ହକି ବିଶ୍ବକପ୍‌‌ ପ୍ରତ୍ୟାହାର ଆଶଙ୍କା କମିଲା: ସମୀକ୍ଷା ପାଇଁ ଭାରତ ପହଞ୍ଚିଲା ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳ

ସିଓଏ, କ୍ରୀଡ଼ା ସଚିବଙ୍କ ସହ କଲା ଗୁରୁତ୍ବପୂର୍ଣ୍ଣ ବୈଠକ, ସେପ୍ଟେମ୍ବର ୮ରେ ଭୁବନେଶ୍ବରରେ ବିଶ୍ବକପ୍ ଡ୍ର’ ଘୋଷଣା

ନୂଆଦିଲ୍ଲୀ: ଭୁବନେଶ୍ବର, ନବି ମୁମ୍ବାଇ ଏବଂ ଗୋଆରେ ହେବାକୁ ଥିବା ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ଆୟୋଜନ ଅଧିକାରକୁ ବିଶ୍ବ ଫୁଟ୍‌ବଲ୍ ମହାସଂଘ ବା ଫିଫା ପ୍ରତ୍ୟାହାର କରିବା ଭାରତୀୟ କ୍ରୀଡ଼ା ପାଇଁ ଶକ୍ତ ଧକ୍କା ହୋଇଥିଲା। ଏବେ ଭୁବନେଶ୍ବର ଏବଂ ରାଉରକେଲାରେ ହେବାକୁ ଥିବା ୨୦୨୩ ପୁରୁଷ ହକି ବିଶ୍ବକପ୍ ମଧ୍ୟ ସମାନ ଦଶା ଭୋଗିବାର ଆଶଙ୍କା ସୃଷ୍ଟି ହୋଇଛି। ନୂଆ ସମ୍ବିଧାନ ପ୍ରଣୟନ ସହ କର୍ମକର୍ତ୍ତା ନିର୍ବାଚନ ଯଥାଶୀଘ୍ର କରିବାକୁ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଭାରତୀୟ ହକିର ପରିଚାଳନା ଦାୟିତ୍ବରେ ଥିବା ପ୍ରଶାସକ ସମିତି (ସିଓଏ)କୁ କିଛିଦିନ ତଳେ ତାଗିଦ କରିଥିଲା। ଏପରିକି ବିଶ୍ବକପ୍‌ ଆୟୋଜନ ଅଧିକାର ପ୍ରତ୍ୟାହାର କରିବାକୁ ମଧ୍ୟ ଧମକ ଦେଇଥିଲା। ବୁଧବାର କିନ୍ତୁ ଏଫ୍‌ଆଇଏଚ୍‌ର ଏକ ପ୍ରତିନିଧି ମଣ୍ଡଳ ଭାରତ ଆସି ସିଓଏ ସଦସ୍ୟଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଛି। ଗୁରୁବାର ଏହି ପ୍ରତିନିଧି ମଣ୍ଡଳ ଓଡ଼ିଶା ଆସି ଭୁବନେଶ୍ବର ଏବଂ ରାଉରକେଲାରେ ଚାଲିଥିବା ବିଶ୍ବକପ୍‌ ପ୍ରସ୍ତୁତିର ଅନୁଧ୍ୟାନ କରିବ ବୋଲି ଜଣାପଡ଼ିଛି। ପ୍ରତିନିଧି ମଣ୍ଡଳର ଗସ୍ତ ପରେ ହକି ବିଶ୍ବକପ୍ ଆୟୋଜନ ଅଧିକାର ପ୍ରତ୍ୟାହାର ଆଶଙ୍କା ପୂର୍ବାପେକ୍ଷା ଟିକିଏ କମିଛି।

ଏଫ୍‌ଆଇଏଚ୍ ଏବଂ ସିଓଏ ପକ୍ଷରୁ ପ୍ରକାଶ କରାଯାଇଥିବା ଯୁଗ୍ମ ପ୍ରେସ୍ ବିଜ୍ଞପ୍ତି‌ରେ ବୈଠକରୁ ସକାରାତ୍ମକ ନିଷ୍କର୍ସ ବାହାରିଥିବା କୁହାଯାଇଛି। ବୈଠକରେ ଏଫ୍‌ଆଇଏଚ୍ କାର୍ଯ୍ୟକାରୀ ସଭାପତି ସୈଫ ଅହମ୍ମଦ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଥିଏରି ୱେଲ୍‌ଙ୍କ ସହ ସିଓଏ ସଦସ୍ୟ ତଥା ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅନିଲ ହାର ଦାଭେ, ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଏସ୍‌ୱାଇ କ୍ୟୁରେସି ଏବଂ ପଦ୍ମଶ୍ରୀ ଓ ପୂର୍ବତନ ଅଲିମ୍ପିଆନ୍ ଜାଫର ଇକବାଲ ଯୋଗଦେଇଥିଲେ। ଏହି ଅବସରରେ ଏଫ୍‌ଆଇଏଚ୍ ତରଫରୁ ଦିଆଯାଇଥିବା ଦୁଇଟି ପ୍ରସ୍ତାବକୁ ସିଓଏ ଗ୍ରହଣ କରିନେଇଥିଲା‌। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ ହକି ଇଣ୍ଡିଆର ସଂଶୋଧିତ ସମ୍ବିଧାନର ଚିଠା ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳକୁ ବୈଠକ ବେଳେ ପ୍ରଦାନ କରାଯାଇଥିଲା। ଚୂଡ଼ାନ୍ତ ଚିଠା ଆସନ୍ତା ୧୦ ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ମଧ୍ୟ ସିଓଏ ପ୍ରତିଶ୍ରୁତି ଦେଇଥିଲା। ସେହିଭଳି ହକି ଇଣ୍ଡିଆର ନିର୍ବାଚନ ଅକ୍ଟୋବର ୯ ସୁଦ୍ଧା ଶେଷ କରିବାକୁ ଉଭୟ ପକ୍ଷ ସହମତ ହୋଇଥିଲେ।

ସମୀକ୍ଷା ପାଇଁ ଭାରତ ପହଞ୍ଚିଲା ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳ
ସିଓଏ, କ୍ରୀଡ଼ା ସଚିବଙ୍କ ସହ କଲା ଗୁରୁତ୍ବପୂର୍ଣ୍ଣ ବୈଠକ
ଭୁବନେଶ୍ବର ଓ ରାଉରକେଲା ଆସି ପ୍ରସ୍ତୁତିର ଅନୁଧ୍ୟାନ କରିବ
ସେପ୍ଟେମ୍ବର ୮ରେ ଭୁବନେଶ୍ବରରେ ବିଶ୍ବକପ୍ ଡ୍ର’ ଘୋଷଣା

ବୈଠକ ପରେ ଅହମ୍ମଦ କହିଥିଲେ ଯେ ଆମେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କୁ ତୃତୀୟ ପକ୍ଷ ଭା‌ବେ ବିବେଚନା କରୁନାହୁଁ। ଭାରତର ବିଚାର ବ୍ୟବସ୍ଥାକୁ ଆମେ ସମ୍ମାନ ଦେଉ। ଆମେ ବିଶ୍ବାସ କରୁଛୁ ଯେ ନ୍ୟାୟଳୟଙ୍କ ନିର୍ଦ୍ଦେଶ ଭାରତୀୟ ହକିର ପରିଚାଳନାରେ ଅଯଥା ହସ୍ତକ୍ଷେପ ନୁହେଁ। ସିଓଏ ସଦସ୍ୟ ଜଷ୍ଟିସ୍ ଅନିଲ ଆର ଜାଭେ କହିଥିଲେ ଯେ ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳକୁ ଏହି ଗସ୍ତ ଲାଗି ଆମେ କୃତଜ୍ଞତା ଜଣାଉଛୁ। ଆଲୋଚନା ବେଶ୍ ଉତ୍ସାହଜନକ ଏବଂ ସକାରାତ୍ମକ ଥିଲା। ଅନେକ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆମେ ଏକମତ ହୋଇପାରିଥିଲୁ। ହକି ଇଣ୍ଡିଆର ସୁପରିଚାଳନା ଆମ ସମସ୍ତଙ୍କର ଲକ୍ଷ୍ୟ। ସୋମବାର ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳ କେନ୍ଦ୍ର କ୍ରୀଡ଼ା ସଚିବ ସୁଜାତା ଚର୍ତୁବେଦୀଙ୍କୁ ଭେଟିଥିଲା। ଓଡ଼ିଶା ସରକାରଙ୍କ କ୍ରୀଡ଼ା ସଚିବ ଆର ଭିନିଲକ୍ରିଷ୍ଣା ମଧ୍ୟ ଏଫ୍‌ଆଇଏଚ୍ ପ୍ରତିନିଧି ମଣ୍ଡଳକୁ ଭେଟି ୨୦୨୩ ପୁରୁଷ ହକି ବିଶ୍ବକପ୍ ପ୍ରସ୍ତୁତି ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। ସେ ମଧ୍ୟ ଏକ ଅଡିଓ ଭିଜୁଆଲ ଉପସ୍ଥାପନ କରିଥିଲେ। ବିଶ୍ବକପ୍‌ ଲାଗି ଓଡ଼ିଶା ସରକାର ସୃଷ୍ଟି କରୁଥିବା ଭିତ୍ତିଭୂମିକୁ ସମସ୍ତେ ଏକ ସ୍ବରରେ ପ୍ରଶଂସା କରିଥିଲେ। ସେପ୍ଟେମ୍ବର ୮ ତାରିଖରେ ଭୁବନେଶ୍ବରଠାରେ ବିଶ୍ବକପ୍‌ର ଆନୁଷ୍ଠାନିକ ଡ୍ର’ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା। ସୂଚନାଯୋଗ୍ୟ ଯେ ପୁରୁଷ ହକି ବିଶ୍ବକପ୍ ଜାନୁଆରି ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ସମ୍ବନ୍ଧିତ ଖବର