ଇଂଲଣ୍ଡ ସୁଟ୍ଆଉଟ୍
ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ହକି ବିଶ୍ବକପ୍ରେ ବୁଧବାରର ପ୍ରଥମ କ୍ବାର୍ଟରଫାଇନାଲ୍ରେ ଦୁଇ ୟୁରୋପୀୟ ଦେଶ ଇଂଲଣ୍ଡ ଓ ଜର୍ମାନି ମୁହାଁମୁହିଁ ହୋଇଥିଲେ। ଏହି ସଂଘର୍ଷପୂର୍ଣ୍ଣ କ୍ବାର୍ଟରଫାଇନାଲ୍ର ନିର୍ଦ୍ଧାରିତ ସମୟ ୨-୨ ଗୋଲ୍ରେ ଅମୀମାଂସିତ ରହିଥିଲା। ତେଣୁ ଫଳାଫଳ ଲାଗି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା। ଏଥିରେ ଶେଷ ଦୁଇ ମିନିଟ୍ରେ ସଫଳ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଅମୀମାଂସିତ ରଖିଥିବା ଜର୍ମାନି ୪-୩ରେ ଇଂଲଣ୍ଡକୁ ସୁଟ୍ଆଉଟ୍ କରି ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଏଥିସହ ଇଂଲଣ୍ଡ ବିପକ୍ଷରେ ଜର୍ମାନିର ବିଶ୍ବକପ୍ ବିଜୟ ଧାରା ଜାରି ରହିଛି। ପୂର୍ବରୁ ଏହି ଦୁଇ ଦଳ ବିଶ୍ବକପ୍ରେ ୨ ଥର ମୁହାଁମୁହିଁ ହୋଇଥିଲା ବେଳେ ପ୍ରତ୍ୟେକ ଥର ଜର୍ମାନି ବିଜୟୀ ହୋଇଥିଲା।
ମ୍ୟାଚ୍ ଆରମ୍ଭରୁ ଜର୍ମାନି ଆକ୍ରମଣାତ୍ମକ ଖେଳ ଖେଳିଥିଲା। ପ୍ରଥମ ୧୦ ମିନିଟ୍ ମଧ୍ୟରେ ଇଂଲଣ୍ଡ ସର୍କଲ ମଧ୍ୟରେ ଦୁଇ ଥର ପ୍ରବେଶ କରିଥିଲେ ମଧ୍ୟ ଖରାପ ପାସିଂ ପାଇଁ ଗୋଲ୍ ଦେବାରେ ବିଫଳ ହୋଇଥିଲା। ତେବେ ୧୨ତମ ମିନିଟ୍ରେ ଷ୍ଟୁଆର୍ଟ ରୁସମେରେଙ୍କ ସୁନ୍ଦର ପାସ୍କୁ ଜାଚାରି ୱାଲାସ୍ ଜର୍ମାନି ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ଇଂଲଣ୍ଡକୁ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲେ। ଦୁଇ ଦଳର ରକ୍ଷଣାତ୍ମକ ଖେଳ ପାଇଁ ପ୍ରଥମ କ୍ବାର୍ଟରରେ ଗୋଟିଏ ହେଲେ ପେନାଲ୍ଟି କର୍ଣ୍ଣର ଦେଖିବାକୁ ମିଳିଥିଲା। ଦ୍ବିତୀୟ କ୍ବାର୍ଟର ମଧ୍ୟ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ତୃତୀୟ କ୍ବାର୍ଟରରେ ଇଂଲଣ୍ଡ ୩୧ ଓ ୩୨ ମିନିଟ୍ରେ ଦୁଇଟି ପିସି ଅର୍ଜନ କରିଥିଲା। ଏହା ମଧ୍ୟରୁ ଗୋଟିଏକୁ ଲିଅମ ଆନ୍ସେଲ୍ (୩୨ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ୨-୦ରେ ଆଗୁଆ କରିଥିଲେ। ଚତୁର୍ଥ କ୍ବାର୍ଟର ଶେଷ ହେବାକୁ ୪ ମିନିଟ୍ ଥିଲା ବେଳେ ୦-୨ରେ ପଛୁଆ ଥିବା ଜର୍ମାନିକୁ ଏକ ପେନାଲ୍ଟି ସୁଟ୍ ମିଳିଥିଲା।
ହେଲେ ଏହାକୁ ଗୋଲ୍ କରିନପାରି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିଥିଲା। ୫୮ତମ ମିନିଟ୍ରେ ଅଧିନାୟକ ମାଟ୍ସ ଗ୍ରାମ୍ବୁଚ ଫିଲ୍ଡ ଗୋଲ୍ ଦେଇ ଜର୍ମାନି ଶିବିରରେ ଆଶା ସଞ୍ଚାର କରିଥିଲେ। ଏହା ପର ମିନିଟ୍ରେ ଦଳକୁ ମିଳିଥିବା ପେନାଲ୍ଟି ସୁଟ୍କୁ ଟମ୍ ଗ୍ରାମ୍ବୁଚ୍ କୌଣସି ଭୁଲ୍ ନକରି ଇଂଲଣ୍ଡ ଗୋଲ୍ ପୋଷ୍ଟକୁ ବଲ୍ ପଠାଇ ମ୍ୟାଚ୍ ଅମୀମାଂସିତ କରି ଦେଇଥିଲେ। ମ୍ୟାଚ୍ ଅମୀମାଂସିତ ରହିବାରୁ ଫଳାଫଳ ସୁଟ୍ଆଉଟ୍ରୁ ବାହାରିଥିଲା। ସୁଟ୍ଆଉଟ୍ରେ ଜର୍ମାନିର ନିକଲାସ ୱେଲନ୍, ହେନ୍ସ ମୁଲର, ଥିଜ୍ ପ୍ରିଞ୍ଜ୍ ଓ ଖ୍ରିଷ୍ଟୋଫର ରୁର ସଫଳ ହୋଇଥିଲେ। ଇଂଲଣ୍ଡର ଜେମ୍ସ ଆଲ୍ବେରି, ଜାଚାରି ୱାଲାସ୍, ଫିଲ୍ ରୋପର ଗୋଲ୍ ଦେଇଥିଲା ବେଳେ ଡେଭିଡ ଗୁଡ୍ଫିଲ୍ଡ ଓ ଲିଅମ ଆନ୍ସେଲ ବିଫଳ ହୋଇଥିଲେ।
/sambad/media/post_attachments/wp-content/uploads/2023/01/654d6g54dagdgdagdaagd.jpg)
ଏସୀୟ ଅଭିଯାନ ଶେଷ: କୋରିଆ ୧-୫ରେ ହାରିଲା
ଭୁବନେଶ୍ବର: ଚଳିତ ଏଫ୍ଆଇଏଚ୍ ହକି ବିଶ୍ବକପ୍ରୁ ଏସିଆ ମହାଦେଶର ଅଭିଯାନ ଶେଷ ହୋଇଛି। ଏସିଆରୁ ଏକ ମାତ୍ର ଦେଶ ଭାବେ ତିଷ୍ଟି ରହିଥିବା କୋରିଆ କ୍ବାର୍ଟରଫାଇନାଲ୍ରୁ ହାରି ବିଦାୟ ନେଇଛି। ବୁଧବାର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଉପବିଜେତା ନେଦରଲାଣ୍ଡ୍ସ ୫-୧ ଗୋଲ୍ରେ କୋରିଆକୁ ମାତ୍ ଦେଇ ତୃତୀୟ ୟୁରୋପୀୟ ଦେଶ ଭାବେ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ଏସିଆରୁ ୩ ଦଳ ଭାରତ ସହ ଜାପାନ ଓ କୋରିଆ ଏହି ବିଶ୍ବକପ୍ ଖେଳିଥିଲେ।
ପ୍ରଥମ କ୍ବାର୍ଟରରେ ବିଶ୍ବର ତିନି ନମ୍ବର ନେଦରଲାଣ୍ଡ୍ସକୁ କଡ଼ା ଟକ୍କର ଦେଇ ଥିଲା ୧୦ ନମ୍ବର କୋରିଆ। ପ୍ରଥମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଦରଲାଣ୍ଡ୍ସକୁ ଚାପରେ ରଖିଥିଲା ଏହି ଦଳ। ଉଭୟ ଦଳ ଏହି କ୍ବାର୍ଟରରେ ଦୁଇଟି ଲେଖାଏଁ ପେନାଲ୍ଟି ପାଇଥିଲେ ମଧ୍ୟ ଗୋଲ୍ ଦେବାରେ ସଫଳ ହୋଇନଥିଲେ। ୨୬ତମ ମିନିଟ୍ରେ ଅଧିନାୟକ ଥିଏରି ବ୍ରିଙ୍କମାନ୍ଙ୍କ ପାସ୍କୁ ଗୋଲ୍ରେ ପରିଣତ କରି କୋଏନ ବିଜନ ନେଦରଲାଣ୍ଡ୍ସକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ଏହାପର ମିନିଟ୍ରେ କୋରିଆ ଲଗାତାର ଦୁଇଟି ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍ କରିପାରିନଥିଲା। ପ୍ରଥମାର୍ଦ୍ଧ ୨-୦ରେ ଆଗୁଆ ରହିବା ପରେ ତୃତୀୟ କ୍ବାର୍ଟର ଆରମ୍ଭରୁ ନେଦରଲାଣ୍ଡ୍ସ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ଏହାର ଫଳସ୍ବରୂପ ଏହି ଦଳ ପ୍ରଥମ ମିନିଟ୍ରେ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ନେଇଥିଲା। ଏହାକୁ ବିଜେନ (୩୧ ମିନିଟ୍) ଗୋଲ୍ରେ ପରିଣତ କରି ବ୍ୟକ୍ତିଗତ ଏବଂ ଦଳକୁ ଦ୍ବିତୀୟ ସଫଳତା ଭେଟି ଦେଇଥିଲେ।
ଏହା ପର ମିନିଟ୍ରେ ନେଦରଲାଣ୍ଡ୍ସ ଆଉ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ ମଧ୍ୟ ଗୋଲ୍ ଦେଇପାରିନଥିଲା। ୩୫ତମ ମିନିଟ୍ରେ ଜଷ୍ଟେନ ବ୍ଲକ୍ ଫିଲ୍ଡ ଗୋଲ୍ ଦେଇ ନେଦରଲାଣ୍ଡ୍ସକୁ ୩-୦ରେ ଆଗୁଆ କରିଥିଲେ। ୦-୩ରେ ପଛୁଆ ରହିବା ପରେ କୋରିଆ ମ୍ୟାଚ୍କୁ ଫେରିବା ଲାଗି କଠିନ ଉଦ୍ୟମ କରିଥିଲା। ଏଥିସହ ଦଳ ୨ ମିନିଟ୍ ମଧ୍ୟରେ ୩ ପେନାଲ୍ଟି କର୍ଣ୍ଣର ଅର୍ଜନ କରି ଗୋଲ୍ ସୁଯୋଗ ପାଇଥିଲେ ମଧ୍ୟ ସଫଳ ହୋଇନଥିଲା। ଚତୁର୍ଥ କ୍ବାର୍ଟରରେ ନେଦରଲାଣ୍ଡ୍ସର ଷ୍ଟେଜିନ ଭାନ୍ ହେଇଜନିଜେନ (୪୯ ମିନିଟ୍) ଗୋଲ୍ ଦେଇ ସ୍ଥିତି ୪-୦ କରିଥିଲେ। ଏହାର ପର ମିନିଟ୍ରେ କୋରିଆର ଇନୁ ସିଓ (୫୦ ମିନିଟ୍) ଗୋଟିଏ ଗୋଲ୍ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ। ହେଲେ ୫୭ତମ ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଆଉ ଏକ ଗୋଲ୍ ଦେଇ ନେଦରଲାଣ୍ଡ୍ସ ବିଜୟ ବ୍ୟବଧାନକୁ ୫-୧ କରିଥିଲା। ଟିଉନ୍ ବେନ୍ସ ଏହି ଗୋଲ୍ଟି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/654ad654dag65g4d65gdaagdgd.jpg)