ବିଜୟରେ ଛାଡ଼ିଲା ହକି ଜ୍ୱର

ରାଜଧାନୀ ଭୁବନେଶ୍ୱରକୁ ଗତ ଦୁଇ ସପ୍ତାହ ଧରି ଜାବୁଡ଼ି ଧରିଥିଲା ହକି ଜ୍ୱର। ଶୀତୁଆ ସଂଧ୍ୟା ହେଉ କି ଅବପାତଜନିତ ବର୍ଷା କେହି ବି ପ୍ରତିହତ କରିପାରି ନଥିଲେ ହକିପ୍ରେମୀଙ୍କ ଉତ୍ସାହ ଓ ଉନ୍ମାଦନାକୁ। ସମ୍ପୂର୍ଣ୍ଣ କାୟା ବିସ୍ତାର କରିଥିଲା ହକି ଓ ଖେଳପ୍ରେମୀଙ୍କ ହଙ୍ଗାମା। ରାଜଧାନୀର ବାବୁ ଓ ବାବୁଆଣୀ ହୁଅନ୍ତୁ କି ଛୋଟପିଲା। ସମସ୍ତଙ୍କୁ ଘାରିଥିଲା ଆଦିବାସୀ ପ୍ରାଧାନ୍ୟ ଏହି ପାରମ୍ପାରିକ ଓ ପୁରୁଣା ଖେଳର ନିଶା। ବିଜୁ ପଟ୍ଟନାୟକ କଳିଙ୍ଗ ହକି କମ୍ପ୍ଲେକ୍ସରେ ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱ ଲିଗ୍‌ର ସଫଳ ସମାପନ ପୂର୍ବରୁ ଏହି ଖେଳ ଜ୍ୱର ରବିବାର ରାତିରେ କୋପରେ ପରିଣତ ହୋଇଥିଲା। କିନ୍ତୁ ଭାରତର କାଂସ୍ୟ ବିଜୟ ସହିତ କ୍ରୀଡ଼ାପାଗଳଙ୍କୁ ହକି ଜ୍ୱର ଛାଡ଼ିବା ଆରମ୍ଭ କରିଛି। ମନୋରଂଜନର ଶୀର୍ଷରେ ରବିବାର ପହଞ୍ଚିଥିଲା। ଷ୍ଟାଡିୟମ୍‌ ଭିତର କୁହନ୍ତୁ କି ବାହାର କେଉଁଠି ବି ହକି କୁମ୍ଭର କୌଣସି ଛାପ କମ୍‌ ନ ଥିଲା। ୨୦୧୮ ନଭେମ୍ବର-ଡିସେମ୍ବରରେ ହକି ବିଶ୍ୱ କପ୍‌ ସହିତ ପୁଣି କମ୍ପିବ କଳିଙ୍ଗ ଷ୍ଟାଡିୟମ୍‌।

କଳିଙ୍ଗରେ ରାଜାରାଣୀ

ରବିବାର କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏବଂ ମହାରାଣୀ ଉଦ୍‌ଯାପନୀ ଦିବସର ଅନ୍ୟତମ ଆକର୍ଷଣ ଥିଲେ। ଅନ୍ୟ ଅତିଥିମାନେ ଆରାମଦାୟକ ସୋଫାରେ ବସି ମ୍ୟାଚ୍‌ ଉପଭୋଗ କରିଥିଲେ। ହେଲେ ଦୁର୍ଭାଗ୍ୟଜନକ ଭାବେ ଗଜପତି ଓ ମହାରାଣୀ ସାଧାରଣ ଚୌକିରେ ବସି ମ୍ୟାଚ୍‌ ଦେଖିବାକୁ ବାଧ୍ୟ ହୋଇଥିଲେ। ସେପଟେ ରାଜ୍ୟ ସରକାର, ହକି ଇଣ୍ଡିଆ ଏବଂ ଅନ୍ତର୍ଜାତୀୟ ହକି ମହାସଂଘ ଡାକିଥିବା ଅନ୍ୟ ଅତିଥିମାନେ କିନ୍ତୁ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ପକା ଯାଇଥିବା ସ୍ୱତନ୍ତ୍ର ମଖମଲି ସୋଫାରେ ବସିଥିଲେ। ଦୀର୍ଘ ସମୟ ଧରି ଗଜପତି ସେହି ସାଧାରଣ ପ୍ଲାଷ୍ଟିକ ଚୌକିରେ ବସି ମ୍ୟାଚ୍‌ ଦେଖିଲା ପରେ ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ପାଖକୁ ଡାକି ସୋଫାରେ ବସାଇଥିଲେ।

ଦିଲ୍‌ ଜିତିଲେ ଦର୍ଶକ

ରବିବାର କଳିଙ୍ଗ ଷ୍ଟାଡିୟମର ମାହୋଲ ଥିଲା ପୂରା ମନ୍ତ୍ରମୁଗ୍ଧକର। ଫାଇନାଲ୍‌ ଅପେକ୍ଷା ଭାରତ-ଜର୍ମାନି ତୃତୀୟ ସ୍ଥାନ ମ୍ୟାଚ୍‌ ଥିଲା ଅଧିକ ମନୋହର। ଏହି ମ୍ୟାଚ୍‌ ବେଳେ ଷ୍ଟାଡିୟମରେ ଉପସ୍ଥିତ ୮,୦୦୦ ଦର୍ଶକ ଯେମିତି ହକି ପ୍ରେମରେ ପୂରା ପାଗଳ ହୋଇ ଯାଇଥିଲେ। ଉଭୟ ଗ୍ୟାଲେରିରେ ସୋରିଷ ପକାଇବାକୁ ବି ଜାଗା ନଥିଲା। ଦର୍ଶକମାନେ ଏହି ମ୍ୟାଚ୍‌ର ପ୍ରତି ମୁହୂର୍ତକୂ ଯେମିତି ମନଭରି ଉପଯୋଗ କରିଥିଲେ। ଷ୍ଟାଡିୟମ୍‌ ଭିତରକୁ ପଶିବାକୁ ଲମ୍ବା ଧାଡ଼ିରେ ଠିଆ ହେବାର ଦୁଃଖକୁ ସେମାନେ ଭାରତ ବିଜୟରେ ଭୁଲି ଯାଇଥିଲେ। ଏହା ପରେ ଭାରତ, ଭାରତ ରଡ଼ିରେ କମ୍ପି ଉଠିଥିଲା ପୂରା ଷ୍ଟାଡିୟମ୍‌। ଘରୋଇ ଦଳ ୨-୧ରେ ଜିତିବା ପରେ ବିଜୟ ଉତ୍ସବ ଏବଂ ଖେଳାଳିଙ୍କ ପ୍ରଶଂସାରେ ଷ୍ଟାଡିୟମ୍‌ ହୋଇ ଯାଇଥିଲା ଉତ୍ସବ ମୁଖର।

ଭିତରେ ହକି ବାହାରେ କ୍ରିକେଟ୍‌

ରବିବାର କଳିଙ୍ଗ ଷ୍ଟାଡିୟମକୁ ଦୁଇ ପ୍ରକାର ଖେଳ ଜ୍ୱର ଗ୍ରାସିଥିଲା। ପଡ଼ିଆ ଭିତରେ ହକି ପ୍ରେମରେ ଦର୍ଶକ ଉବୁଟୁବୁ ହୋଇଥିଲେ। ଏହା ପୂର୍ବରୁ କିନ୍ତୁ ଷ୍ଟାଡିୟମକୁ କ୍ରିକେଟ୍‌ ପ୍ରେମ ଘାରିଥିଲା। ଆଜି ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ର ଫାଇନାଲ୍‌ ମ୍ୟାଚ୍‌ ଏବଂ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚ୍‌ ଲାଗି କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସ ବାହାରେ ବଡ଼ ପରଦାର ବ୍ୟବସ୍ଥା କରାଯାଇଥିଲା। ସଂଧ୍ୟାରେ ହକି ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଷ୍ଟାଡିୟମରେ ଉପସ୍ଥିତ ଥିବା ଖେଳ ପ୍ରେମୀ ସେହି ପରଦାରେ ଧର୍ମଶାଳାରେ ଖେଳା ଯାଇଥିବା ଭାରତ-ଶ୍ରୀଲଙ୍କା ମ୍ୟାଚ୍‌ର ସିଧା ପ୍ରସାରଣର ମଜା ନେଇଥିଲେ। ଦୁର୍ଭାଗ୍ୟଜନକ ଭାବେ ଭାରତ ସେହି ମ୍ୟାଚ୍‌ ହାରି ଯାଇଥିଲା। ହକିରେ କିନ୍ତୁ ଜର୍ମାନିକୁ ହରାଇ ଭାରତ ତୃତୀୟ ସ୍ଥାନରେ ରହିବା ପରେ ଏହି ଦୁଃଖ କିଛି ମାତ୍ରାରେ ଲାଘବ ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭାରତ-ଜର୍ମାନି ମ୍ୟାଚ୍‌ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଂସ୍ୟ ବିଜୟ ପାଇଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ କାଂସ୍ୟ ପଦକ ବିଜୟ ପାଇଁ ମୁଁ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଉଛି। ରାଜ୍ୟ ସରକାର ଦଳର ସମସ୍ତ ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିଭଳି କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ମଧ୍ୟ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଥିଲେ। ସଂଧ୍ୟା ବେଳେ ହକିପ୍ରେମୀ ଷ୍ଟାଡିୟମରେ ପ୍ରବେଶ କରିବା ଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରକିି ପୁଲିସକୁ ଲାଠିମାଡ଼ କରିବାକୁ ପଡ଼ିଥିଲେ। ହେଲେ ଏପରିକି କୌଣସି ଖବର ଆମ ପାଖରେ ନାହିଁ। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି ସେ କହିଥିଲେ।

ଧର୍ମେନ୍ଦ୍ରଙ୍କ ପ୍ରତିଶ୍ରୁତି

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଓଡ଼ିଶା ଏବଂ ସମଗ୍ର ଦେଶ ପାଇଁ କ୍ରୀଡ଼ାମନ୍ତ୍ରଣାଳୟ ପ୍ରସ୍ତୁତ କରୁଥିବା ଯୋଜନାକୁ ତୈଳ ମନ୍ତ୍ରଣାଳୟ ସବୁପ୍ରକାର ସହାୟତା କରୁଛି। ଆଗକୁ ମଧ୍ୟ ଏହି ଧାରା ଜାରି ରହିବ। ରବିବାର ହକି ବିଶ୍ୱ ଲିଗ୍‌ ଫାଇନାଲରେ ଅତିଥି ଭାବେ ଯୋଗ ଦେଇଥିବା କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ରିଓ ଅଲିମ୍ପିକ୍ସରେ ଧାବିକା ଦୂତି ଚାନ୍ଦ ଏବଂ ଶ୍ରାବଣୀ ନନ୍ଦଙ୍କ ସହ ଓଡ଼ିଶାର ୬ ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏହା ସ୍ପଷ୍ଟ କରୁଛି ଯେ ଭାରତର କ୍ରୀଡ଼ା ମାନଚତ୍ରରେ ଓଡ଼ିଶାର ସ୍ଥିତି କ୍ରମଶଃ ସୁଦୃଢ଼ ହୋଇ ଚାଲିଛି। ଭାରତୀୟ ଦଳର ତାରକା ରକ୍ଷଣଭାଗ ଖେଳାଳି ତଥା ଓଡ଼ିଶାର ଗର୍ବ ବୀରେନ୍ଦ୍ର ଲାକ୍ରା ରାଷ୍ଟ୍ରାୟତ ତୈଳ କଂପାନି ଓଏନଜିସିର କର୍ମଚାରୀ। କଂପାନି ଖେଳ ପାଇଁ ତାଙ୍କୁ ସବୁପ୍ରକାର ସହାୟତା ଦେଉଛି ବୋଲି ଏହି ଅବସରରେ ଧର୍ମେନ୍ଦ୍ର କହିଥିଲେ। ଓଡ଼ିଆ ଖେଳାଳିଙ୍କ ପାଇଁ ତୈଳ ମନ୍ତ୍ରଣାଳୟ ସବୁ ପ୍ରକାର ସହାୟତା ଦେବ ବୋଲି ସେ କରିଛନ୍ତି।

ସମ୍ବନ୍ଧିତ ଖବର