ହକି ବିଶ୍ବକପ୍‌ ଇତିହାସ

ଅାଉ ୨୧ ଦିନ

ଭୁବନେଶ୍ବର: ହକି ବିଶ୍ବକପ୍‌ ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଦ୍ବାରା ଆୟୋଜିତ ବିଶ୍ବ ହକିର ସର୍ବଶ୍ରେଷ୍ଠ ପ୍ରତିଯୋଗିତା। ୧୯୭୧ ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ବକପ୍‌ରେ ମୋଟ ୧୨ ଦେଶ ଅଂଶଗ୍ରହଣ କରିଥିଲେ। ତେବେ ଚଳିତ ବର୍ଷ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ହକି ବିଶ୍ବକପ୍‌ରେ ମୋଟ ୧୬ ଦେଶ ଭାଗ ନେଉଛନ୍ତି। ମହିଳା ହକି ବିଶ୍ବକପ୍‌ ୧୯୭୪ ମସିହାରେ ଆରମ୍ଭ ହୋଇଥିଲା। ଅଲିମ୍ପିକ୍ସର ହକି ବିଭାଗରେ ଭାରତ ଅଦ୍ୟାବଧି ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ହକି ବିଶ୍ବକପ୍‌ରେ ପଡ଼େଶୀ ଦେଶ ପାକିସ୍ତାନ ନିଜର ଦବ୍‌ଦବା ଜାହିର କରିଛି। ବିଶ୍ବକପ୍‌ ଇତିହାସରେ ପାକିସ୍ତାନ ୪ ଥର ବିଜେତା ହୋଇଥିବା ବେଳେ ନେଦରଲାଣ୍ଡ ଓ ଅଷ୍ଟ୍ରେଲିଆ ୩ ଥର ଲେଖାଏଁ ଟ୍ରଫି ହାସଲ କରିଛନ୍ତି। ଜର୍ମାନି ୨ ଏବଂ ଭାରତ ୧୯୭୫ ମସିହାରେ ଥରେ ବିଶ୍ବ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରିଛି।
ପାକିସ୍ତାନର ତତ୍କାଳୀନ ଏୟାର ଚିଫ୍‌ ମାର୍ସାଲ୍‌ ନୁର୍‌ ଖାନ୍‌ଙ୍କ ମନରେ ପ୍ରଥମେ ହକି ବିଶ୍ବକପ୍‌କୁ ନେଇ କଳ୍ପନା ଜନ୍ମ ନେଇଥିଲା। ସେ ଏହି ପ୍ରସ୍ତାବକୁ ‘ୱାର୍ଲଡ ହକି’ ପତ୍ରିକାର ସମ୍ପାଦକ ପାଟ୍ରିକ ରୋଲେଙ୍କ ଜରିଆରେ ଏଫ୍‌ଆଇଏଚ୍‌କୁ ଜଣାଇଥିଲେ। ୨୬ ଅକ୍ଟୋବର ୧୯୬୯ରେ ତାଙ୍କର ଏହି ପ୍ରସ୍ତାବ ମଞ୍ଜୁରି ଲାଭ କରିଥିଲା। ୧୯୭୦ ମସିହା ଏପ୍ରିଲ ମାସ ୧୨ ତାରିଖ ଏଫ୍‌ଆଇଏଚ୍‌ କାଉନ୍‌ସିଲ୍‌ରେ ନିଷ୍ପତ୍ତି ନିଆଗଲା ଯେ ପ୍ରଥମ ହକି ବିଶ୍ବକପ୍‌ ୧୯୭୧ ମସିହା ଅକ୍ଟୋବର ମାସରେ ପାକିସ୍ତା‌ନରେ ଅନୁଷ୍ଠିତ ହେବ। ମାତ୍ର ପାକିସ୍ତାନର ଆ‌ୟୋଜନ ନେଇ ବିଶ୍ବ ରାଜନୀତିରେ ସାମୟିକ ଅସ୍ଥିରତା ଦେଖାଗଲା। ବାଂଲାଦେଶରେ ଲିବରେସନ ଯୁଦ୍ଧ ଚାଲୁଥିବା ବେଳେ ଏବଂ ଅନ୍ୟପକ୍ଷରେ ମାତ୍ର ୬ ବର୍ଷ ପୂର୍ବରୁ ଭାରତ-ପାକିସ୍ତାନ ଯୁଦ୍ଧ ସମାପ୍ତ ହୋଇଥିବାରୁ ଭାରତର ଅଂଶଗ୍ରହଣକୁ ପାକିସ୍ତାନର କେ‌େତକ ସଂଗଠନ ବିରୋଧ କଲେ। ଭାରତୀୟ ଉପମହାଦେଶରେ ରାଜନୈତିକ ଅସ୍ଥିରତାକୁ ଅଖି ଆଗରେ ରଖି ଏଫ୍‌ଆଇଏଚ୍‌ କର୍ତ୍ତୃପକ୍ଷ ବିଶ୍ବକପ୍‌ ଆୟୋଜନକାରୀ ରାଷ୍ଟ୍ର ଭାବରେ ପାକିସ୍ତାନକୁ ବାଦ୍‌‌ ଦେ‌େଲ। ଏଥିପାଇଁ ଅପେକ୍ଷାକୃତ ଶାନ୍ତ, ନିରପେକ୍ଷ ଓ ରାଜନୈତିକ ଦୃଷ୍ଟିକୋଣରୁ ସ୍ଥିର ରାଷ୍ଟ୍ର ସ୍ପେନ୍‌ର ବାର୍ସିଲୋନା ସହରକୁ ଚୟନ କରାଗଲା। ପ୍ରଥମ ୩ଟି ବିଶ୍ବକପ୍‌ ଦୁଇବର୍ଷ ବ୍ୟବଧାନରେ ଖେଳାଯାଇଥିଲା। ଏହାପରେ ପ୍ରତ୍ୟେକ ବିଶ୍ବକପ୍‌ ୪ ବର୍ଷ ବ୍ୟବଧାନରେ ଖେଳାଯାଉଛି।
ହକି ବିଶ୍ବକପ୍‌ର ପ୍ରଥମ ପର୍ଯ୍ୟାୟରେ ‘କ୍ବାଲିଫିକେସନ୍’ ରାଉଣ୍ଡ୍‌ ରହିଛି। ସମସ୍ତ ଅଂଶଗ୍ରହଣକାରୀ ରାଷ୍ଟ୍ର ଏହି ପର୍ଯ୍ୟାୟର ଅନ୍ତର୍ଭୁକ୍ତ। ବିଶ୍ବକପ୍‌ରେ ଭାଗନେଇଥିବା ଦେଶଗୁଡ଼ିକୁ ଦୁଇ ବା ତତୋଧିକ ‘ପୁଲ୍‌’ ବା ‘ଗ୍ରୁପ୍‌’ରେ ବିଭକ୍ତ କରାଯାଇଥାଏ। ପ୍ରତ୍ୟେକ ପୁଲ୍‌ର ଶ୍ରେଷ୍ଠ ଦଳ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ବେଳେ ଅନ୍ୟଗୁଡ଼ିକ ପ୍ଲେ-ଅଫ୍‌ ପର୍ଯ୍ୟାୟକୁ ଯାଇଥାନ୍ତି। ‌େସଠାରୁ ଅନ୍ୟାନ୍ୟ ଶ୍ରେଷ୍ଠ ଦଳ ଚୟନ ହୋଇଥାନ୍ତି। ଚଳିତ ଥର ଭାଗ ନେଉଥିବା ମୋଟ ୧୬ ଦେଶକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍‌ ‘ସି’ରେ ବେଲ୍‌ଜିୟମ, କାନାଡା, ଦକ୍ଷିଣ ଆଫ୍ରିକା ସମେତ ଭାରତ ରହିଛି। ଆଜି ପର୍ଯ୍ୟନ୍ତ ମୋଟ ୯ଟି ଦେଶ ବିଶ୍ବକପ୍‌ ଆୟୋଜନ କରିସାରିଛନ୍ତି। କେବଳ ନେଦରଲାଣ୍ଡ (୧୯୭୩, ୧୯୯୮) ଦୁଇ ଥର ଏବଂ ଜର୍ମାନି (୨୦୦୬) ଥରେ ଆୟୋଜକ ର‌ାଷ୍ଟ୍ର ଭାବେ ବିଶ୍ବ ବିଜେତା ହେବାର ସୌଭାଗ୍ୟ ଅର୍ଜନ କରଛନ୍ତି।

ସମ୍ବନ୍ଧିତ ଖବର