ଭୁବନେଶ୍ବର : କଳିଙ୍ଗ କମ୍ପୁଥିଲା ଇଣ୍ଡିଆ... ଇଣ୍ଡିଆ... ରଡ଼ିରେ। ଦର୍ଶକ ଝୁମୁଥିଲେ ହକି ହୈ ଦିଲ ମେରା.. ସଂଗୀତରେ। ଭାରତୀୟ ଦଳର ବିଶ୍ବକପ୍ ଅଭିଯାନ ଠିକଣା ପଥରେ ରହିବା ନେଇ ସମସ୍ତେ ମଧ୍ୟ ଥିଲେ ଆଶାରେ। ଏହି ଆଶା କିନ୍ତୁ ମାତ୍ର ଦୁଇ ଘଣ୍ଟାର କଳିଙ୍ଗ ରୋମାଞ୍ଚ ସହିତ ଶେଷ ହୋଇଗଲା। ବିଶ୍ବକପ୍ ପଦକଟିଏ ପାଇଁ ଥିବା ୪୮ ବର୍ଷର ସ୍ବପ୍ନ ପୁଣି ଥରେ ଚୂରମାର ହୋଇଗଲା। ଦୁର୍ବଳ ନ୍ୟୁଜିଲାଣ୍ଡ ନିକଟରୁ ସଡନ୍ ଡେଥ୍ର ଶିକାର ହୋଇ ଭାରତ ଅଶ୍ରୁଳ ବିଦାୟ ନେଲା। ନ୍ୟୁଜିଲାଣ୍ଡ୍ ୫-୪ (୩-୩)ରେ ଜିତି କ୍ବାର୍ଟରଫାଇନାଲ୍ ସ୍ଥାନ ପକ୍କା କରିନେଲା। ଭାରତ ଏବେ ଶୀର୍ଷ ୮ରୁ ବାହାର ହୋଇ ଜାନୁଆରି ୨୬ରେ ଜାପାନ୍ ସହ ରାଉରକେଲାରେ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବାର ଲଜ୍ଜା ପାଇଛି।
ରବିବାର ଦିନ ଉତ୍ଥାନ ଓ ପତନ ଦେଇ ଗତି କରିଥିଲା ଭାରତ-ନ୍ୟୁଜିଲାଣ୍ଡ କ୍ରସ୍ ଓଭର ମୁକାବିଲା। ନିୟମିତ ସମୟରେ ୩-୩, ସୁଟ୍ ଆଉଟ୍ ବେଳେ ୨-୨ରେ ଏହି ସମ୍ମାନଜନକ ମୁକାବିଲା ଶେଷ ହୋଇଥିଲା। ସଡନ୍ ଡେଥ୍ ବେଳେ ୩ ସିଂହ ଅଧିନାୟକ ହର୍ମନପ୍ରୀତ୍, ସୁଖଜିତ, ସାମସେର୍ ବିଫଳ ହୋଇଥିଲେ। ଶେଷ ୩ଟି ସଡନ୍ ଡେଥ୍ ସଟରୁ ବଦଳ ଗୋଲ୍ରକ୍ଷକ କ୍ରିଷ୍ଣନ୍ ବାହାଦୂର ପାଠକ ମାତ୍ର ଗୋଟିଏ ନିଷ୍ଫଳ କରିଥିଲେ। ଶ୍ରୀଜେଶ ପୂର୍ବ ୬ଟିରୁ ମାତ୍ର ୩ଟି ରୋକିବାରୁ ଭାରତ ଆଗକୁ ବଢ଼ିପାରିନଥିଲା। ସଡନ୍ ଡେଥ୍ ଚତୁର୍ଥ ରାଉଣ୍ଡରେ ନ୍ୟୁଜିଲାଣ୍ଡ୍ ପାଇଁ ସାମ ଲେନ୍ ନିର୍ଣ୍ଣାୟକ ଗୋଲଟି ଦେଇଥିବା ବେଳେ ଦୁଇ ଥର ସୁଯୋଗ ପାଇଥିବା ସାମସେର୍ ସିଂହ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିଥିଲେ। ସୁଟ ଆଉଟ୍ ବେଳେ ଭାରତ ପାଇଁ କେବଳ ହର୍ମନପ୍ରୀତ୍ ସିଂହ, ରାଜକୁମାର ପାଲ୍, ସୁଖଜିତ ସିଂହ ଗୋଲ୍ ଦେଇଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। କଳିଙ୍ଗ ଷ୍ଟାଡିୟମର ୧୫ ହଜାର ଦର୍ଶକ ଦୁଇଟି ସଡନ୍ ଡେଥ୍ ମୁକାବିଲାର ରୋମାଞ୍ଚ ଉଠାଇଥିଲେ ମଧ୍ୟ ଶେଷରେ ଭଙ୍ଗା ହୃଦୟ ନେଇ ଫେରିଥିଲେ। ପୂର୍ବରୁ ମାଲେସିଆକୁ ମଧ୍ୟ ସ୍ପେନ୍ ସଡନ୍ ଡେଥ୍ ୪-୩ (୨-୨) କରିଥିଲା। ଭାରତ ଓ ମାଲେସିଆର ପରାଜୟ ସହିତ ଚଳିତ ବିଶ୍ବକପ୍ରୁ ଆଉ ଦୁଇଟି ଏସୀୟ ଦଳର ଅଭିଯାନ ଶେଷ ହୋଇଯାଇଛି। କେବଳ କ୍ରସ ଓଭର ଖେଳିବାକୁ ଅପେକ୍ଷା କରିଛି କୋରିଆ।
ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ କ୍ରସ୍ ଓଭର ମ୍ୟାଚ୍ ଆରମ୍ଭ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ୍ ଖଚାଖଚ ହୋଇ ସାରିଥିଲା।
ଦର୍ଶକଙ୍କୁ ଦ୍ବାଦଶ ଖେଳାଳିର ଭୂମିକାରେ ରଖି ଭାରତୀୟ ଖେଳାଳି ବି ପ୍ରଥମରୁ ବେଶ ଉତ୍ସାହଜନକ ପ୍ରଦର୍ଶନ କରିଥିଲେ। ପ୍ରଥମ ମିନିଟରୁ ହିଁ ନ୍ୟୁଜିଲାଣ୍ଡ୍ ଗୋଲ୍ ବୋର୍ଡକୁ ଟାର୍ଗେଟରେ ପହଞ୍ଚିଯାଇଥିଲେ। ସପ୍ତମ ମିନିଟରେ ନ୍ୟୁଜିଲାଣ୍ଡ୍ ଅଧିନାୟକ ନିକ୍ ଉଡ୍ସ ଏବଂ ନବମ ମିନିଟରେ ଭାରତର ପୂର୍ବତନ ଅଧିନାୟକ ମନପ୍ରୀତ୍ ସିଂହ ଗ୍ରିନ୍ କାର୍ଡ ପାଇବା ସହିତ ୧୨ତମ ମିନିଟରେ ଭାରତକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିିଳିଥିଲା। ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା। ଦ୍ବିତୀୟ ୧୫ ମିନିଟ୍ ଖେଳ ଅଧିକ ଘଟଣାବହୁଳ ଥିଲା। ଲୟରେ ଥିବା ଆକାଶଦୀପ ସିଂହଙ୍କ ଚମତ୍କାର ବାମପାର୍ଶ୍ବ ଷ୍ଟିକ୍ ଚାଳନା ପରେ ଡାହାଣ ପାର୍ଶ୍ବରୁ ଲଳିତ ଉପାଧ୍ୟାୟ (୧୭ତମ ମିନିଟ)ଙ୍କ କ୍ଷୀପ୍ର ସଟ୍ ନ୍ୟୁଜିଲାଣ୍ଡ୍ ବୋର୍ଡ ଭିତରକୁ ଭେଦି ଯାଇଥିଲା। ଭାରତ ୧-୦ ଗୋଲ୍ରେ ଆଗୁଆ ହୋଇଯାଇଥିଲା। ଏହା ପରେ ଭାରତ ପାଇଥିବା ଲଗାତାର ୩ ପେନାଲ୍ଟି କର୍ଣ୍ଣର ଶେଷରେ ସୁଖଜିତ ସିଂହ (୨୪ ମିନିଟ) ଘରୋଇ ଦଳର ଅଗ୍ରଣୀକୁ ୨-୦ରେ ପରିଣତ କରି ଦେଇଥିଲେ।
ନ୍ୟୁଜିଲାଣ୍ଡ୍ କିନ୍ତୁ ୨୮ତମ ମିନିଟରେ ସାମ ଲେନଙ୍କ ଗୋଲ୍ ବଳରେ ବ୍ୟବଧାନକୁ ୧-୨କୁ କମାଇ ଦ୍ବିତୀୟ କ୍ବାର୍ଟର ଶେଷ କରିଥଲା। ଏହି କ୍ବାର୍ଟରରେ ଅବଶ୍ୟ (୨୨ତମ ମିନିଟ) ଭାରତ ଦେଇଥିବା ଏକ ଗୋଲ୍ ନାକଚ ହୋଇଯାଇଥିଲା। ତୃତୀୟ କ୍ବାର୍ଟରରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିିଲେ। ଭାରତ ୪ଟି ପେନାଲ୍ଟି କର୍ଣ୍ଣରରୁ ପ୍ରଥମ ଥର ଏକ ସିଧାସଳଖ ସଟ୍ରେ ସଫଳ ହୋଇଥିଲା ବରୁଣ କୁମାରଙ୍କ (୪୦ତମ ମିନିଟ) ଜରିଆରେ। ନ୍ୟୁଜିଲାଣ୍ଡ୍ କିନ୍ତୁ ୪୩ତମ ମିନିଟରେ ଦଳର ପ୍ରଥମ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଦେଇଥିଲେ କେନ୍ ରସେଲ। ଫଳରେ ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ କେବଳ ୩-୨ରେ ଆଗୁଆ ହୋଇପାରିଥିଲା। ଚତୁର୍ଥ କ୍ବାର୍ଟରରେ ଭାରତ ଦୁଇଟି ପେନାଲ୍ଟି କର୍ଣ୍ଣର ଅର୍ଜନରେ ସୀମିତ ରହିଥିଲା। କିନ୍ତୁ ନ୍ୟୁଜିଲାଣ୍ଡ୍ ଏହାର ଦ୍ବିତୀୟ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ୧୦୦ ପ୍ରତିଶତ ପିସି ପ୍ରଦର୍ଶନ କରି ପୁଣି ଭାରତକୁ ରୋକିଥିଲା।
ବିଶ୍ବ ମାନ୍ୟତାରେ ବହୁ ପଛରେ ଥିବା ନ୍ୟୁଜିଲାଣ୍ଡ୍ ୪୯ତମ ମିନିଟ୍ ପର୍ଯ୍ୟନ୍ତ ପଛୁଆ ଥିଲେ ମଧ୍ୟ ସିନ ଫିଣ୍ଡଲେଙ୍କ ଏହି ପେନାଲ୍ଟି କର୍ଣ୍ଣର ଗୋଲ୍ ବ୍ଲାକ୍ ଷ୍ଟିକ୍ ଦଳକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ନିୟମିତ ସମୟରେ ମ୍ୟାଚ୍ ୩-୩ରେ ଶେଷ ହୋଇଥିଲା। ଶେଷକୁ ସୁଟ୍ ଆଉଟ୍ ଓ ସଡନ୍ ଡେଥ୍ ଦେଇ ନ୍ୟୁଜିଲାଣ୍ଡ୍ ୫-୪ (୩-୩)ରେ ବିଜୟୀ ହୋଇ ବେଲଜିୟମ ସହ ମଙ୍ଗଳବାର କ୍ବାର୍ଟରଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।। ଘରୋଇ ଦଳର ସ୍ବପ୍ନକୁ ଚୂରମାର କରି ଢେର ଆଗକୁ ବଢ଼ିଯାଇଛି ଏହି ବ୍ଲାକ ଷ୍ଟିକ୍ ଦଳ।