୋ ସବୁଦିନ ପାଇଁ ମନେ ରହିବେ। ତାଙ୍କ ଭଳି ଜଣେ ଯୋଗଜନ୍ମାକୁ ପାଇ ଓଡ଼ିଶା ଗର୍ବିତ। ସେ ପୂର୍ବ ଭାରତର ଆଦିବାସୀଙ୍କର ପ୍ରତିନିଧିତ୍ବ କରୁଥିଲେ। ତାଙ୍କୁ ଦେଖି, ତାଙ୍କଠାରୁ ବହୁମୂଲ୍ୟ ପରାମର୍ଶ ପାଇ, ଜିଲ୍ଲାର ବହୁ ଆଦିବାସୀ ଯୁବକଯୁବତୀ ହକି ଖେଳ ପ୍ରତି ଆକୃଷ୍ଟ ହୋଇଥିଲେ। ତାଙ୍କ ଭଳି ଖେଳାଳି କ୍ବଚିତ ମିଳନ୍ତି।
-ଲାଜରୁସ୍‌ ବାର୍ଲା, ଅଲିମ୍ପିଆନ
। ମାଇକେଲ୍‌ କିଣ୍ଡୋ କେବଳ ଜଣେ ବିଶ୍ବବିଦିତ ହକି ଖେଳାଳି ନ ଥିଲେ, ବରଂ ହଜାର ହଜାର ହକି ଖେଳାଳିଙ୍କ ଆଦର୍ଶ ଥିଲେ। ହକିର ବିକାଶ, ପ୍ରଚାରପ୍ରସାର ପାଇଁ ସେ ବହୁତ କିଛି କରିଛନ୍ତି। ସବୁବେଳେ ସେ ହକିର ମହତ୍ବ ବୁଝୁଥିଲେ। ଅବସର ପରେ ମଧ୍ୟ ହକି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଆଗଭର ହେଉଥିଲେ।
-ୱିଲିୟମ ଖାଲ୍‌କୋ, ଅଲିମ୍ପିଆନ
। ବିଶ୍ବ ହକିରେ ବହୁତ କମ୍‌ ହକି ଖେଳାଳି ଅଛନ୍ତି, ଯେଉଁମାନେ ପଡ଼ିଆ ଭିତରେ ଓ ବାହାରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ମାଇକେଲ କିଣ୍ଡୋ। ତାଙ୍କୁ ଦେଖି, ତାଙ୍କ ବିଷୟରେ ଶୁଣି ମୋ ଭଳି ଏକାଧିକ ଖେଳାଳି ହକି ପ୍ରତି ଆକର୍ଷିତ ହୋଇଥି‌ଲୁ।
-ଶୁଭଦ୍ରା ପ୍ରଧାନ, ପୂର୍ବତନ ମହିଳା ହକି ଖେଳାଳି
। ମାଇକେଲ କିଣ୍ଡୋ ହେଉଛନ୍ତି ହକି କିଂବଦନ୍ତି। ନିଜ ସମୟରେ ଭାରତୀୟ ଦଳର ନିର୍ଭରଯୋଗ୍ୟ ସଦସ୍ୟ ଥିଲେ। ଅନ୍ତର୍ଜାତୀୟ ହକିରୁ ଅବସର ନେଲାପରେ ମଧ୍ୟ ସେ ହକି ଛାଡ଼ିନଥିଲେ। ଓଡ଼ିଶା ହକିକୁ ଏକ ନୂଆ ପରିଚୟ ଦେବା ପଛରେ ତାଙ୍କର ପ୍ରମୁଖ ଭୂମିକା ରହିଛି। ସ୍ବଇଚ୍ଛାରେ ଖେଳାଳିଙ୍କୁ ଉତ୍ସାହିତ କରିବା, ପ୍ରେରଣା ଦେବାକୁ ସେ ଆଗେଇ ଆସୁଥିଲେ।
-ଅମୂଲ୍ୟାନନ୍ଦ ବିହାରୀ, ବରିଷ୍ଠ ହକି ପ୍ରଶିକ୍ଷକ
। ଆମେ ଛୋଟବେଳେ ତାଙ୍କ ବିଷୟରେ ରେଡିଓରେ ଶୁଣୁଥିଲୁ। କିଭଳି ପ୍ରତିପକ୍ଷଙ୍କୁ ଧରାଶାୟୀ କରୁଥିଲେ, ସେ ବିଷୟରେ ଶୁଣି ଶୁଣି ବଡ଼ ହୋଇଛୁ। ଉତ୍କୃଷ୍ଟମାନର କ୍ରୀଡ଼ାକୌଶଳ ଯୋଗୁଁ ତାଙ୍କୁ ଲୌହ ପ୍ରାଚୀର ଭାବେ ବିବେଚନା କରାଯାଉଥିଲା। ସେ ଅସଂଖ୍ୟ ଲୋକଙ୍କୁ ପ୍ରେରଣା ଦେଇଛନ୍ତି।
-ପିଟର ତିର୍କି, ବରିଷ୍ଠ ହକି ପ୍ରଶିକ୍ଷକ
। କିଣ୍ଡୋ ସାର୍ ଜଣେ ମହାନ ହକି ତାରକା ଥିଲେ। ତାଙ୍କ ସହ ଖେଳିବାର ସୌଭାଗ୍ୟ ମିଳିନି। ସେଲ୍ ହକି ଏକାଡେମିରେ ସେ ଥିଲା ବେଳେ କିନ୍ତୁ ଆମେ ସବୁବେଳେ ତାଙ୍କୁ ଦେଖି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଏବଂ ଦେଶ ପାଇଁ ଅଲିମ୍ପିକ୍ସ ଓ ବିଶ୍ବକପ୍ ପଦକ ଜିତିବାକୁ ପ୍ରେରିତ ହେଉଥିଲୁ। ଦେଶ ପାଇଁ ସେ ଯେଉଁ ଅନନ୍ୟ ସେବା ଦେଇଛନ୍ତି ତାହା ନିଶ୍ଚିତ ଭାବେ ଆଗାମୀ ପିଢ଼ିର ପଥ ପ୍ରଦର୍ଶକ ହେବ। ତାଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖୀ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଓ ସଦଗତି ଦିଅନ୍ତୁ।
-ଇଗ୍ନେସ ତିର୍କି, ଅର୍ଜୁନ ପୁରସ୍କାରପ୍ରାପ୍ତ ଓଡ଼ିଆ ହକି ତାରକା
। ସେଲ୍‌ ହକି ଏକାଡେମିରେ ଥିଲା ‌ବେଳେ ୨୦୦୨ରୁ ୨୦୦୫ ପର୍ଯ୍ୟନ୍ତ କିଣ୍ଡୋ ସାର୍‌ଙ୍କୁ ପାଖରୁ ଦେଖିବାର ସୁଯୋଗ ପାଇଥିଲି। ଏପରିକି ତାଙ୍କ ଦୁଇ ଝିଅଙ୍କ ବିବାହରେ ମଧ୍ୟ ଯୋଗ ଦେଇଥିଲି। ସାର୍ ସବୁବେଳେ ହକି କଥା ଭାବୁଥିଲେ। ନିଜ ଅଭିଜ୍ଞତା ଆମ ସହ ବାଣ୍ଟୁଥିଲେ। ସେହିଭଳି କଠିନ ପରିଶ୍ରମ କରି ଭାରତ ତଥା ଓଡ଼ିଶାର ଟେକ ରଖିବାକୁ ସବୁବେଳେ ପ୍ରେରଣା ଦେଉଥିଲେ।
-ନିଶାନଜ୍ୟୋତି ମହାନ୍ତି, ଅନ୍ତର୍ଜାତୀୟ ହକି ଅମ୍ପାୟାର

ସମ୍ବନ୍ଧିତ ଖବର