ଭୁବନେଶ୍ବର: ବିଶ୍ବକପ୍ ରେକର୍ଡ ସହ ନେଦରଲାଣ୍ଡ୍‌ସ ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ୍‌ରେ ସିଧାସଳଖ କ୍ବାର୍ଟରଫାଇନାଲ୍‌ ସ୍ଥାନ ପକ୍କା କରିଛି। ଗୁରୁବାର ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍‌-ସି’ର ଦ୍ବିତୀୟ ମ୍ୟାଚ୍‌ରେ ଏହି ଦଳ ୧୪-୦ ଗୋଲ୍‌ରେ ‌ଚିଲିକୁ ପରାସ୍ତ କରିଥିଲା। ଏହା ବିଶ୍ବକପ୍‌ ଇତିହାସରେ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଗୋଲ୍‌ ବ୍ୟବଧାନ ବିଜୟ। ପୂର୍ବରୁ ଏହି କୀର୍ତ୍ତିମାନ ଅଷ୍ଟ୍ରେଲିଆ ନାମରେ ଥିଲା। ୨୦୧୦ ବିଶ୍ବକପ୍‌ରେ ଅଷ୍ଟ୍ରେଲିଆ ୧୨-୦ ‌ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। କଳିଙ୍ଗରେ ପୁରୁଷ ବିଶ୍ବକପ୍‌ରେ ସର୍ବାଧିକ ବିଜୟ ବ୍ୟବଧାନ ମଧ୍ୟ ଅଷ୍ଟ୍ରେଲିଆ ନାମରେ ଥିଲା। ଗତ ସଂସ୍କରଣରେ ଅଷ୍ଟ୍ରେଲିଆ ୧୧-୦ରେ ଚୀନ୍‌କୁ ହରାଇ ଏହି କୀର୍ତ୍ତିମାନ ରଚିଥିଲା। ଏହି ଦୁଇଟି ଯାକ କୀର୍ତ୍ତିମାନ ନେଦରଲାଣ୍ଡ୍ସ ଗୁରୁବାର ଭାଙ୍ଗିଛି। ଏଥିସହ ନେଦରଲାଣ୍ଡସ ୩ରୁ ୩ ମ୍ୟାଚ୍‌ ଜିତି ୯ ପଏଣ୍ଟ୍‌ ସହ ପୁଲ୍‌-ସି’ରେ ଶୀର୍ଷ ସ୍ଥାନ ଦଖଲ କରିନେଇଛି। ଏହି ବଡ଼ ବ୍ୟବଧାନରେ ପରାଜୟ ପରେ ପଦାର୍ପଣକାରୀ ଚିଲି ନକ୍‌ଆଉଟ୍‌ ‌ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ହୋଇଛି। ଏହିି ପୁଲ୍‌ର ଅନ୍ୟ ଦୁଇ ଦଳ ମାଲେସିଆ (୬ ପଏଣ୍ଟ) ଓ ନ୍ୟୁଜିଲାଣ୍ଡ (୩ ପଏଣ୍ଟ) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି କ୍ରସ୍‌ ଓଭର ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

Advertisment

୦-୧୪ରେ ହାରି ଚିଲି ବିଦା

ବିଜେତା ନେଦରଲାଣ୍ଡ୍ସ ଗୁରୁବାର ଚିଲି ଉପରେ ପୂରା ଅଧିପତ୍ୟ ବିସ୍ତାର କରି ଖେଳିଥିଲା। ଷଷ୍ଠ ମିନିଟ୍‌ରେ ହିଁ ଏହି ଦଳ ପିସି ଜରିଆରେ ଗୋଲ୍‌ ଅଭିଯାନ ଆରମ୍ଭ କରିଥିଲା। ଏହି ଗୋଲ୍‌ଟି ଜିପ୍‌ ଜାନସେନ୍‌ ଦେଇଥିଲେ। ପ୍ରଥମ କ୍ବାର୍ଟର ୧-୦ରେ ଅଗ୍ରଣୀ ନେବା ପରେ ଦ୍ବିତୀୟରେ ୪, ତୃତୀୟରେ ୬ ଏବଂ ଚତୁର୍ଥରେ ୩ ଗୋଲ୍‌ ଲଦି ଦେଇଥିଲା ନେଦରଲାଣ୍ଡ୍ସ। ଏହି ୧୪ ଗୋଲ୍‌ରେ ରହିଥିଲା ୮ ଫିଲ୍ଡ ଓ ୬ ପିସି ଗୋଲ୍‌। ଜାନସନ୍‌ (୬, ୨୯, ୩୪, ୪୪ ମିନିଟ୍‌) ୪ଟି, ଅଧିନାୟକ ଥିଏରି ବ୍ରିଙ୍କମାନ (୨୫, ୩୩, ୫୮ ମିନିଟ୍‌) ୩ଟି, କୋଏନ ବିଜେନ (୪୦, ୪୫ ମିନିଟ୍‌) ଦୁଇଟି ଏବଂ ଡର୍କ ଡି' ଭିଲ୍‌ଡର (୨୨ ମିନିଟ୍‌), ଥିସ ଭାନ୍‌ ଡାନ (୨୯ ମିନିଟ୍‌), ତେରାନ୍ସ ପିଟର୍ସ (୪୦ ମିନିଟ୍‌), ଜଷ୍ଟେନ ବ୍ଲକ୍‌ (୪୨ ମିନିଟ୍‌) ଓ ଟ୍ୟୁନ ବିନ୍ସ (୪୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ନ୍ୟୁଜିଲାଣ୍ଡକୁ ହରାଇଲା ମାଲେସିଆ

publive-image

ଗୁରୁବାରର ପ୍ରଥମ ମ୍ୟାଚ୍‌ରେ ମାଲେସିଆ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ହରାଇ ପୁଲ୍‌-ସି’ରେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲା। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମ ପେନାଲ୍‌ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସଫଳ ହୋଇନଥିଲା। ସପ୍ତମ ମିନିଟ୍‌ରେ ମାଲେସିଆ ‌ପିସି ପାଇଥିଲେ ମଧ୍ୟ ଗୋଲ୍‌ ଦେଇପାରିନଥିଲା। ହେଲେ ଏହା ପର ମିନିଟ୍‌ରେ ଫୈଜଲ ସାରି (୮ ମିନିଟ୍‌) ଫିଲ୍ଡ ଗୋଲ୍‌ ଦେଇ ଦଳକୁ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟରରେ ମା‌ଲେସିଆ ୨ ଏବଂ ତୃତୀୟ କ୍ବାର୍ଟରରେ ୩ ‌ପିସି ପାଇଥିଲା ବେଳେ ଗୋଟିଏ ସଫଳତା ପାଇଥିଲା। ୪୨ତମ ମିନିଟ୍‌ରେ ମିଳିଥିବା ବ୍ୟାକ୍‌ ଟୁ ‌ବ୍ୟାକ୍‌ ପିସିରୁ ରାଜି ରହିମ ଗୋଲ୍‌ କରି ମାଲେସିଆକୁ ୨-୦ରେ ଆଗୁଆ କରିଥିଲେ। ୪୯ତମ ମିନିଟ୍‌ରେ ଅମିରୁଲ ଆଝାର ହଳଦିଆ କାର୍ଡ ପାଇ ବାହାରକୁ ଚାଲି ଯିବାରୁ ମାଲେସିଆ ୧୦ ଜଣଙ୍କୁ ନେଇ ଖେଳିଥିଲା। ଏହାର ଫାଇଦା ଉଠାଇ ନ୍ୟୁଜିଲାଣ୍ଡ ଦୁଇଟି ଯାକ ଗୋଲ୍‌ ଶୁଝି ସ୍ଥିତି ବରାବର କରିଥିଲା। ହେଡେନ ଫିଲିପ୍ସ (୫୧ ମିନିଟ୍‌) ଫିଲ୍ଡ ଏବଂ ସାମ ଲାନ୍‌ (୫୨ ମିନିଟ୍‌) ପିସି ଜରିଆରେ ଏହି ଦୁଇ ଗୋଲ୍‌ ଦେଇଥିଲେ। ତେବେ ୫୬ତମ ମିନିଟ୍‌ରେ ଫୈଜଲ ଫିଲ୍ଡ ଗୋଲ୍‌ ଦେଇ ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇବା ସହ ଦଳକୁ ୩-୨ରେ ବିଜୟ ଭେଟି ଦେଇଥିଲେ।

ଲାନ୍‌ ଦେଲେ ବିଶ୍ବକପ୍‌ର ୨୫୦୦ତମ ‌ଗୋଲ୍‌

ମାଲେସିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ପୁରୁଷ ବିଶ୍ବକପ୍‌ର ୨୫୦୦ତମ ଗୋଲ୍‌ ହୋଇଛି। ୫୧ତମ ମିନିଟ୍‌ରେ ନ୍ୟୁଜିଲାଣ୍ଡର ସାମ ଲାନ୍‌ ଦେଇଥିବା ପେନାଲ୍ଟି କର୍ଣ୍ଣର ଗୋଲ୍‌ଟି ଏହି କୀର୍ତ୍ତିମାନ ବହନ କରିଥି‌ଲା। ଏହି‌ ଗୋଲ୍‌ ବଳରେ ନ୍ୟୁଜିଲାଣ୍ଡ ମ୍ୟାଚ୍‌କୁ ୨-୨ ସ୍ତରକୁ ଅଣିଥିଲା। ହେଲେ ବିଶ୍ବକପ୍‌ ୨୫୦୧ତମ ଗୋଲ୍‌ ସାରି ଫଜଲ ଦେଇ ମାଲେସିଆକୁ ବିଜୟ ଦେଇଥିଲେ।