ଭୁବନେଶ୍ବର: ପୁରୁଷ ହକି ବିଶ୍ବକପ୍‌-୨୦୨୩ରେ ନେଦରଲାଣ୍ଡ୍‌ସ କାଂସ୍ୟ ପଦକ ଜିତିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ୩ୟ ସ୍ଥାନ ପାଇଁ ଖେଳାଯାଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସ ୩-୧ ଗୋଲ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଏହି ଉପଲବ୍ଧି ହାସଲ କରିଛି। ଏହା ପୂର୍ବରୁ ଉଭୟ ନେଦରଲାଣ୍ଡସ୍‌ ଓ ଅଷ୍ଟ୍ରେଲିଆ ସେମିଫାଇନାଲ ମୁକାବିଲାରେ ଯଥାକ୍ରମେ ବେଲଜିୟମ୍‌ ଓ ଜର୍ମାନି ଠାରୁ ପରାସ୍ତ ହୋଇଥିଲେ।

Advertisment

ଆଜି ପ୍ରଥମ କ୍ବାର୍ଟରରେ କଙ୍ଗାରୁ ଦଳ ଭଲ ପ୍ରଦର୍ଶନ କରିଥିଲା। ୧୨ ମିନିଟରେ ଜେରେମି ହେୱାର୍ଡ ଏକ ପେନାଲ୍ଟି ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଦ୍ବିତୀୟ କ୍ବାର୍ଟରରେ କୌଣସି ଗୋଲ୍‌ ହୋଇପାରି ନଥିଲା। ତେବେ ୩ୟ କ୍ବାର୍ଟରେ ନେଦରଲାଣ୍ଡସ୍‌ ଲଗାତାର ୩ଟି ଗୋଲ୍‌ (୩୨, ୩୪ ଓ ୩୯ମିନିଟ୍‌) ଦେଇଥିଲା। ଥିରି ବ୍ରିଙ୍କମ୍ୟାନ୍‌ ଶେଷ ୨ଟି ଗୋଲ୍‌ ଦେଇଥିଲେ। ଶେଷ କ୍ବାର୍ଟରରେ ଜୋରଦାର ଲଢ଼େଇ ହୋଇଥିଲା। କୌଣସି ଦଳ ଗୋଲ୍‌ ଦେଇପାରି ନଥିଲେ।

ସୂଚନାଯୋଗ୍ୟ, ଅଢ଼େଇ ସପ୍ତାହ ଧରି ଓଡ଼ିଶାରେ ଚାଲିଥିବା ହକି ମହୋତ୍ସବ ରବିବାର ଶେଷ ‌ହୋଇଯିବ। ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ୍‌ରେ ସଂଧ୍ୟା ୭ଟାରେ ଖେଳାଯିବାକୁ ଥିବା ଫାଇନାଲ୍‌ରେ ଦୁଇ ୟୁରୋପୀୟ ଶକ୍ତି ବେଲଜିୟମ୍‌ ଏବଂ ଜର୍ମାନି ମଧ୍ୟରେ ଟ୍ରଫି ପାଇଁ ଲଢ଼େଇ ହେବ।