ଭୁବନେଶ୍ବର: ଆଉ ଠିକ୍ ୫୦ ଦିନ ପରେ ଓଡ଼ିଶା ସାରା ବିଶ୍ବରେ ହେବ ଚର୍ଚିତ। ଓଡ଼ିଶା କ୍ରୀଡ଼ା ଇତିହାସରେ ବି ଯୋଡ଼ି ହୋଇଯିବ ନୂଆ ଆଧ୍ୟାୟ। ହକି ପାଇଁ ଓଡ଼ିଶା ଅନେକ ପରିଚିତି ପାଇଥିଲେ ବି ବିଶ୍ବର ଶ୍ରେଷ୍ଠ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି ଓଡ଼ିଶା ମାଟିରେ ପ୍ରଥମ ଥର ଏବଂ ଦେଶରେ ତୃତୀୟ ଥର। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଭୁବନେଶ୍ବରର ବିଜୁ ପଟ୍ଟନାୟକ ହକି କମ୍ପ୍ଲେକ୍ସରେ ଖେଳାଯିବାକୁ ଥିବା ହକି ବିଶ୍ବକପ୍କୁ ‘ଓଡ଼ିଶା ପୁରୁଷ ହକି ବିଶ୍ବକପ୍-୨୦୧୮’ ଶିରୋନାମା ଦିଆଯାଇଛି। ଭାରତ ସହିତ େମାଟ ୧୬ ଦେଶ ଏହି ୧୯ ଦିନିଆ ଲଢ଼େଇରେ ହକିର ହଙ୍ଗାମା କରିବେ କଳିଙ୍ଗଭୂଇଁରେ। ପୂର୍ବରୁ ଭାରତରେ ଏହି ପ୍ରତିଯୋଗିତା ମାତ୍ର ୨ ଥର ୧୯୮୨ରେ ବେମ୍ବରେ ଏବଂ ୨୦୧୦ରେ ନୂଆଦିଲ୍ଲୀରେ ଖେଳାଯାଇଥିଲା। ଫିଲଡ ହକିର ସବୁଠୁ ମର୍ଯ୍ୟଦାଜନକ ଏବଂ ପ୍ରତିଦ୍ବନ୍ଦ୍ବୀତାପୂର୍ଣ୍ଣ ପ୍ରତିଯୋଗିତା ଭାବେ ନୂଆ କିମ୍ବଦନ୍ତୀଙ୍କ ଗଢ଼ି ତୋଳିବାରେ ବିଶ୍ବକପ୍ ସ୍ବତନ୍ତ୍ର ସ୍ଥାନ ଦାବି କରିଥାଏ। ଭୁବନେଶ୍ବର ସଂସ୍କରଣ ହେବ ହକି ବିଶ୍ବକପ୍ର ୧୪ତମ ସଂସ୍କରଣ। ୪୮ ବର୍ଷର ଇତିହାସରେ ଭାରତ ମାତ୍ର ଥରେ ବିଜେତା ହୋଇଛି ସତ କିନ୍ତୁ ଅଲିମ୍ପିକ୍ସରେ ସବୁଠୁ ସଫଳତମ ଦେଶ ଭାବେ ୮ ଥର ସ୍ବର୍ଣ୍ଣ ଜିତି କୀର୍ତିମାନକୁ ନିଜ ନାମରେ ଦଶନ୍ଧି ଦଶନ୍ଧି ଧରି ଅତୁଟ ରଖିଛି। ବିଶ୍ବକପ୍ରେ କିନ୍ତୁ ପଡ଼ୋଶୀ ପାକିସ୍ତାନ ସର୍ବାଧିକ ୪ ଥର ବିଜେତା ହୋଇ ଶୀର୍ଷରେ ରହିଛି। ଭାରତ ୧୯୭୫ କୁଆଲାଲମ୍ପୁରରେ ତୃତୀୟ ସଂସ୍କରଣ ଫାଇନାଲ୍ରେ ପାକିସ୍ତାନକୁ ୨-୧ ଗୋଲ୍ରେ ହରାଇ ବିଜେତା ହୋଇଥିଲା। ଏହା ପରଠାରୁ ଭାରତ କେବେ ଫାଇନାଲରେ ପହଞ୍ଚି ପାରିନାହିଁ। ଭାରତ ଓ ପାକିସ୍ତାନକୁ ମିଶାଇ ଏସିଆ ମଧ୍ୟ ବିଶ୍ବକପ୍ ଇତିହାସରେ ଯୁଗ୍ମ ସର୍ବାଧିକ ୫ ଥର ବିଜେତା ହେବାର ଗୌରବ ରଖିଛନ୍ତି। ୟୁରୋପ ପାଇଁ ନେଦରଲାଣ୍ଡ୍ (୩) ଓ ଜର୍ମାନି (୨) ମଧ୍ୟ ସମାନ ସଫଳତା ପାଇଛନ୍ତି। ଦ୍ବିତୀୟ ସର୍ବାଧିକ ୩ ଥର ବିଶ୍ବକପ୍ ଜିତିଛି ଅଷ୍ଟ୍ରେଲିଆ ଯାହାକି ଓସେନିଆ ପାଇଁ ଏକମାତ୍ର ଦେଶର ଗୌରବ ବହନ କରିଛି। ଏହି ୩ ମହାଦେଶ ବାହାର କୌଣସି ଦେଶ ହକି ବିଶ୍ବକପ୍ ହାସଲ କରିପାରି ନାହାନ୍ତି। ଆମେରିକାକୁ ଆର୍ଜେଣ୍ଟିନା ଥରେ ମାତ୍ର ତୃତୀୟ ସ୍ଥାନ (୨୦୧୪) ଏବଂ ଆଫ୍ରିକାରୁ କେନିଆ ଥରେ ମାତ୍ର ଚତୁର୍ଥ ସ୍ଥାନ (୧୯୭୧) ପାଇବା ସେହି ଦୁଇ ମହାଦେଶ ପାଇଁ ସର୍ବୋଚ୍ଚ ସଫଳତା ହୋଇ ରହିଛି। ୧୯୭୧ ମସିହାରୁ ହକି ବିଶ୍ବକପ୍ ଆରମ୍ଭ ହୋଇଥିଲେ ମଧ୍ୟ ମହିଳାଙ୍କ ବିଶ୍ବକପ୍ ୩ ବର୍ଷ ପରେ ୧୯୭୪ ମସିହାରୁ ଆରମ୍ଭ ହୋଇଥିଲା। ଅଲିମ୍ପିକ୍ସ ଭଳି ପ୍ରତି ୪ ବର୍ଷରେ ଏହା ଆୟୋଜିତ ହୋଇଥାଏ। ଶେଷ ଥର ପାଇଁ ଏହା ନେଦରଲାଣ୍ଡ୍ରେ ୨୦୧୪ ମସିହାରେ ଆୟୋଜିତ ହୋଇଥିଲା। ହଗ୍ ଫାଇନାଲ୍ରେ ଅଷ୍ଟ୍ରେଲିଆ ୬-୧ରେ ଏକତରଫାଭାବେ ଆୟୋଜକ ନେଦରଲାଣ୍ଡକୁ ହରାଇ ଲଗାତାର ଦ୍ବିତୀୟ ଥର ତଥା ମୋଟ ଉପରେ ତୃତୀୟ ଥର ଟ୍ରଫି ହାତେଇଥିଲା। ଭାରତ ଥରେ ଲେଖାଏଁ ସ୍ବର୍ଣ୍ଣ (୧୯୭୫), ରୌପ୍ୟ (୧୯୭୩) ଏବଂ କାଂସ୍ୟ (୧୯୭୧) ଜିତିବାର ସୌଭାଗ୍ୟ ପାଇଛି।
ଷ୍ଟାଡିୟମ୍ ଉନ୍ମୋଚନ ବୁଧବାର
ଭୁବନେଶ୍ବର ହକି ବିଶ୍ବକପ୍ ପାଇଁ ଅନ୍ତର୍ଜାତୀୟ ହକି ସଂଘ (ଏଫଆଇଏଚ୍) ଏବଂ ହକି ଇଣ୍ଡିଆ (ଏଚ୍ଆଇ) ତୁଳନାରେ ଆୟୋଜକ ଓଡ଼ିଶା ସରକାର ଦେଶ ବିଦେଶରେ ପ୍ରଚାର ଓ ପ୍ରସାରେର କୌଣସି କୋହଳ କରିନାହାନ୍ତି। ହକି ପାଇଁ ହୃଦ୍ସ୍ପନ୍ଦନ ଭଳି କାର୍ଯ୍ୟକ୍ରମ ଜରିଆରେ ପ୍ରଶଂସକଙ୍କୁ ଯୋଡ଼ିବାର ଅଭିଯାନ ଆରମ୍ଭ ହୋଇଛି। ଅକ୍ଟୋବର ୧୦ ତାରିଖରେ ନୂଆ ଷ୍ଟାଡିୟମ୍ ଉଦ୍ଘାଟିତ ହେବାକୁ ଯାଉଛି। ସେଦିନ ଦେଶର ଦୁଇ ମହାନ ଖେଳାଳି ଦିଲ୍ଲୀପ ତିର୍କି ବନାମ ଧନରାଜ ପିଲ୍ଲେ ଏକାଦଶଙ୍କ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ମଧ୍ୟ ଅନୁଷ୍ଠିତ ହେବ। ସେହିଭଳି ନଭେମ୍ବର ୨୭ ତାରିଖରେ କଳିଙ୍ଗ ମୁଖ୍ୟ ଷ୍ଟାଡିୟମ୍ରେ ହବି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବରେ ଓସ୍କାର ବିଜେତା ଏଆର ରେହମାନ ଓ ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ସହ ସାହାରୁଖ ଖାନ, ଅକ୍ଷୟ କୁମାରଙ୍କ ଭଳି ଅଧାଡ଼ଜନେ ବଲିଉଡ୍ ତାରକା ମୁଖ୍ୟ ଆକର୍ଷଣ ହେବେ ବୋଲି ସୂଚନା ଦିଆଯାଇଛି।