ଭାରତରେ ୨୦୨୩ ହକି ବିଶ୍ବକପ୍‌, ଆୟୋଜନ ନେଇ ଭୁବନେଶ୍ବର ଆଶାବାଦୀ

ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ସଚିବ

ଭୁବନେଶ୍ବର: ଭାରତକୁ ମିଳିଛି ୨୦୨୩ ପୁରୁଷ ହକି ବିଶ୍ବକପ୍ ଆୟୋଜନ ଅଧିକାର। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ୨୦୧୮ ପୁରୁଷ ହକି ବିଶ୍ବକପ୍‌ର ସଫଳ ଆୟୋଜନ ପାଇଁ ପୁଣି ଥରେ ଏହି ସୁଯୋଗ ମିଳିଛି। ଚଳିତ ବର୍ଷର ବିଡ୍‌ ଜିତିବା ସହିତ ଆନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌)ଠାରୁ ୨୦୨୩ ପୁରୁଷ ହକି ବିଶ୍ବକପ୍ ଆୟୋଜନ କରିବାକୁ ସ୍ବୀକୃତି ଲାଭ କରିଛି ଭାରତ। ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଭାରତରେ ପୁରୁଷ ହକି ବିଶ୍ବକପ୍ ଖେଳାଯିବ। ପୂର୍ବରୁ ୧୯୮୨ (ମୁମ୍ବାଇ), ୨୦୧୦ (ନୂଆଦିଲ୍ଲୀ) ଓ ୨୦୧୮ (ଭୁବନେଶ୍ବର)ରେ ଭାରତ ପୁରୁଷ ହକି ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରିସାରିଛି।

ପୁରଷ ହକି ବିଶ୍ବକପର ୧୪ତମ ସଂସ୍କରଣ ୨୦୧୮ରେ ଆତିଥେୟତା ଓ ସୁନ୍ଦର ସାଜସଜ୍ଜା ସାଙ୍ଗକୁ ଓଡ଼ିଶାର କଳା ଓ ସଂସ୍କୃତି ପ୍ରଦର୍ଶନ ପାଇଁ ସାରା ବିଶ୍ବରୁ ପ୍ରଶଂସା ସାଉଁଟିଥିଲା କଳିଙ୍ଗ ଷ୍ଟାଡିୟମ, ଓଡ଼ିଶା ସରକାର ଏବଂ ହକି ଇଣ୍ଡିଆ। ୨୦୧୮ ବିଶ୍ବକପ୍‌ର ସଫଳତାଠାରୁ ଶିଖିବା ସହିତ ୨୦୨୩ ବିଶ୍ବକପକୁ ଆହୁରି ଭଲ ଭାବେ ଆୟୋଜନ କରିବା ପାଇଁ ହକି ଇଣ୍ଡିଆ ଯୋଜନା ରଖିଛି। ୨୦୧୮ ହକି ବିଶ୍ବକପ୍‌ ବ୍ୟତୀତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍ସ ଟ୍ରଫି (୨୦୧୪), କନିଷ୍ଠ ଏଫ୍‌ଆଇଏଚ୍‌ ପୁରୁଷ ବିଶ୍ବକପ୍ (୨୦୧୬), ଏଫ୍‌ଆଇଏଚ୍‌ ହକି ବିଶ୍ବ ଲିଗ୍ ଫାଇନାଲ୍ (୨୦୧୭) ସହିତ ନିକଟରେ ଏଫ୍‌ଆଇଏଚ୍ ହକି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ସଫଳ ଆୟୋଜନ କରିସାରିଛି ହକି ଇଣ୍ଡିଆ। ୧୯୭୫ରେ ଶେଷ ଥର ପାଇଁ ବିଶ୍ବ ବିଜେତା ହୋଇଥିବା ଭାରତ ୨୦୨୩ରେ ସ୍ବାଧୀନତାର ୭୫ ବର୍ଷ ପୂରଣ ଅବସରରେ ଦେଶକୁ ବିଜୟ ଭେଟି ଦେବାକୁ ଆଶା ରଖିଛି। ତେବେ ୨୦୧୮ ବିଶ୍ବକପ୍ ସଫଳ ଆଯୋଜନ ପାଇଁ ପ୍ରଶଂସିତ ହୋଇଥିବା କଳିଙ୍ଗ ଷ୍ଟାଡିୟମ ୨୦୨୩ ବିଶ୍ବକପ୍ ପାଇଁ ମଧ୍ୟ ପ୍ରଥମ ପସନ୍ଦ ରହିବ। ଏହା ୨୦୨୩ ଜାନୁଆରି ୧୩ରୁ ୨୯ ମଧ୍ୟରେ ଏହା କରାଇବାକୁ ତାରିଖ ମଧ୍ୟ ଧାର୍ଯ୍ୟ ରହିଛି। ଶୁକ୍ରବାର ସ୍ବିଜରଲାଣ୍ଡ୍‌ର ଲୌସାନଠାରେ ଏଫଆଇଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଶେଷରେ ଏହି ଘୋଷଣା କରାଯାଇଛି। ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ ଏଫଆଇଏଚ୍‌ ଘୋଷଣାରେ ଖୁସି ହୋଇଛନ୍ତି। ଦେଶ ସ୍ବାଧୀନତାର ୭୫ତମ ପୂର୍ତି ଅବସରରେ ଖୁସି ହେବା ଲାଗି ଏହା ଆଉ ଏକ ଅବସର ଆଣିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଆମେ ଏହାକୁ ଅଧିକ ଉନ୍ନତ ଭାବରେ ଆୟୋଜନ କରିବୁ ବୋଲି ଅହମ୍ମଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ସ୍ପେନ୍‌-ନେଦରଲାଣ୍ଡ୍‌ରେ ମହିଳା ବିଶ୍ବକପ୍‌
ଲୌସାନ୍‌ କାଯ୍ୟନିର୍ବାହୀ ବୋର୍ଡ ବୈଠକରେ ମଧ୍ୟ ୨୦୨୨ ମହିଳା ବିଶ୍ବକପ୍‌କୁ ସ୍ପେନ୍‌ ଓ ନେଦରଲାଣ୍ଡ୍‌ ମିଳିତଭାବେ ଆୟୋଜନ କରିବେ ବୋଲି ନିଷ୍ପତ୍ତି ହୋଇଛି। ଜୁଲାଇ ୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହା ଖେଳାଯିବ। ପ୍ରାରମ୍ଭିକ ପର୍ଯ୍ୟାୟ ଏବଂ କ୍ରସ୍‌ ଓଭର ଏହି ଦୁଇ ଦେଶରେ ଖେଳାଯିବା ପରେ ଚୂଡାନ୍ତ ପର୍ଯ୍ୟାୟ (ସେମିଫାଇନାଲ୍‌ ଓ ଫାଇନାଲ୍‌) ସ୍ପେନ୍‌ରେ ଆୟୋଜିତ ହେବ ବୋଲି କୁହାଯାଇଛି।

ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ସଚିବ
ଓଡ଼ିଶାର ସଫଳ ଆୟୋଜନ ପରେ ଭାରତକୁ ପୁଣି ଥରେ ଅଧିକାର ମିଳିବା ନିଶ୍ଚିତ ଭାବେ ଖୁସିର ବିଷୟ। ଆମେ ମଧ୍ୟ ୨୦୨୩ ମସିହାର ବିଶ୍ବକପ୍‌କୁ ଭୁବନେଶ୍ବରରେ ଆୟୋଜନ ନେଇ ବିଚାର କରୁଛୁ। ପ୍ରସ୍ତାବ ମିଳିବା ପରେ ନିଶ୍ଚିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବୁ ଏବଂ ସବୁକିଛି ତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରିବ ବୋଲି କହିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଲ କୁମାର ଦେବ। ମୁଁ ଲଣ୍ଡନ୍‌ରେ ଅଛି, ଓଡ଼ିଶା ଫେରିଲେ ଏ ସମ୍ପର୍କରେ ବିଚାର ବିମର୍ଶ କରିବୁ ବୋଲି ‘ସମ୍ବାଦ’ ସହ ଟେଲି‌ଫୋନ୍‌ରେ କଥା ହେବା ବେଳେ ପ୍ରକାଶ କରିଥିଲେ ଶ୍ରୀ ଦେବ।

ସମ୍ବନ୍ଧିତ ଖବର