ଭୁବନେଶ୍ବର: ଆସନ୍ତାବର୍ଷ ଜାନୁଆରି ୧୩ ତାରିଖରୁ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ୍ ପାଇଁ ସୋମବାରଠୁ ଅଫ୍ଲାଇନ୍ରେ ଟିକେଟ ବିକ୍ରି ଆରମ୍ଭ ହେବ। ଭୁବନେଶ୍ବରର ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍ର ୮ ନମ୍ବର ଗେଟ୍ ସମ୍ମୁଖ ରିଜର୍ଭ ପୁଲିସ୍ ଲାଇନ୍ ପଡ଼ିଆରେ ଏବଂ ରାଉରକେଲାର ମ୍ୟାଚ୍ଗୁଡ଼ିକ ପାଇଁ ବୀର୍ସା ମୁଣ୍ଡା ଷ୍ଟାଡିୟମ୍ର ୬ ନମ୍ବର (ଇଷ୍ଟ ଓ ସାଉଥ୍ ଷ୍ଟାଣ୍ଡ) ଓ ୨ ନମ୍ବର (ନର୍ଥ ଓ ୱେଷ୍ଟ ଷ୍ଟାଣ୍ଡ) ଗେଟ୍ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ଏହି କାଉଣ୍ଟରଗୁଡ଼ିକ ଦିନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ। ଏଥିସହିତ ଯେଉଁମାନେ ପୂର୍ବରୁ ଅନ୍ଲାଇନ୍ରେ ଟିକେଟ କିଣିଛନ୍ତି, ସେମାନେ ଆବଶ୍ୟକୀୟ ପ୍ରମାଣ ଦେଖାଇ ଉକ୍ତ କାଉଣ୍ଟରରୁ ଟିକେଟ ନେଇପାରିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।
ଟିକେଟ ଦରରେ ଭାରତ ଓ ଅଣଭାରତୀୟ ମ୍ୟାଚ୍ ପାଇଁ ଟିକେଟ ମୂଲ୍ୟ ଅଲଗା ଅଲଗା ରଖାଯାଇଛି। ଭାରତ ଖେଳୁଥିବା ମ୍ୟାଚ୍ଗୁଡ଼ିକ ପାଇଁ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା ଏବଂ ନର୍ଥ ଓ ସାଉଥ ଷ୍ଟାଣ୍ଡ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ତେବେ ଅଣଭାରତୀୟ ମ୍ୟାଚ୍ଗୁଡ଼ିକରେ ଯଦିଓ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ସମାନ ରଖାଯାଇଛି, କିନ୍ତୁ ଇଷ୍ଟ ଷ୍ଟାଣ୍ଡର ମୂଲ୍ୟ ୨୦୦ ଟଙ୍କା ଏବଂ ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ପାଇଁ ୧୦୦ ଟଙ୍କା ରଖାଯାଇଛି। କ୍ବାଲିଫାୟର୍ ପର୍ଯ୍ୟାୟଠୁ ଫାଇନାଲ୍ ପର୍ଯ୍ୟନ୍ତ (ନକ୍ଆଉଟ୍) ସମସ୍ତ ମ୍ୟାଚ୍ ଭୁବନେଶ୍ବରରେ ଖେଳାଯିବ। ଏହି ପର୍ଯ୍ୟାୟରେ ମଧ୍ୟ ୱେଷ୍ଟ ଷ୍ଟାଣ୍ଡର ମୂଲ୍ୟ ସମାନ ରହିଥିଲା ବେଳେ ଇଷ୍ଟ ଷ୍ଟାଣ୍ଡ ୪୦୦ ଟଙ୍କା, ନର୍ଥ ଓ ସାଉଥ୍ ଷ୍ଟାଣ୍ଡ ୨୦୦ ଟଙ୍କା ଲେଖାଏଁ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ କ୍ଲାସିଫିକେସନ୍ ରାଉଣ୍ଡ ଅର୍ଥାତ୍ ପୋଜିସନିଂ (ନବମରୁ ୧୬ତମ ସ୍ଥାନ) ମ୍ୟାଚ୍ଗୁଡ଼ିକ ରାଉରକେଲାରେ ଖେଳାଯିବାକୁ ଥିବାରୁ ଏହି ପର୍ଯ୍ୟାୟର ଟିକେଟ ମୂଲ୍ୟ ୱେଷ୍ଟ ଷ୍ଟାଣ୍ଡ ୫୦୦ ଟଙ୍କା, ଇଷ୍ଟ ଷ୍ଟାଣ୍ଡ ୨୦୦ ଟଙ୍କା, ନର୍ଥ ଓ ସାଉଥ ଷ୍ଟାଣ୍ଡର ମୂଲ୍ୟ ୧୦୦ ଟଙ୍କା ଲେଖାଏଁ ନିର୍ଧାରିତ ହୋଇଛି। ଜଣେ ଦର୍ଶକ ଗୋଟିଏ ଦିନ ପାଇଁ ଏହି ଟିକେଟ କିଣିବ। ଫଳରେ ଦିନସାରା ଯାହା ବି ମ୍ୟାଚ୍ ଖେଳାଯିବ ଉକ୍ତ ଟିକେଟ୍ ଜରିଆରେ ଦିନର ସବୁ ମ୍ୟାଚ୍ ଦେଖିହେବ।
କଳିଙ୍ଗ ଷ୍ଟାଡିୟମ୍ରେ ଦର୍ଶକଙ୍କ କ୍ଷମତା ୧୫ ହଜାରକୁ ବୃଦ୍ଧି କରାଯାଇଥିଲା ବେଳେ ନବ ନିର୍ମିତ ବୀର୍ସା ମୁଣ୍ଡା ଷ୍ଟାଡିୟମ୍ରେ ୨୦ ହଜାର ଦର୍ଶକ ମ୍ୟାଚ୍ ଦେଖିପାରିବେ। ଏହି ବିଶ୍ବକପ୍ରେ ୧୬ ଦଳଙ୍କୁ ନେଇ ମୋଟ ୪୪ ମ୍ୟାଚ୍ ଖେଳାଯିବ। ସେଥିରୁ ରାଉରକେଲାରେ ୨୦ ଏବଂ ଭୁବନେଶ୍ବରରେ ୨୪ ମ୍ୟାଚ୍ ଅନୁଷ୍ଠିତ ହେବ। ଉଦ୍ଘାଟନୀ ଦିବସରରେ ଭାରତର ମୁକାବିଲା ସ୍ପେନ୍ ସହିତ ହେବ। ଏହାପରେ ଜାନୁଆରି ୧୫ ତାରିଖରେ ଇଂଲଣ୍ଡ ସହିତ ଭାରତ ଦ୍ବିତୀୟ ମ୍ୟାଚ୍ ଖେଳିବ। ଏହି ଦୁଇ ମ୍ୟାଚ୍ ରାଉରକେଲାରେ ଖେଳାଯିବା ପରେ ଜାନୁଆରି ୧୯ ତାରିଖରେ କଳିଙ୍ଗ ଷ୍ଟାଡିୟମ୍ରେ ୱେଲ୍ସ ବିପକ୍ଷରେ ଭାରତର ତୃତୀୟ ତଥା ଶେଷ ଗ୍ରୁପ୍ ପର୍ଯ୍ୟାୟ ମୁକାବିଲା ହେବ। ୧୯ ତାରିଖରେ ଗ୍ରୁପ୍ ପର୍ଯ୍ୟାୟ ଶେଷ ହେବା ପରେ ୨୨ ଓ ୨୩ ତାରିଖରେ କ୍ରସଓଭର ମ୍ୟାଚ୍, ୨୪ ଓ ୨୫ ତାରିଖରେ କ୍ବାର୍ଟରଫାଇନାଲ୍, ୨୭ ତାରିଖରେ ସେମିଫାଇନାଲ୍, ୨୯ ତାରିଖରେ ତୃତୀୟ ସ୍ଥାନ ମ୍ୟାଚ୍ ଓ ଫାଇନାଲ୍ ଖେଳାଯିବ। ଏହି ସମସ୍ତ ମ୍ୟାଚ୍ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ତେବେ ୨୬ ତାରିଖରେ ୮ଟି ପୋଜିସନିଂ ମ୍ୟାଚ୍ ବୀର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଖେଳାଯିବ।