ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ବର୍ତିଗଲା

ଫ୍ରାନ୍ସକୁ ହରାଇଲା ନ୍ୟୁଜିଲାଣ୍ଡ

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଚତୁର୍ଦଶ ପୁରୁଷ ହକି ବିଶ୍ବକପ୍‌ର ରୋମାଞ୍ଚ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ପ୍ରଥମ ଦିବସରେ ସ୍ଥାନୀୟ ପ୍ରଶଂସକ ବିଶ୍ବକପର ଅନ୍ୟତମ ଦାବିଦାର ବେଲଜିୟମର ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଆୟୋଜକ ଭାରତର ଗୋଲ୍‌ବର୍ଷାରେ ବିମୋହିତ ହୋଇଥିଲେ। ଗୁରୁବାର ଦ୍ବିତୀୟ ଦିନରେ କଳିଙ୍ଗ ଟର୍ଫରେ ଆଉ ଦୁଇଟି ତୀବ୍ର ସଂଘର୍ଷପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଛି। ଆଜି ଆର୍ଜେଣ୍ଟିନା ୪-୩ ଏବଂ ନ୍ୟୁଜିଲାଣ୍ଡ ୨-୧ରେ ନିଜ ନିଜ ମ୍ୟାଚ୍ ଜିତି ପୂରା ପଏଣ୍ଟ ଅର୍ଜନ କରିଛନ୍ତି। ଗୁରୁବାରର ପ୍ରଥମ ମ୍ୟାଚ୍‌ରେ ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନା ଖେଳୁଥିବାରୁ ପ୍ରଶଂସକଙ୍କ ସବୁ ନଜର ଏହି ମ୍ୟାଚ୍‌ ଉପରେ ଥିଲା। ପୁଲ-ଏ’ର ଏହି ଆର୍ଜେଣ୍ଟିନା-ସ୍ପେନ୍ ମ୍ୟାଚ୍ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୀବ୍ର ଉତ୍କଣ୍ଠାପୁର୍ଣ୍ଣ ରହିଥିଲା। ଦୁଇ ଥର ପଛୁଆ ରହିବା ପରେ ଶେଷରେ ଲାଟିନ ଆମେରିକୀୟ ଦଳ ଆର୍ଜେଣ୍ଟିନା ଶେଷ କ୍ବାର୍ଟର ଗୋଲ୍ ବଳରେ କଷ୍ଟକର ବିଜୟ ହାସଲ କରିଥିଲା। ଅନ୍ୟପକ୍ଷରେ ୟୁରୋପୀୟ ଶକ୍ତି ସ୍ପେନ୍ ପୂରା ମ୍ୟାଚ୍‌ରେ ଦମଦାର ହକି ଖେଳି ପ୍ରଶଂସକଙ୍କ ମନ ଜିତିବା ସତ୍ତ୍ବେ ଅଳ୍ପକେ ପରାଜିତ ହୋଇଥିଲା। ସେପଟେ ନ୍ୟୁଜିଲାଣ୍ଡ ଏବଂ ଫ୍ରାନ୍ସ ମଧ୍ୟରେ ଖେଳା ଯାଇଥିବା ଦ୍ବିତୀୟ ମୁକାବିଲାରେ ନ୍ୟୁଜିଲାଣ୍ଡ ବାଜି ମାରି ନେଇଥିଲା। ପୁଲ୍ ‘ଏ’ର ଏହି ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ୨-୧ ଗୋଲ୍‌ରେ ଫ୍ରାନ୍ସକୁ ପରାସ୍ତ କରିଥିଲା। ଶୁକ୍ରବାରର ପ୍ରଥମ ମ୍ୟାଚ୍ ଭଳି ଏହି ମ୍ୟାଚ୍ ମଧ୍ୟ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଥିଲା। ଗୋଲ୍ ଦେବା ଦକ୍ଷତାରେ ନ୍ୟୁଜିଲାଣ୍ଡ୍ ଆଗୁଆ ରହିବାରୁ ସମ୍ପୂର୍ଣ୍ଣ ୩ ପଏଣ୍ଟ ପକେଟସ୍ଥ କରି ନେଇଥିଲା। ଏଥିସହିତ ଚଳିତ ବିଶ୍ବକପ୍‌ର ପ୍ରଥମ ୪ ମ୍ୟାଚ୍‌ରୁ ଫଳାଫଳ ବାହାରିଥିଲା। ବିଶ୍ବକପ୍‌ର ପ୍ରଥମ ଦିନରେ ହକି ପ୍ରଶଂସକମାନେ ୮ ଗୋଲ୍ ଦେଖିଥିଲେ। ଦ୍ବିତୀୟରେ ମୋଟ ୧୦ ଗୋଲର ମଜା ନେଇଥିଲେ।

ସମ୍ବନ୍ଧିତ ଖବର