ରୋଷେଇ କରି ଖାଇବେ ଇଂଲଣ୍ଡ ଖେଳାଳି

ଭୁବନେଶ୍ବର: ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡର ହକି ଟିମ୍‌ ରାଜଧାନୀରେ ପଦାର୍ପଣ କରିବ। ସେମାନଙ୍କ ରହିବା ପାଇଁ ହୋଟେଲ୍‌ ମ‌େ’ ଫେୟାର ଲାଗୁନ୍‌ରେ ସମସ୍ତ ବ୍ୟବସ୍ଥା ହୋଇସାରିଛି। ରାତି ପ୍ରାୟ ୧ଟାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟରେ ସେମାନଙ୍କୁ ହୋଟେଲ୍‌ରେ ଛଡ଼ାଯିବ। ସବୁଠୁ ବଡ଼କଥା ହେଲା, ଏଥର ଖେଳାଳିମାନେ ଆଉ ହୋଟେଲ୍‌ ଖାଦ୍ୟ ଖାଇବେ ନାହିଁ। ଏନେଇ ଇଂଲଣ୍ଡ ଟିମ୍‌ ସିଧାସିଧା ହକି ଇଣ୍ଡିଆକୁ ଜଣାଇଛି। ଖାଇବା ପାଇଁ ସେମାନେ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ନିଜେ ରାନ୍ଧି ଖାଇବେ ବୋଲି ଜଣାଇଛନ୍ତି। ଏଥିପାଇଁ ସାଙ୍ଗରେ ରୋଷେଇଆମାନଙ୍କ ଏକ ଦଳ ମଧ୍ୟ ଆଣିଛନ୍ତି। ନିଜ ଦେଶର ଖାଦ୍ୟ ପ୍ରସ୍ତୁତ ପ୍ରଣାଳୀରେ ରୋଷେଇ ହେବ। ତେଣୁ ହୋଟେଲ୍‌ ବାହାରେ ଏକ ସ୍ବତନ୍ତ୍ର ଘର ଦେବାକୁ ଜଣାଇଥିଲେ। ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ଉଲ୍ଲେଖ କରିଥିଲେ। କାରଣ ପୂର୍ବବର୍ଷ ଇଂଲଣ୍ଡ ଖେଳାଳିଙ୍କୁ ଯେଉଁ ଖାଦ୍ୟ ଦିଆଯାଇଥିଲା, ତାହା ସେମାନଙ୍କ ପାରମ୍ପରିକ ଖାଦ୍ୟ ସହ ମେଳ ଖାଇନଥିଲା। ଯେଉଁଥିପାଇଁ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେଣୁ ମନ ମୁତାବକ ଖାଦ୍ୟ ପାଇଁ ସେମାନେ ନିଜେ ରୋଷେଇ କରି ଖାଇବେ ବୋଲି ସ୍ଥିର କରିଛନ୍ତି। ସୈନିକ ସ୍କୁଲ୍‌ ନିକଟରେ ଏକ ୧୫ଶହ ସ୍କୋୟାର ଫୁଟ୍‌ର ଘର ଯୋଗାଇ ଦିଆଯିବ। ସେଠାରେ ଖେଳାଳିମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯିବ। ସେଠାରେ ସେମାନେ ପ୍ରାତଃଭୋଜନ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ କରିବେ। ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ୍‌ ମହାନ୍ତି କହିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଖେଳାଳିଙ୍କୁ ହୋଟେଲ୍‌ରୁ ନେବା ଆଣିବା କରାଯିବ। ସେଠାରେ ଅସ୍ଥାୟୀ ପୁଲିସ କ୍ୟାମ୍ପ ମଧ୍ୟ କରାଯିବ ବୋଲି କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି।

ଛେନାପୋଡ଼ କିଣିଲା ଚୀନ୍‌ ମନ

ଭୁବନେଶ୍ବର: ହକି ବିଶ୍ବକପ୍‌ ପାଇଁ ଚୀନ୍‌ର ଖେଳାଳିମାନେ ଓଡ଼ିଶା ଖାଦ୍ୟର ମଜା ନେଇଛନ୍ତି। ସ୍ୟାଣ୍ଡି ଟାୱାରରେ ରହୁଥିବା ଚୀନ୍‌ ଖେଳାଳିମାନେ ଛେନାପୋଡ଼ ଖାଇବା ପରେ ତାହାର ଖୁବ୍‌ ପ୍ରଶଂସା କରିଛନ୍ତି। ଖାଲି ଛେନାପୋଡ଼ ନୁହେଁ, ବରଂ ଅନ୍ୟ ଓଡ଼ିଆ ଖାଦ୍ୟର ବି ଖେଳାଳିମାନେ ଭରପୂର ମଜା ଉଠାଇଛନ୍ତି। ନିଜ ଦେଶର ଚାଇନିଜ୍‌ ଖାଦ୍ୟର ସ୍ବାଦିଷ୍ଟ ବ୍ୟଞ୍ଜନ ସହ କେତେକ ଖେଳାଳି ଭାରତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରିଥିଲେ ବୋଲି ହୋଟେଲ୍‌ କର୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ଅବସରରେ ସେମାନଙ୍କ ରହିବା ଓ ଖାଇବା ସହ ଖେଳାଳିଙ୍କ ପାଇଁ ଅତ୍ୟାଧୁନିକ ଜିମ୍‌ର ବନ୍ଦୋବସ୍ତ କରାଯାଇଛି।

ସମ୍ବନ୍ଧିତ ଖବର