ଭୁବନେଶ୍ବର ସହ ତୁଳନୀୟ ବିଶ୍ବକପ୍ କଷ୍ଟସାଧ୍ୟ

ଭୁବନେଶ୍ବର: ସଦ୍ୟ ସମାପ୍ତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ ଏତେ ଉଚ୍ଚସ୍ତରୀୟ ମାନଦଣ୍ଡ ଛିଡ଼ା କରିଛି ଯେ ପରବର୍ତୀ ସଂସ୍କରଣ ‌ଆୟୋଜନ ଆଶାରେ ଥିବା ଦାବିଦାରଙ୍କ ମୁଣ୍ଡ ଏବେଠାରୁ ବିନ୍ଧିଲାଣି। ଭୁବନେଶ୍ବର ସଂସ୍କରଣର ସମକକ୍ଷ ତଥା ତୁଳନୀୟ ବିଶ୍ବକପ୍ କରିବା ପ୍ରାୟତଃ କଷ୍ଟକର ଏବଂ ଅସମ୍ଭବ ବ୍ୟାପାର ବୋଲି ଅନେକ ବିଚାର କରୁଛନ୍ତି। ଫଳରେ ହକିର ସର୍ବୋଚ୍ଚ ପରିଚାଳନା ସଂସ୍ଥା ଏଫ୍‌ଆଇଏଚ୍‌ (ଅନ୍ତର୍ଜାତୀୟ ହକି ମହାସଂଘ) ସହିତ ଦାବିଦାରଙ୍କ ଯୋଜନା ବି ନୂଆ ଦିଶା ନେବାକୁ ଯାଉଛି। ଲମ୍ବା ଖେଳସୂଚୀ ପାଇଁ ଓଡ଼ିଶା ହକି ବିଶ୍ବକପ୍‌କୁ ନେଇ ଏକମାତ୍ର ପ୍ରତିବାଦ ଥିଲା। ଏହି‌ ଗୋଟିଏ ପ୍ରସଙ୍ଗକୁ ଛାଡ଼ିଦେଲେ ଅଂଶଗ୍ରହଣକାରୀ ଦେଶଠାରୁ ଆରମ୍ଭ କରି ସବୁ ବର୍ଗରୁ ମିଳିଥିଲା ଅଜସ୍ର ପ୍ରଶଂସା। ଯାହାକି ଏଫ୍‌ଆଇଏଚ୍ ପାଇଁ ଏକ ପ୍ରକାର ବୁମେରାଂ ହୋଇଛି। ଏଭଳି ସ୍ତରର ପ୍ରତିଯୋଗିତା କରିବା ଏବଂ ଅନୁସରଣ କିରିବା କାଠିକର ପାଠ ବୋଲି ଅନୁଭବ କରୁଛନ୍ତି ହକିର ପ୍ରମୁଖ ପ୍ରଶାସକ ଏବଂ ପରିଚାଳକ ଗୋଷ୍ଠୀ। ଅନେକ ୟୁରୋପୀୟ ଦେଶ ମଧ୍ୟ ସ୍ପଷ୍ଟ କରି ସାରିଛନ୍ତି ଏ ଧରଣର ବିଶ୍ବକପ୍ ଭବିଷ୍ୟତରେ କରିବା କଷ୍ଟକର ହୋଇଯିବ। ଏପରିକି ପରବର୍ତୀ ଆୟୋଜକ ଦୌଡ଼ରେ ଥିବା ଦେଶଗୁଡ଼ିକର ଚିନ୍ତା ବଢ଼ିଯାଇଛି। ଭୁବନେଶ୍ବର ହକିକୁ‌ ନେଇ‌ ଯେଭଳି ମାହୋଲ ସୃଷ୍ଟି କରିଗଲା ତାହାକୁ ପିଛା କରିବା ପରିବର୍ତେ ଏଡ଼ାଇଯିବା ସ୍ଥିତିରେ ରହିଛନ୍ତି। ବିଶେଷ କାନ୍ଥବାଡ଼ ଚିତ୍ରଣ, ଉଦ୍‌ଘାଟନୀ ସାସ୍କୃତିକ କାର୍ଯ୍ୟକ୍ରମ, କଳାକାରଙ୍କ ପ୍ରଦର୍ଶନୀ, ପ୍ରଶଂସକ ଗାଁର ସୁବିଧା ସୁଯୋଗ, ବିଦ୍ୟାଳୟ ପିଲାଙ୍କୁ ସମ୍ପୃକ୍ତି, କିମ୍ବଦନ୍ତୀଙ୍କୁ ଯୋଡ଼ିବା, କ୍ରୀଡ଼ା ପର୍ଯ୍ୟଟନ ଓ ପରିଭ୍ରମଣ ଆଦି ହକି ବାହାର ପରିବେଶ ଅଭିନବ ପରିବେଶ ଦେଇଥିଲା। କୌଣସି‌ ଗୋଟିଏ ସୁଯୋଗକୁ ବି ଓଡ଼ିଶା ସରକାର ଛାଡ଼ିବା ସ୍ଥିତିରେ ନ ଥିଲେ। ଖର୍ଚ ଏକ ପ୍ରତିବଂଧକ ନ ଥିଲା। ଯାହାକୁ ୨୦୨୨ ସଂସ୍କରଣ ଆୟୋଜକଙ୍କ ପାଇଁ ବିଶେଷ ଚିନ୍ତା ଆଣିଛି। ୨୦୨୨ ବିଶ୍ବକପ୍ କେଉଁଠାରେ ହେବ ଧାର୍ଯ୍ୟ ହୋଇନାହିଁ। ସନ୍ତୋଷଜନକ ଦାବିଦାର ନ ମିଳିଲେ ଖୁବ୍ ଶୀଘ୍ର ଏଫ୍‌ଆଇଏଚ୍ ଏହାର ବିଡ୍‌କୁ ପୁନର୍ବାର ଖୋଲିବା ଚିନ୍ତାରେ ରହିଛି।

୨୦୨୨ ମସିହାର ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍ ଲାଗି ବିଡିଂ ପ୍ରକ୍ରିୟା ୨୦୧୭ ସେପ୍ଟେମ୍ବରରୁ ଶେଷ ହୋଇଥିଲା। ଉଭୟ ପୁରୁଷ ଓ ମହିଳା ବିଶ୍ବକପ୍ ଆୟୋଜନ ପାଇଁ ଅଷ୍ଟ୍ରେଲିଆ, ଜର୍ମାନି, ମାଲେସିଆ ଏବଂ କେବଳ ମହିଳା ବିଶ୍ବକପ୍‌ ପାଇଁ ସ୍ପେନ୍ ଦାଦିଦାର ରହିଛନ୍ତି। ଦୁଇଟି ଦେଶକୁ ଭିନ୍ନ ଭିନ୍ନ ଭାବେ ଏହା ପ୍ରଦାନ କରାଯିବ। ଆସନ୍ତା ଫେବ୍ରୁଆରି ସୁଦ୍ଧା ଏହା ଚୂଡାନ୍ତ ହେବ ବୋଲି ମଧ୍ୟ କୁହାଯାଇଛି। ଭୁବନେଶ୍ବରରେ ଶେଷ ହୋଇଥିବା ଏଫ୍‌ଆଇଏଚ୍‌ର କାର୍ଯ୍ୟନିର୍ବାହୀ‌ ବୋର୍ଡ ବୈଠକ କିନ୍ତୁ ୨୦୧୯ ଜାନୁଆରିରେ ଏହାକୁ ପୁନଃ ଆବେଦନ କରିବାର ସୁଯୋଗ ଦେବ ବୋଲି ସ୍ପଷ୍ଟ କରିଛି। ଦାବିଦାର ଦେଶଗୁଡ଼ିକ ଏହାକୁ ‌ବିରୋଧ କରିଥିଲେ ମଧ୍ୟ ଏଫ୍‌ଆଇଏଚ୍ ଶୀଷ୍ଠତାର ସହ ‘ଦୁଃଖିତ’ କହି ଏଡ଼ାଇ ଯାଇଛି। କିନ୍ତୁ ଭବିଷ୍ୟତର ବିଶ୍ବକପ୍ ନିଶ୍ଚିତ ୧୫ ଦିନ ଭିତରେ ସୀମିତ ରଖାଯିବ ବୋଲି ଏଫ୍‌ଆଇଏଚ୍ କଥା ଦେଇଛି। କିନ୍ତୁ ନୂଆ ଦାବିଦାର ନିମନ୍ତ୍ରଣ କଥା ଉଠିଥିବାରୁ ହକି ପାଇଁ ଆଗକୁ ମଜାଦାର ସମୟ ଆସୁଛି।

୨୦୨୨ ଦାବିଦାର ଥିବା ୪ ଦେଶ ପୂର୍ବରୁ ଅଲଗା ଅଲଗା ଭାବେ ପୁରୁଷ ଓ ମହିଳା ବିଶ୍ବକପ୍‌କୁ ସଫଳତାର ସହ ଆୟୋଜନ କରି ସାରିଛନ୍ତି। କେବଳ ନେଦରଲାଣ୍ଡ୍ ମିଳିତ ଭାବେ ଏହାକୁ ଦୁଇ ଥର (୧୯୯୮ ଏବଂ ୨୦୧୪) କରିଥିଲା। ଜର୍ମାନି ୧୯୭୬ରେ ମହିଳା ଏବଂ ୨୦୦୬ରେ ପୁରୁଷ ବିଶ୍ବକପ୍ କରିଥିଲା। ଅଷ୍ଟ୍ରେଲିଆ ମହିଳା ବିଶ୍ବକପ୍‌କୁ ୧୯୯୦ (ସିଡନି), ୨୦୦୨ (ପର୍ଥ)ରେ ଏବଂ ପୁରୁଷ ସଂସ୍କରଣକୁ ୧୯୯୪ (ସିଡନି)ରେ କରିଥିଲା। ୨୦୧୮ ପୁରୁଷ ଓ ମହିଳା ସଂସ୍କରଣ ଦୌଡ଼ରେ ଅଷ୍ଟ୍ରେଲିଆ ରହିଥିଲେ ମଧ୍ୟ ଆର୍ଥିକ କାରଣରୁ ଓହରିଯାଇଥିଲା। ଯାହାକୁ ଯଥାକ୍ରମେ ଲଣ୍ଡନ ଓ ଭୁବନେଶ୍ବରରେ ହୋଇସାରିଛି। ମାଲେସିଆ ଦୁଇ ଥର (୧୯୭୫ ଏବଂ୨୦୦୨) ପୁରୁଷ ବିଶ୍ବକପ୍ କରି ସାରିଛି। ନିଜର ଦୃଢ଼ ମହିଳା ଦଳ ନ ଥିଲେ ମଧ୍ୟ ୧୯୮୩ ମସିହାରେ ମଧ୍ୟ ମହିଳା ବିଶ୍ବକପ୍ କରିଥିଲା। ସ୍ପେନ୍‌ ପୁରୁଷ ବିଶ୍ବକପ୍‌କୁ ଥରେ (ବାର୍ସିଲୋନା-୧୯୭୩), ମହିଳା ବିଶ୍ବକପ୍‌କୁ ଦୁଇ ଥର (୧୯୭୮ଏବଂ ୨୦୦୬) ଆୟୋଜନ କରିଛି। ୨୦୨୨ ଦାବିରେ ବି ସେ ପୁରୁଷ ସଂସ୍କରଣ ଲାଗି ନୂଆ ଦିଗ ଦେଇଛି।

କୁଆଲାଲମ୍ପୁର ହେଉଛି ଏକମାତ୍ର ‌ଭେନ୍ୟୁ ଯେଉଁଠି ପୁରୁଷ ବିଶ୍ବକପ୍ ଦୁଇ ଥର ଖେଳାସରିଛି। ନେଦରଲାଣ୍ଡ୍ ଏବଂ ଭାରତ ହେଉଛନ୍ତି ଦୁଇଟି‌ ଦେଶ ଯିଏ ସର୍ବାଧିକ ୩ ଥର ‌ଲେଖାଏଁ ଆୟୋଜନ କରିଛନ୍ତି। ପ୍ରତି ଥର ଏହା ଅଲଗା ଅଲଗା ସହରରେ ହୋଇଛି। ନେଦରଲାଣ୍ଡ୍‌ର ଆମଷ୍ଟର୍‌ଡାମ (୧୯୭୩), ୟୁଟ୍ରେଚ୍‌ (୧୯୯୮), ଦି ହେଗ୍‌ (୨୦୧୪) ଏବଂ ଭାରତର ମୁମ୍ବାଇ (୧୯୮୨), ନୂଆଦିଲ୍ଲୀ (୨୦୧୦), ଭୁବନେଶ୍ବର (୨୦୧୮) ଏହି ତାଲିକାରେ ରହିଛନ୍ତି।

ସମ୍ବନ୍ଧିତ ଖବର