ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ରେ ହକି ବିଶ୍ୱକପ୍‌ ଉଦ୍‌ଘାଟନୀ

ଭୁବନେଶ୍ୱର: ହକି ବିଶ୍ୱକପ୍‌ ଆଉ ୨ ମାସରୁ ଊର୍ଧ୍ୱ ସମୟ ରହିଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍‌ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶନିବାର ବିଶ୍ୱକପ୍‌ ପରିଚାଳନା ସମିତିର ପ୍ରଥମ ବୈଠକରେ ଷ୍ଟାଡିୟମ୍‌ ପ୍ରସ୍ତୁତିକୁ ନେଇ ସନ୍ତୋଷ ପ୍ରକାଶ କରାଯାଇଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ ଆୟୁକ୍ତ ଆର୍‌ ବାଲକ୍ରିଷ୍ଣନ୍‌, ପୁଲିସ୍‌ ମହାନିର୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା, ଅନ୍ତର୍ଜାତୀୟ ହକି ସଂଘ (ଏଫ୍‌ଆଇଏଚ୍‌)ର ସଭାପତି ନରିନ୍ଦର ଧୃବ ବାତ୍ରା ଏବଂ ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ୍‌, ରାଜ୍ୟ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲୋ ଅଲିମ୍ପିକ୍ସ ସ୍ତରର ଦୁଇ ହକି ଷ୍ଟାଡିୟମ ସହିତ ୧୫,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ କଳିଙ୍ଗ କ୍ରୀଡ଼ା କଂପ୍ଲେକ୍ସ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଶ୍ରୀ ପାଢ଼ୀ ସନ୍ତୋଷ ପ୍ରକାଶ କରିଥିଲେ। ସେହିଭଳି ନଭେମ୍ବର ୨୭ ତାରିଖରେ ହେବାକୁ ଥିବା ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଦୌଡ଼କୁଦ ପଡ଼ିଆରେ ଆୟୋଜିତ ହେବ ବୋଲି କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ପ୍ରକାଶ କରିଛନ୍ତି। ମୁଖ୍ୟ ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୧୨,୦୦୦ ରହିଛି। କିନ୍ତୁ ଏହାର ଟିକେଟ୍‌ ବିକ୍ରି ସମ୍ପର୍କରେ ଅଦ୍ୟାବଧି କିଛି ସ୍ପଷ୍ଟ କରାଯାଇନାହିଁ। ବିଶ୍ୱକପ୍‌ ସମୟରେ କିନ୍ତୁ ୧୦ ଦିନ ବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିରେ ନୃତ୍ୟ, ସଂଗୀତ, ଖାଦ୍ୟ, କାହାଣୀ ପ୍ରତିଯୋଗିତା, କଳା ଓ ହସ୍ତଶିଳ୍ପ ଆଦିର ପ୍ରଦର୍ଶନୀ ହେବ ବୋଲି ସୂଚନା ଦିଆଯାଇଛି। ନଭେମ୍ବର ୨ ଓ ୩ ତାରିଖରେ ଏକାମ୍ର ଲିଟେରାରି ଫେଷ୍ଟିଭାଲ୍‌ ଏବଂ ଅକ୍ଟୋବର ୧୦ରେ ହକି ଷ୍ଟାଡିୟମ୍‌ର ଉଦ୍‌ଘାଟନ ହେବ ବୋଲି ମଧ୍ୟ ଏକ ଅସମର୍ଥିତ ସୂତ୍ରରୁ ପ୍ରକାଶ। ଶନିବାରର ବୈଠକ ଅବସରରେ ମୁଖ୍ୟ ଶାସନ ସଚିବଙ୍କୁ ଏଫଆଇଏଚ୍‌ ସଭାପତି ନରିନ୍ଦର ଧୃବ ବାତ୍ରା ଭାରତୀୟ ପୁରୁଷ ଓ ମହିଳା ହକି ଦଳର ଏକ ଜର୍ସି ଉପହାର ଦେଇଥିଲେ ଯେଉଁଥିରେ ‘ଓଡ଼ିଶା’ ଉଲ୍ଲେଖ ରହିଥିଲା।

ସମ୍ବନ୍ଧିତ ଖବର