ଭୁବନେଶ୍ବର: ବିଶ୍ବର ଏକ ନମ୍ବର ହକି ଦଳ ଅଷ୍ଟ୍ରେଲିଆ ଚତୁର୍ଥ ବିଶ୍ବକପ୍ ହାତେଇବା ଲାଗି ଆଉ ଗୋଟିଏ ପାଦ ଆଗକୁ ବଢ଼ିଛି। ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ପ୍ରତିଯୋଗିତାରେ କୁକାବୁରା ଭାବେ ପରିଚିତ ଅଷ୍ଟ୍ରେଲିଆ ସେମିଫାଇନାଲ୍ରେ ପ୍ରବେଶ କରି ଏହି ଆଶା ସଞ୍ଚାର କରିଛି। ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ କ୍ବାର୍ଟରଫାଇନାଲ୍ରେ ଗ୍ରୁପ୍-ଏ’ର ବିଜେତା ଅଷ୍ଟ୍ରେଲିଆ ୪-୩ ଗୋଲ୍ରେ ସ୍ପେନ୍କୁ ମାତ୍ ଦେଇଥିଲା। ହେଲେ ଅଷ୍ଟ୍ରେଲିଆକୁ ସହଜରେ ବାଟ ନ ଛାଡ଼ି ସ୍ପେନ୍ ଦର୍ଶକଙ୍କ ମନ ଜିଣିଥିଲା।
ଗ୍ରୁପ୍ ପର୍ଯ୍ୟାୟରେ ସେଭଳି ଉଚ୍ଚକୋଟୀର ପ୍ରଦର୍ଶନ କରିନଥିବା ସ୍ପେନ୍ ମଙ୍ଗଳବାର ଚମତ୍କାର ଖେଳିଥିଲା। ଆରମ୍ଭରୁ ଏହି ଦଳ ଅଷ୍ଟ୍ରେଲିଆକୁ ଚାପରେ ରଖିବାକୁ ସକ୍ଷମ ହୋଇଥିଲା। ପ୍ରଥମ କ୍ବାର୍ଟରରେ ୩ଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ କୁକାବୁରା ଦଳ ଗୋଲ୍ ଦେଇପାରିନଥିଲା। ପ୍ରଥମ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା। କିନ୍ତୁ ଦ୍ବିତୀୟ କ୍ବାର୍ଟରରେ ୩ଟି ଫିଲ୍ଡ ଗୋଲ୍ ଦେଖିବାକୁ ମିଳିଥିଲା। ୨୦ତମ ମିନିଟ୍ରେ ଜାଭିୟର ଗିସ୍ପର୍ଟଙ୍କ ଗୋଲ୍ରେ ସ୍ପେନ୍ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ ମାର୍କ ରେକାସେନ୍ସ (୨୪ ମିନିଟ୍)ଙ୍କ ଗୋଲ୍ ସ୍ପେନ୍ର ସ୍ଥିତିକୁ ୨-୦ କରିଥିଲା। କିନ୍ତୁ ଏହି କ୍ବାର୍ଟର ଶେଷ ହେବାକୁ ଆଉ ମାତ୍ର ୫ ସେକେଣ୍ଡ ଥିଲା ବେଳେ ଅଷ୍ଟ୍ରେଲିଆର ମାଟ ଡସନ୍ଙ୍କ ପାସ୍କୁ ଗୋଲ୍ରେ ପରିଣତ କରି ଫ୍ଲାଏନ୍ ଓଗିଲିଭ୍ ସ୍ଥିତି ୧-୨ କରିଥିଲେ। ତୃତୀୟ କ୍ବାର୍ଟରରେ ଅଷ୍ଟ୍ରେଲିଆ ପ୍ରତ୍ୟାବର୍ତ୍ତନ କରି ୩ ଗୋଲ୍ ଲଦି ଆଗୁଆ ହୋଇଯାଇଥିଲା।
ଅର୍ଥାତ୍ ୭ ମିନିଟ୍ ମଧ୍ୟରେ ଏହି ଦଳ ୪ ଗୋଲ୍ ଦେଇ ଚମତ୍କାର ପ୍ରତ୍ୟାବର୍ତନ କରିଥିଲା। ଅଧିନାୟକ ଆରନ ଜାଲେୱସ୍କି (୩୨ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ରେ ମ୍ୟାଚ୍ ବରାବରକୁ ଆଣିଥିଲା ଅଷ୍ଟ୍ରେଲିଆ। ଏହାପରେ ଦୁଇଟି ପେନାଲ୍ଟି କର୍ଣ୍ଣରରୁ ଜେରେମି ହେୱାର୍ଡ (୩୩, ୩୭ ମିନିଟ୍) ଦୁଇଟି ଗୋଲ୍ ଦେଇ ଯୁଗଳ ସଫଳତା ପାଇବା ସହ ଅଷ୍ଟ୍ରେଲିଅ ଦଳକୁ ୪-୨ରେ ଆଗୁଆ କରିଥିଲେ। ୪୧ତମ ମିନିଟ୍ରେ ସ୍ପେନ୍ ଅଧିନାୟକ ମାର୍କ ମିରାଲେସ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ମ୍ୟାଚ୍ ୩-୪କୁ ଆଣିଥିଲେ। ୫୫ ମିନିଟ୍ରେ ସ୍ପେନ୍ ଏକ ପେନାଲ୍ଟି ଷ୍ଟ୍ରୋକ୍ ପାଇଥିଲେ ମଧ୍ୟ ଗୋଲ୍ ଦେଇନପାରି ପରାଜୟ ମୁହଁ ଦେଖିଥିଲା ଏହି ଦଳ। ଏହି ପେନାଲ୍ଟି ଷ୍ଟ୍ରୋକ୍କୁ ରକ୍ଷା କରି ଦଳକୁ ବିଜୟ ଭେଟି ଦେଇଥିବା ଅଷ୍ଟ୍ରେଲିଆ ଗୋଲ୍ ରକ୍ଷକ ଆଣ୍ଡ୍ରୁ ଚାର୍ଟର ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବିଏମ୍ସି କମିସନର ବିଜୟ ଅମୃତ କୁଲାଙ୍ଗେ ଏହି ପୁରସ୍କାର ପ୍ରଦାନ କରିଥିଲେ। ମ୍ୟାଚ୍ ଆରମ୍ଭରୁ ଉଭୟ ଦଳର ଜାତୀୟ ସଙ୍ଗୀତ ଗାନ ବେଳେ ଅତିଥି ଭାବେ କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉପସ୍ଥିତ ରହିଥିଲେ।
ନ୍ୟୁଜିଲାଣ୍ଡ ୦-୨ରେ ହାରିଲା
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ କ୍ବାର୍ଟରଫାଇନାଲ୍ରେ ବିଜେତା ବେଲ୍ଜିୟମ ୨-୦ ଗୋଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଦ୍ବିତୀୟ ଦଳ ଭାବେ ଚଳିତ ହକି ବିଶ୍ବକପ୍ର ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ବିଶ୍ବର ଏହି ଦୁଇ ନମ୍ବର ଦଳ ଆରମ୍ଭରୁ ଧିମା ଖେଳିଥିଲେ ମଧ୍ୟ ଭାରତକୁ ହରାଇ କ୍ବାର୍ଟରଫାଇନାଲ୍କୁ ଆସିଥିବା ନ୍ୟୁଜିଲାଣ୍ଡକୁ କୌଣସି ସୁଯୋଗ ଦେଇନଥିଲା। ଏହି ବିଜୟ ସହ ବେଲ୍ଜିୟମ ଲଗାତାର ଦ୍ବିତୀୟ ବିଶ୍ବକପ୍ ବିଜୟ ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛି।
ପ୍ରଥମ କ୍ବାର୍ଟରରେ ବେଲ୍ଜିୟମକୁୁ ମିଳିଥିବା ଏକମାତ୍ର ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଟମ୍ ବୁନ୍ ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଦ୍ବିତୀୟ କ୍ବାର୍ଟର ଆରମ୍ଭରୁ ସିମନ ଗୌଗନାର୍ଡଙ୍କ ପାସ୍କୁ ଭାନ୍ ଆଲ୍ଭର ଫ୍ଲୋରେଣ୍ଟ (୧୬ ମିନିଟ୍) ଗୋଲ୍ ଦେଇଥିଲେ। ଏହି ଗୋଲ୍ ବଳରେ ରେଡ୍ ଲାୟନ ଭାବେ ପରିଚିତ ବେଲ୍ଜିୟମ ପ୍ରଥମାର୍ଦ୍ଧକୁ ୨-୦ରେ ନିଜପକ୍ଷରେ ରଖିଥିଲା। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବେଲ୍ଜିୟମ ଆକ୍ରମଣାତ୍ମକ ଖେଳିଥିଲା। ହେଲେ ନ୍ୟୁଜିଲାଣ୍ଡର ରକ୍ଷଣଭାଗକୁ ଭେଦ କରିପାରିନଥିଲା। ୩୬ତମ ମିନିଟ୍ରେ ନିକ୍ ରସ୍ ଗ୍ରିନ୍ କାର୍ଡ ପାଇଥିଲା ବେଳେ ବେଲ୍ଜିୟମକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା।
ନ୍ୟୁଜିଲାଣ୍ଡ ୧୦ ଜଣଙ୍କୁ ନେଇ ଖେଳିଥିଲେ ମଧ୍ୟ ଏହାର ରକ୍ଷଣଭାଗର ଚମତ୍କାର ପ୍ରଦର୍ଶନ ଯୋଗୁଁ ବେଲ୍ଜିୟମ ଗୋଲ୍ ଦେଇପାରିନଥିଲା। ଚତୁର୍ଥ କ୍ବାର୍ଟରରେ ବେଲ୍ଜିୟମ ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍ରେ ରୁପାନ୍ତରିତ କରିବାରେ ବିଫଳ ହୋଇ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା। ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅଧିନାୟକ ଫେଲିକ୍ସ ଡେନାୟର ହୋଇଥିଲେ। ମ୍ୟାଚ୍ ପୂର୍ବରୁ ଗଜପତି ମହାରାଜା ଦିବ୍ୟସିଂହ ଦେବ ଅତିଥି ଭାବେ ଯୋଗ ଦେଇଥିଲେ।