ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ ହକି ବିଶ୍ୱକପ ପାଇଁ ପ୍ରସ୍ତୁତ ହୋଇସାରିଲାଣି। ହକି ବିଶ୍ୱକପକୁ ସଫଳ କରିବାକୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟ ସରକାର। ନଭେମ୍ବର ୨୮ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ଦେଶ ତଥା ବିଦେଶରେ ପହଞ୍ଚାଇବା ପାଇଁ ଜୋରଦାର ଯୋଜନା ଚାଲିଛି। ଏହାର ପ୍ରମୋସନ୍‌ ପାଇଁ ମଧ୍ୟ ରାଜ୍ୟ ସରାକର ବେଶ୍‌ ତତ୍ପର। ଆଉ ଏସବୁ ଭିତରେ ହକି ବିଶ୍ୱକପ ପୂର୍ବରୁ ଏସିଆର ସବୁଠୁ ବଡ ତଥା ପ୍ରତିଷ୍ଠିତ ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟର ଆୟୋଜନ ହେବାକୁ ଯାଉଛି। ନଭେମ୍ବର ୨ ଓ ୩ରେ ହେବାକୁ ଥିବା ଏହି ମହୋତ୍ସବର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାର ମୁଖ୍ୟ ଲକ୍ଷ୍ୟ ରହିବ ଭୁବନେଶ୍ୱରରେ କ୍ରୀଡାର ମାହୋଲ ସୃଷ୍ଟି କରିବା। ସ୍ପୋର୍ଟ୍‌ସ କ୍ୟାପିଟାଲ ଭୁବନେଶ୍ୱରରେ ହେବାକୁ ଥିବା ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟରେ ଜାତୀୟ ଓ ଅର୍ନ୍ତଜାତୀୟ ଖେଳାଳି, ବିଶିଷ୍ଟ ପତ୍ରକାର, କୋଚ ଓ ଲେଖକ ମାନେ ସାମିଲ ହେବେ ବୋଲି ଜଣାପଡିଛି। ଯେଉଁଥିରେ ଆଥଲେଟଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମଧ୍ୟ ରହିଛନ୍ତି।

Advertisment

ଏହି ଏକାମ୍ର ଖେଳ ସାହିତ୍ୟ ଉତ୍ସବର ଉଦଘାଟନୀ ଦିବସରେ କାନାଡାର ପୂର୍ବତନ ଧାବକ ବେନ ଜନସନଙ୍କ ଠାରୁ ଆରମ୍ଭ କରି କ୍ରିକେଟର ମହମ୍ମଦ କୈଫ, ଅଲମ୍ପିକ ପଦକ ବିଜେତା ଯୋଗେଶ୍ୱର ଦତ୍ତଙ୍କ ଭଳି ଅର୍ନ୍ତଜାତୀୟ ଷ୍ଟାରଙ୍କୁ ଗୋଟିଏ ଛାତତଳେ ଦେଖିବାକୁ ମିଳିବ। ଯେଉଁଠାରେ ଏହି ଖେଳାଳି ମାନେ ନିଜର ସଂଘର୍ଷପୂର୍ଣ୍ଣ କ୍ୟାରିୟରର ଅଭିଜ୍ଞତା ବଖାଣିବେ। ଯାହା ଯୁବ କ୍ରୀଡାବିତ ମାନଙ୍କୁ କ୍ରୀଡା କ୍ଷେତ୍ରରେ କ୍ୟାରିୟର କରିବାକୁ ଉତ୍ସାହିତ କରିବ। ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟର ଆୟୋଜନ ନେଇ ନବୀନ ନିଜର ଖୁସି ଜାହିର କରିଛନ୍ତି। ହକି ବିଶ୍ୱକପ ପୂର୍ବରୁଏହି ପଦକ୍ଷେପ କ୍ରୀଡା ସହ ଓଡିଶାର କଳା ଓ ସଂସ୍କୃତିକୁ ମଧ୍ୟ ଏକ ନୂଆ ଶିଖରରେ ପହଞ୍ଚାଇବ। ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟରେ ସାମିଲ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କୁ ସ୍ୱାଗତ କରିବାକୁ ଭୁବନେଶ୍ୱର ଅପେକ୍ଷା କରି ରହିଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ। ସେହିଭଳି ଏକାମ୍ର ସ୍ପୋର୍ଟ୍‌ସ ଲିଟେରାରି ଫେଷ୍ଟ ୨୦୧୮ ଓଡ଼ିଶା ସମେତ ଦେଶରେ ଏକ ଇତିହାସ ସୃଷ୍ଟି କରିବ ବୋଲି କହିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଦେଶ ଓ ବିଦେଶର ଖେଳାଳୀଙ୍କ ସମେତ ସାଧାରଣ ଲୋକ ମଧ୍ୟ ବେଶ ପ୍ରଂଶସା କରିଛନ୍ତି।