ହକି ବିଶ୍ବକପ୍‌: ୧୦୦ତମ ବିଶ୍ବକପ୍‌ ମ୍ୟାଚ୍‌ରେ ଭାରତର ରେକର୍ଡ, ବିଶ୍ବକପ୍‌ରେ ବିଜୟ ବ୍ୟବଧାନରେ ରେକର୍ଡ

ନବମ ସ୍ଥାନ ପାଇଁ ଶନିବାର ଦକ୍ଷିଣ ଆଫ୍ରିକାକୁ ଭେଟିବ, ଜାପାନକୁ ୮-୦ରେ ହରାଇଲା ଭାରତ

ରାଉରକେଲା: ଚଳିତ ପୁରୁଷ ହକି ବିଶ୍ବକପ୍‌ରେ ଭାରତୀୟ ଦଳ କ୍ବାର୍ଟର ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିବାପରେ ଗୁରୁବାରଠାରୁ ନବମ ସ୍ଥାନ ପାଇଁ ଲଢ଼େଇ ଆରମ୍ଭ କରିଛି। ଗଣତନ୍ତ୍ର ଦିବସରେ ରାଉରକେଲାସ୍ଥ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚ୍‌କୁ ଭାରତ ୮-୦ ଗୋଲ୍‌ରେ ଏକତରଫା ଭାବେ ଜିତିନେଇଛି। ଏହ‌ା ମଧ୍ୟ ବିଶ୍ବକପ୍‌ରେ ସର୍ବାଧିକ ଗୋଲ୍‌ ବ୍ୟବଧାନ ବିଜୟରେ ଭାରତ ପାଇଁ ରେକର୍ଡ। ପୁଣି ନିଜର ଶତକୀୟ ମ୍ୟାଚ୍‌ରେ ଏଭଳି ବିଜୟ ଦଳ ପାଇଁ ଆହୁରି ସ୍ମରଣୀୟ ହୋଇଯାଇଛି। ଏବେ ନବମ ସ୍ଥାନ ପାଇଁ ଭାରତୀୟ ଦଳ ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ। ଏହି ମ୍ୟାଚ୍‌କୁ ଜିତିଲେ ଭାରତ ନବମ ସ୍ଥାନରେ ଅଭିଯାନ ଶେଷ କରିବ।

ଗୁରୁବାର ସନ୍ଧ୍ୟାରେ ଏଠାରେ ଖେଳାଯାଇଥିବା ଜାପାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଖେଳାଳି ଆଧିପତ୍ୟ ବିସ୍ତାର କରିଥିଲେ। ମ୍ୟାଚ୍‌ର ପ୍ରଥମ ଓ ଦ୍ବିତୀୟ କ୍ବାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା। ଦ୍ବିତୀୟାର୍ଦ୍ଧ ସୁଦ୍ଧା ଭାରତ ୩ଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିବର୍ତ୍ତନ କରିପାରନଥିଲା, ଯାହାକି ଷ୍ଟାଡିୟମରେ ଉପସ୍ଥିତ ପ୍ରାୟ ୨୧ ହଜାର ଦର୍ଶକଙ୍କୁ ନିରାଶ କରିଥିଲା। ତେବେ ତୃତୀୟ କ୍ବାର୍ଟରରେ ଭାରତ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲା। ମିଳିଥିବା ପେନାଲ୍‌ଟି କର୍ଣ୍ଣର୍‌ର ସଦୁପଯୋଗ କରି ଗୋଲ୍‌ ବର୍ଷା କରିଥିଲା। ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ମନଦୀପ ସିଂହ ଏକ ପେନାଲଟି କର୍ଣ୍ଣରକୁ ସୁନ୍ଦର ଗୋଲ୍‌ରେ ପରିବର୍ତ୍ତନ କରିଥିଲେ। ଏହାପରେ ଅଭିଷେକ (୩୬ ଓ ୪୪ ମିନିଟ୍‌) ଓ ହର୍ମନପ୍ରୀତ ସିଂହ (୪୬ ଓ ୫୯ ମିନିଟ୍‌)ଙ୍କ ଦୁଇଟି ଲେଖାଏ ଗୋଲ୍‌ ଏବଂ ବିବେକ ସାଗର ପ୍ରସାଦ (୪୦), ମନପ୍ରୀତ ସିଂହ (୫୯) ଓ ସୁଖଜିତ ସିଂହ (୫୯)ଙ୍କ ଗୋଟିଏ ଲେଖାଏ ଗୋଲ୍‌ ବଳରେ ୮-୦ରେ ଆଗୁଆ ରହିଥିଲା। ଜାପାନ ତିନିଟି ପେନାଲଟି କର୍ଣ୍ଣର ସୁଯୋଗ ପାଇଥିଲେ ମଧ୍ୟ ହାତଛଡ଼ା କରିଥିଲା। ଚମତ୍କାର ପ୍ରଦର୍ଶନ ପାଇଁ ଅଭିଷେକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଗୁରୁବାର ରାଉରକେଲାରେ ମୋଟ୍‌ ଚାରିଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ ମାଲେସିଆ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଦକ୍ଷିଣ ଆଫ୍ରିକା ୬-୩ ଗୋଲ୍‌ରେ ଜିତି ନେଇଥିଲା। ୱେଲ୍‌ସ ଓ ଫ୍ରାନ୍ସ ମ୍ୟାଚ୍‌ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ହୋଇଥିଲା। ମ୍ୟାଚ୍‌ ଶେଷ ସୁଦ୍ଧା ଉଭୟ ଦଳ ଦୁଇଟି ଲେଖାଏ ଗୋଲ୍‌ ଦେବାରୁ ସ୍କୋର ୨-୨ରେ ରହିଥିଲା। ତେବେ ସୁଟ୍‌ଆଉଟ୍‌ରେ ୱେଲ୍‌ସ ୨-୧ରେ ଜିତି ନେଇଥିଲା। ଆର୍ଜେଣ୍ଟିନା ମଧ୍ୟ ଚମତ୍କାର ବିଜୟ ହାସଲ କରିଥିଲା। ମ୍ୟାଚ୍‌ ସାରା ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରି ଏକତରଫା ଭାବେ ୮-୦ ଗୋଲ୍‌ରେ ଚିଲିକୁ ପରାସ୍ତ କରିଥିଲା।

ବିଶ୍ବକପ୍‌ ଇତିହାସରେ ସର୍ବବୃହତ ବିଜୟ
ଜାପାନ ବିପକ୍ଷ ମ୍ୟାଚ୍‌ରେ ଭାରତ ଏକାଧିକ କୀର୍ତ୍ତିମାନ ସ୍ଥାପନ କରିଛି। ଏହି ମ୍ୟାଚ୍‌ ଥିଲା ବିଶ୍ବକପ୍‌ ଇତିହାସରେ ଭାରତର ୧୦୦ତମ ମ୍ୟାଚ୍‌। ଏତଦ୍‌ବ୍ୟତୀତ ଭାରତ ବିଶ୍ବକପ୍‌ ଇତିହାସରେ ସର୍ବବୃହତ ବିଜୟ ହାସଲ କରିଛି। ୮-୦ ଗୋଲ୍‌ରେ ଜାପାନକୁ ପରାସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ଭାରତ ୧୯୭୫ ବିଶ୍ବକପ୍‌ରେ ସର୍ବବୃହତ ବିଜୟ ହାସଲ କରିଥିଲା। ସେହି ବିଶ୍ବକପ୍‌ରେ ଭାରତ ୭-୦ ଗୋଲ୍‌ରେ ଘାନାକୁ ପରାସ୍ତ କରିଥିଲା। ପ୍ରାୟ ୪୭ ବର୍ଷ ପରେ ପୂର୍ବ ରେକର୍ଡକୁ ଭାଙ୍ଗି ନୂଆ ରେକର୍ଡ ହାସଲ ଭାରତୀୟ ଖେଳାଳିଙ୍କ ମନୋବଳ ସୁଦୃଢ଼ କରିଛି।
ରଣକୌଶଳ ପରିବର୍ତ୍ତନ କରି ଜିତିଲୁ: ଅମିତ
‘ଗୁରୁବାର ଦଳ ଉତ୍ସାହଜନକ ପ୍ରଦର୍ଶନ କରିଛି। ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଆମେ ଅନେକ ସୁଯୋଗ ପାଇଥିଲେ ମଧ୍ୟ ତାକୁ ହାତଛଡ଼ା କରିଥିଲୁ। ଏହାପରେ ରଣକୌଶଳରେ ପରିବର୍ତ୍ତନ କରି ତୃତୀୟ କ୍ବାର୍ଟରରେ ପଡ଼ିଆକୁ ଓହ୍ଲାଇଥିଲୁ। ଦଳଗତ ପ୍ରଦର୍ଶନ ବଳରେ ଫଳାଫଳ ଆମ ସପକ୍ଷରେ ଆସିଲା। ଆଗାମୀ ଦିନରେ ପ୍ରୋ-ଲିଗ୍‌ ଓ ଏସିଆନ ଗେମ୍‌ସ ରହିଛି। ଉଭୟ ପ୍ରତିଯୋଗିତାରେ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରୟାସ କରିବୁ। ଏସିଆନ ଗେମ୍‌ସ ଦଳ ପାଇଁ ବେଶ୍‌ ମହତ୍ତ୍ବପୂର୍ଣ୍ଣ। ଚଳିତ ବିଶ୍ବକପ୍‌ରେ ଯେଉଁ ସବୁ ତ୍ରୁଟିବିଚ୍ୟୁତି ଦେଖିବାକୁ ମିଳିଲା; ସେଥିରେ ପରିବର୍ତ୍ତନ ଆଣିବୁ।

ଶନିବାର ରାଉରକେଲାରେ ଖେଳାଯିବ ୪ ମ୍ୟାଚ୍‌
ଶନିବାର ଦିନ ସ୍ଥାନୀୟ ବିର୍ସା ମୁଣ୍ଡା ଷ୍ଟାଡିୟମରେ ୪ଟି ପୋଜିସନ ମ୍ୟାଚ୍‌ ଖେଳାଯିବ। ନବମରୁ ଦ୍ବାଦଶ ସ୍ଥାନ ପାଇଁ ଭାରତ ଓ ଦକ୍ଷିଣ ଆଫ୍ରିକା ଏବଂ ଆର୍ଜେଣ୍ଟିନା ଓ ୱେଲସ୍‌ ଲଢ଼େଇ କରିବେ। ସେହିଭଳି ନିଜ ନିଜ ପୂର୍ବ ପୋଜିସନ ମ୍ୟାଚ୍‌ରେ ପରାଜୟ ଭୋଗିଥିବା ମାଲେସିଆ, ଜାପାନ, ଚିଲି ଓ ଫ୍ରାନ୍ସ ୧୩ରୁ ୧୬ତମ ସ୍ଥାନ ପାଇଁ ପଡ଼ିଆକୁ ଓହ୍ଲାଇବେ। ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ମାଲେସିଆ ଓ ଜାପାନ ଏବଂ ମଧ୍ୟାହ୍ନ ୨ଟାରେ ଚିଲି ଓ ଫ୍ରାନ୍ସ ମୁହାଁମୁହିଁ ହେବେ।
ଶୁଭେଚ୍ଛା ଜଣାଇଲେ ଦିଲୀପ ତିର୍କି
ସୁନ୍ଦରଗଡ଼ ମାଟିର କିମ୍ବଦନ୍ତୀ ହକି ତାରକା ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଭାରତର ଏକତରଫା ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ତିର୍କି ଟ୍ବିଟ୍‌ କରି ଜଣାଇଛନ୍ତି, ଏସିଆନ ହେବିୱେଟ୍‌ ଜାପାନକୁ ୮-୦ ବ୍ୟବଧାନରେ ପରାସ୍ତ କରି ଆମ ଦଳ ପୁଣିଥରେ ବିଜୟଧାରାକୁ ଫେରିଛି। ଆଗାମୀ ୨୮ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ଶୁଭକାମନା।

ସମ୍ବନ୍ଧିତ ଖବର