ଭୁବନେଶ୍ବର (ସୁରେଶ ସ୍ବାଇଁ): ଓଡ଼ିଶା ହକି ବିଶ୍ବକପ୍ ଯେଉଁଭଳି ଢଙ୍ଗରେ ଏକାଧିକ ନୂଆ କୀର୍ତିମାନ ସହିତ ଭୁବନେଶ୍ବର ପଦାର୍ପଣ କରିଥିଲା, ସେଭଳି ବିଜୁଳି ପରିବେଶରେ ଶେଷରେଖା ଟାଣିଦେଇଗଲା। ବିଶ୍ବକପ୍ର ଅର୍ଧଶତାଦ୍ଦୀ ଇତିହାସରେ (୪୭ ବର୍ଷ) ନୂଆ ବିଜେତା ସୃଷ୍ଟି କରି ଐତିହାସିକ ସ୍ମୃତି ଛାଡ଼ିଗଲା। ଉତ୍କଣ୍ଠା, ରୋମାଞ୍ଚକ ମୁହୂର୍ତରେ ଭରା ଫାଇନାଲ୍ ମ୍ୟାଚ୍ ଗୋଲ୍ଶୂନ୍ୟ ଶେଷ ହୋଇଥିଲେ ମଧ୍ୟ ସଡନ୍ ଡେଥ୍ ବଳରେ ବେଲ୍ଜିୟମ୍ ୩-୨ (୦-୦) ଗୋଲ୍ରେ ୩ ଥର ବିଜେତା ନେଦରଲାଣ୍ଡକୁ ହରାଇ ବିଶ୍ବ ହକିର ଷଷ୍ଠ ଦେଶ ଭାବେ ବିଶ୍ବ ବିଜେତା ହୋଇଛି। ଏଥିସହିତ ୧୯ ଦିନିଆ ଚତୁର୍ଦଶ ବିଶ୍ବକପ୍ର ଚମତ୍କାର ପରିସମାପ୍ତି ଘଟିଛି। ହକି ବିଶ୍ବକପ୍ର ସ୍ବର୍ଣ୍ଣିମ ପୃଷ୍ଠାରେ ଓଡ଼ିଶା ସବୁଦିନ ପାଇଁ ଲିପିବଦ୍ଧ ହୋଇଯାଇଛି।
/sambad/media/post_attachments/wp-content/uploads/2018/12/page-one-2-300x244.jpg)
ରବିବାରର ୟୁରୋପୀୟ ପ୍ରତିଦ୍ବନ୍ଦ୍ବୀଙ୍କ ଫାଇନାଲ୍ ମ୍ୟାଚ୍ ହକିର ସବୁ ଖେଳ ଦେଖାଇଥିଲା ଏହାର ଅସଲ ପ୍ରଶଂସକଙ୍କୁ। ରଣକ୍ଷାତ୍ମକ, ଆକ୍ରମଣାତ୍ମକ, ସର୍ଟ ପାସ୍, ଲଙ୍ଗ୍ ପାସ୍, ଡ୍ରିବଲ୍, ଷ୍ଟପ୍, ସ୍କୁପ୍, କର୍ନର, ପେନାଲଟି କର୍ନର, ପେନାଲଟି ସୁଟ ଆଉଟ୍, ସଡନ୍ ଡେଥ୍ ପର୍ଯ୍ୟନ୍ତ ବି ଭରସା ରଖିଥିଲେ ଉଭୟ ଦଳର ଖେଳାଳି। ପ୍ରଥମ କ୍ବାର୍ଟରରେ ବେଲ୍ଜିୟମ୍ କିଛି ସୁଯୋଗ ହରାଇବା ଏବଂ ନେଦରଲାଣ୍ଡ ଗୋଲ୍ରକ୍ଷକ ଚମତ୍କାର ବଞ୍ଚାଇବା ଏହି ଦଳକୁ ସୁରକ୍ଷିତ ରଖିଥିଲା। ସବୁଥିରେ ପଛରେ ରହିଥିଲା ବେଲ୍ଜିୟମ୍। ବଲ୍ ନିୟନ୍ତ୍ରଣ (୪୭.୪୦-୫୨.୬୦), ଗୋଲରେ ସଟ୍ (୩-୫), ସଠିକ୍ ପାସ (୬୫.୪୦-୬୫.୫୦), ବଳୟ ପ୍ରବେଶ (୧୨-୧୮), ପେନାଲଟି କର୍ନର (୦-୨) ଆଦି ସବୁଥିରେ ବେଲ୍ଜିୟମ୍ ପଛରେ ପଡ଼ିଥିଲା। ହେଲେ ଭାଗ୍ୟ ଫିଟାଇଥିଲା ସୁଟ୍ଆଉଟ୍। ଏହା ୨-୨ ଗୋଲ୍ରେ ଶେଷ ହୋଇଥିଲା। ସଡନ୍ ଡେଥ୍ରେ ଫ୍ଲୋରେଣ୍ଟ୍ ଭାନ୍ ଆବେଲ୍ ବେଲ୍ଜିୟମକୁ ଆଗୁଆ କରିଦେବା ପରେ ତାରକା ଖେଳାଳି ଜୋରୋନ୍ ହର୍ଜବର୍ଜରଙ୍କ ସଟ୍ ଗୋଲ୍ ଉପରେ ଯିବା ନେଦରଲାଣ୍ଡକୁ ଚକିତ କରି ଦେଇଥିଲା। ସୁଟ୍ ଆଉଟ୍ ବେଳେ ବେଲ୍ଜିୟମ ପାଇଁ ଆର୍ଥର ଭାନ୍ ଡୋରେନ, ଫେଲିକ୍ସ ଡିନାୟର, ଆର୍ଥର ଡି ସ୍ଲେଭାର ବିଫଳ ଏବଂ ଫ୍ଲୋରେଣ୍ଟ ଭାନ ଆବେଲ, ଭିକ୍ଟର ୱେଗନେଜ ସଫଳ ହୋଇଥିଲେ। ନେଦରଲାଣ୍ଡ୍ ପାଇଁ ଜୋରୋନ୍ ହର୍ଜବର୍ଜର ଏବଂ ୟୋନାସ ଡି ଗିଉସ ଗୋଲ୍ ଦେଇଥିଲେ ମଧ୍ୟ ମାଇକ୍ରୋ ପ୍ରୁଇଜର, ସିଭ୍ ଭାନ୍ ଆସ, ଥିଜ୍ ଭାନ୍ ଡାମ ବିଫଳ ହୋଇଥିଲେ। ବେଲ୍ଜିୟମ ଦୁଇ ଥର ବିଜୟ ପୂର୍ବରୁ ବି ବିଜୟ ଉତ୍ସବ ପାଳିଥିଲା। ସୁଟଆଉଟର ଶେଷ ସଟ୍କୁ ଆର୍ଥର ଡି ସ୍ଲୁଭର ଗୋଲ୍ ଦେଇଥିଲେ। କିନ୍ତୁ ଏହା ତାଙ୍କ ପାଦ ସ୍ପର୍ଶ ପରେ ଘଟିଥିବାରୁ ରିପ୍ଳେ ପରେ ଏହା ନାକଚ ହୋଇଥିଲା। ସଡନ୍ ଡେଥ୍ କିନ୍ତୁ ନେଦରଲାଣ୍ଡକୁ ସଡନ୍ ଡେଥ୍ ମୁହଁକୁ ଠେଲି ଦେଇଥିଲା।
ନେଦରଲାଣ୍ଡ୍ ପୂର୍ବରୁ ୩ ଥର (୧୯୭୩, ୧୯୯୦, ୧୯୯୮) ବିଜେତା ସହିତ ସର୍ବାଧିକ ୮ ଥର ପଦକ ଜିତିଥିଲା। ନବମ ପଦକ ଜିତିଥିଲେ ମଧ୍ୟ ରୌପ୍ୟରେ ସୀମିତ ରହିଗଲା। ୨୦ ବର୍ଷ ସ୍ବର୍ଣ୍ଣ ପ୍ରତୀକ୍ଷାର ଅନ୍ତ ଘଟି ପାରିଲା ନାହିଁ। କିନ୍ତୁ ପ୍ରଥମ ଥର ସେମିଫାଇନାଲ୍ ଉଠିଥିବା ବେଲ୍ଜିୟମ୍ ନିଜ କ୍ରୀଡ଼ା ଇତିହାସରେ ପ୍ରଥମ ଥର ହକି ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଦେଇଗଲା। ପୂର୍ବରୁ କେବଳ ୫ ଦେଶ ପାକିସ୍ତାନ (୪ ଥର), ଅଷ୍ଟ୍ରେଲିଆ, ନେଦରଲାଣ୍ଡ (୩ ଥର ଲେଖାଏଁ), ଜର୍ମାନି (୨ ଥର), ଭାରତ (ଥରେ) ବିଶ୍ବକପ୍ ହାତେଇବାର ସୌଭାଗ୍ୟ ପାଇଥିଲେ। ରବିବାର ପ୍ଳେ ଅଫ୍ରେ ୩ ଥର ବିଜେତା ଅଷ୍ଟ୍ରେଲିଆ ୮-୧ ଗୋଲ୍ରେ ଇଂଲଣ୍ଡକୁ ହରାଇ କାଂସ୍ୟ ପଦକ ଜିତି ନେଇଥିଲା। ଫାଇନାଲ୍ ମ୍ୟାଚ୍ର ପୁରସ୍କାର ବିତରଣ ଉତ୍ସବରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମୁଖ୍ୟ ଆକର୍ଷଣ ପାଲଟିଥିଲେ।
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଦ୍ମଶ୍ରୀ ଦିଲ୍ଲୀପ ତିର୍କି, ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍, ଏଫ୍ଆଇଏଚ୍ ସଭାପତି ନରିନ୍ଦର ବାତ୍ରା, ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱିଲ୍, ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ଶିଳ୍ପମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ବ୍ୟକ୍ତିଗତ ପୁରସ୍କାର ମାନ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ କେ. ପାଣ୍ଡିଆନ୍, କ୍ରୀଡ଼ା ସଚିବ ବିଶାଲ ଦେବ, କ୍ରୀଡ଼ା ନିର୍ଦ୍ଦେଶକ ଆର୍ ଭିନିଲ୍ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ୧୦ ମିନିଟିଆ ଆତସବାଜୀ ପ୍ରଦର୍ଶନ ବି କଳିଙ୍ଗ ପ୍ରଶଂସକଙ୍କୁ ଅଭୁଲା ବିଦାୟ ଦେଇଥିଲା।