ଭୁବନେଶ୍ୱର: ହକି ବିଶ୍ୱକପର ଚତୁର୍ଥ ଦିନର ଶେଷ ମ୍ୟାଚ ରୋମାଞ୍ଚକପୂର୍ଣ୍ଣ ହୋଇଛି। ଆଜି ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ମଧ୍ୟରେ ହୋଇଥିବା ମୁକାବିଲାରେ ଉଭୟ ଦଳର ଦମଦାର ପ୍ରଦର୍ଶନ ପରେ ୩-୩ରେ ମ୍ୟାଚଟି ଡ୍ର ହୋଇଛି। ଆର୍ଜେଣ୍ଟିନା ଦଳ ତରଫରୁ ଡୋମେନେ ତୋମାସ ଦଳ ପ୍ରଥମ ଗୋଲ ଦେଇଥିଲେ। ପରେ ପରେ କ୍ୟାସେଲ୍ଲା ମାଇକୋ ଏବଂ ଫେରରେଇରୋ ମାର୍ଟିନ ଦଳ ପାଇଁ ଆଉ ଗୋଟିଏ ଗୋଟିଏ ଗୋଲ ହାତେଇବାରେ ସଫଳ ହୋଇଥିଲେ । ସେହିଭଳି ଅଷ୍ଟ୍ରେଲିଆ ଦଳ ତରଫରୁ ହେୱାର୍ଡ ଜେରମୀ ଓ ବେଆଲେ ଡାନିଏଲ ଗୋଟିଏ ଗୋଟିଏ ଗୋଲ ଦେଇଥିଲେ। କିନ୍ତୁ ଶେଷ କ୍ୱାଟରରେ ଗୋଭେର୍ସ ବ୍ଲକେ ଶେଷ ଗୋଲ ଦେଇ ଦଳକୁ ବରାବରକୁ ନେବା ସହ ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲେ।

Advertisment

ମ୍ୟାଚ ଡ୍ର ପରେ ଉଭୟ ଦଳକୁ ୧ ପଏଣ୍ଟ ମିଳିବ। ସେହିପରି ହକି ବିଶ୍ୱକପର ଚତୁର୍ଥ ଦିନର ତୃତୀୟ ମ୍ୟାଚରେ ସାଉଥ ଆଫ୍ରିକାକୁ ହରାଇଥିଲା ଫ୍ରାନ୍ସ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ୨-୧ ଗୋଲରେ ବିଜୟ ଲାଭ କରିଛି ଫ୍ରାନ୍ସ। ତୃତୀୟ କ୍ୱାର୍ଟର ମଧ୍ୟରେ ଉଭୟ ଦଳ ୧-୧ ରେ ବରାବର ଥିବା ସତ୍ତ୍ୱେ ଚତୁର୍ଥ କ୍ୱାର୍ଟରରେ ଫ୍ରାନ୍ସ ଅଧିନାୟକ ଚାରଲେଟ ଭିକ୍ଟରଙ୍କ ଦ୍ୱିତୀୟ ଗୋଲ ବଳରେ ବିଜୟୀ ହୋଇଥିଲା ଫ୍ରାନ୍ସ ଦଳ। ସାଉଥ ଆଫ୍ରିକା ଦଳ ତରଫରୁ ବେଆଉଚମ୍ପ କଂନୋର ହିଁ ଏକମାତ୍ର ଗୋଲ କରିଥିଲେ। ସେହିପରି ଆଜି ରାଉରକେଲାରେ ନ୍ୟୁଜିଲାଣ୍ଡ ଓ ନେଦରଲାଣ୍ଡ ମଧ୍ୟରେ ଦ୍ଵିତୀୟ ମ୍ୟାଚ ଖେଳାଯାଇଥିଲା | ପ୍ରଥମ ମ୍ୟାଚ ମାଲେସିଆ ଓ ଚିଲି ମଧ୍ୟରେ ଖେଳାଯାଇଥିଲା | ଏହି ମ୍ୟାଚରେ ମାଲେସିଆ ୩-୨ ଗୋଲରେ ଚିଲିକୁ ପରାସ୍ତ କରିଥିଲା | ସେହିପରି ନେଦରଲାଣ୍ଡ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା |