ବୋତଲରେ ବିଶ୍ବକପ୍, ବୋତଲ କଳାକୃତି ସହ ‌ଶିଳ୍ପୀ ଏଲ୍‌ ଈଶ୍ବର ରାଓ

ଭୁବନେଶ୍ବର: ବିଶ୍ବକପ୍‌ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଛାପ ଛାଡ଼ିବା ଲାଗି ସ୍ଥାନୀୟ ହକି‌ପ୍ରେମୀ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କିଏ ପୁସ୍ତକ ରଚନା କରୁଛି ତ, ଆଉ କିଏ ନିଜ ଖର୍ଚରେ ଦେଶ ବିଦେଶ ବୁଲି ବିଶ୍ବକପ୍‌ର ପ୍ରଚାର କରୁଛି। ଜଟଣୀ ହାଟବଜାର ସ୍ଥିତ ଗୋପୀନାଥପୁରର ସୁକ୍ଷ୍ମକଳା କଳାକାର ଏଲ୍ ଈଶ୍ବର ରାଓ ମଧ୍ୟ ଏହି କ୍ଷେତ୍ରରେ ପଛରେ ନାହାନ୍ତି। ଅତୀତରେ ବହୁ କ୍ରୀଡ଼ା ମହୋତ୍ସବ ତଥା କ୍ରୀଡ଼ାବିତଙ୍କ ସଫଳତାକୁ କାଚ ବୋତଲ ଭିତରେ ସ୍ଥାନ ଦେଇ ଅଶେଷ ଲୋକପ୍ରିୟତା ଏବଂ ପ୍ରଶଂସା ସାଉଣ୍ଟି ଥିବା ଈଶ୍ବର ଭୁବନେଶ୍ବର ହକି ବିଶ୍ବକପ୍‌ର ଟ୍ରଫିକୁ ‌ବୋତଲ ଭିତରେ ସ୍ଥାନ ଦେଇଛନ୍ତି। ଏହାକୁ ସେ ହକି ବିଶ୍ବକପ୍‌ର କ୍ଷୁଦ୍ରତମ ପ୍ରତିକୃତି ବୋଲି ଦାବି କରୁଛନ୍ତି। ବୋତଲରେ ଟ୍ରଫି ରଖି ବିଶ୍ବକପ୍‌ରେ ଅଂଶଗ୍ରହଣ କରୁଥିବା ୧୬ଟି ଯାକ ଦଳକୁ ଈଶ୍ବର ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି। ତେବେ ଭାରତ ବିଶ୍ବକପ୍ ଜିତୁ ବୋଲି ସେ ଚାହାନ୍ତି। ନିଜେ ଜଣେ କ୍ରିକେଟ୍ ପ୍ରେମୀ ହୋଇଥିଲେ ମଧ୍ୟ କଳିଙ୍ଗ ଷ୍ଟାଡିୟମ ଆସି ସ୍ବଚକ୍ଷୁରେ ହକି ବିଶ୍ବକପ୍ ନ ଦେଖିବାର ଦୁଃଖ ଅବଶ୍ୟ ତାଙ୍କ ମନରେ ରହିଛି। କାରଣ ତାଙ୍କୁ ଏ ପର୍ଯ୍ୟନ୍ତ ବିଶ୍ବକପ୍‌ର ଟିକେଟ ଟିଏ ମିଳି ପାରିନାହିଁ। ତେବେ ନିଜ କଳା ମାଧ୍ୟମରେ ସେ ବିଶ୍ବକପ୍ ସହ ଯୋଡ଼ି ହୋଇ ଯାଇଛନ୍ତି।
ଈଶ୍ବର ଢେର କିଛି ବର୍ଷ ହେବ ନିଆରା ବୋତଲ କଳାରେ ନିଜକୁ ନିୟୋଜିତ କରିଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, କ୍ରିକେଟ୍ ବିଶ୍ବକପ୍, ଫୁଟବଲ୍ ବିଶ୍ବକପ୍ ଓ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଟ୍ରଫିକୁ ସେ ନିଜ ‌ବୋତଲ କଳାରେ ନୂଆ ରୂପ ଦେଇଛନ୍ତି। ନିଜ ନିଆରା କଳା ଦକ୍ଷତାରେ ପ୍ରସ୍ତୁତ କରିଥିବା କଳାକୃତିକୁ ନେଇ ଈଶ୍ବର ଏକ ସଂଗ୍ରହାଳୟ ମଧ୍ୟ ସ୍ଥାପନ କରିଛନ୍ତି। ଏଥିରେ ୩,୦୦୦ କଳାକୃତି ରହିଛି। ସେହିଭଳି ପେସା‌ରେ ଟ୍ୟୁସନ୍ ମାଷ୍ଟର ଥିବା ଈଶ୍ବର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ୍ ଫାଉଣ୍ଡେସନ୍ ଟ୍ରଷ୍ଟ ନାମରେ ଏକ ସ୍ବେଚ୍ଛା‌ସେବୀ ସଂଗଠନ ମଧ୍ୟ ଚଳାଉଛନ୍ତି। ୩୬ ବର୍ଷୀୟ ଈଶ୍ବର ନିଜର ଏହି କଳାର ପ୍ରଚାର ପ୍ରସାର କରିବା ଲାଗି ଏବେ ସୁଯୋଗ ସନ୍ଧାନରେ ରହିଛନ୍ତି। କେବଳ କ୍ରୀଡ଼ା ନୁହେଁ ଗଣେଶ ପୂଜା, ସ୍ବାଧୀନତା ଦିବସ, ଦଶହରା ଏବଂ ଦୀପାବଳୀ ଭଳି ପର୍ବ ପର୍ବାଣୀକୁ ସେ ନିଜ ବୋତଲ କଳାରେ ସ୍ଥାନ ଦେଇ ସାରିଛନ୍ତି। ହକି ଆମ ଜାତୀୟ କ୍ରୀଡ଼ା। ଏହାର ପ୍ରଚାର ପ୍ରସାର କରିବା ଆମ ସମସ୍ତଙ୍କର କର୍ତବ୍ୟ। ମୁଁ ବିଶ୍ବକପ୍ ପାଇଁ କିଛି ଥିବାରୁ ବହୁତ ଖୁସି ବୋଲି ଈଶ୍ବର କହିଛନ୍ତି।

ସମ୍ବନ୍ଧିତ ଖବର