ସୁନ୍ଦରଗଡ଼: ସେଦିନ ଥିଲା ୨୦୨୧ ଅଗଷ୍ଟ ୨ ତାରିଖ। ଅଲିମ୍ପିକ୍ ଇତିହାସରେ ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଦେଖାଇଥିଲା ଚମତ୍କାର। ଟୋକିଓ ଅଲିମ୍ପିକ୍ସରେ ତିନିଥର ଅଲିମ୍ପିକ ବିଜେତା ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ଦଳ ସେମିଫାଇନାଲକୁ ପ୍ରବେଶ କରି ସାରା ବିଶ୍ବକୁ ଚମକାଇ ଦେଇଥିଲା। ସେଦିନ ଚମକିଥିଲେ ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିଥିବା ୨୭ ବର୍ଷୀୟା ଆଦିବାସୀ ଝିଅ ହକିର ‘ଲେଡି ଦିଲୀପ ତିର୍କି’ ଦୀପ୍ଗ୍ରେସ୍ ଏକ୍କା। ଚର୍ଚ୍ଚାକୁ ଆସିଥିଲା ତାଙ୍କ ଜନ୍ମମାଟି ସୁନ୍ଦରଗଡ଼ର ଏକ ଛୋଟ ଅଖ୍ୟାତ ଆଦିବାସୀ ପଲ୍ଲୀ ଲୁଲୁକିଡିହି। ମାନଚିତ୍ରରେ ହଜିଯାଇଥିବା ଗାଁକୁ ଖୋଜିବାକୁ ଲାଗିଲେ ହକିପ୍ରେମୀ। ସୁନ୍ଦରଗଡ଼ଠାରୁ ୫୭ କିଲୋମିଟର ଦୂର ଝାରଖଣ୍ଡ-ଛତିଶଗଡ଼ ସୀମାନ୍ତରେ ଥିବା ବାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ ଏହି ଗାଁ’ର ଏକ ଗରିବ ଚାଷୀ ପରିବାରରେ ଟିଣଛପର ଘରେ ଜନ୍ମଗ୍ରହଣ କରିଥିବା ଦୀପ୍ଗ୍ରେସ୍ଙ୍କ ଚମତ୍କାର ଖେଳ ଶୈଳୀ, ଅକ୍ଲାନ୍ତ ପରିଶ୍ରମ କରିବାର ଆଗ୍ରହ, ପ୍ରତିପକ୍ଷ ଦଳର ଆକ୍ରମଣକୁ ଏକୁଟିଆ ପ୍ରତିହତ କରିବାର ସାମର୍ଥ୍ୟକୁ ଦେଖିଲେ। ପିଲାଦିନେ ବାପାଙ୍କ ସହ ଗାଁ ପାଖ ଜଙ୍ଗଲରୁ ଧଉଁଲା ବା ଧଅଁରା ଗଛର କାଠ ଆଣି ସେଥିରେ ହକି ବାଡ଼ି ଓ ଛିଣ୍ଡା ଜରିରେ ବଲ୍ ତିଆରି କରି ଗାଁଦାଣ୍ଡରେ ଛୋଟପିଲାଙ୍କ ସହ ସେ ହକି ଅଭ୍ୟାସ କରି ଏତେ ବାଟ ଆସିଛନ୍ତି ବୋଲି ବିଶ୍ବାସ ହୁଏନାହିଁ।
ତେବେ ଅର୍ଜୁନ ସମ୍ମାନ ପାଇଥିବା ଦୀପ୍ଗ୍ରେସ୍ ଲୁଲୁକିଡ଼ିହିର ପ୍ରଥମ କି ଏକମାତ୍ର ହକି ପ୍ରତିଭା ନୁହନ୍ତି। ଏ ମାଟି ତାଙ୍କ ପୂର୍ବରୁ ଅନେକ ଅଲିମ୍ପିଆନ ଓ ଅନ୍ତର୍ଜାତିକ ହକି ତାରକାଙ୍କୁ ଜନ୍ମ ଦେଇଛି। ସବୁ କିଛି ଅପହଞ୍ଚ ଥିବା ଏବଂ ଦାରିଦ୍ର୍ୟ, ଅଭାବ ମଧ୍ୟରେ ଗାଁର ଦନ୍ତୁର ପଡ଼ିଆରେ ବାଉଁଶ ଓ ଧଅଁରା କାଠର ବାଡ଼ିରେ ହକି ଖେଳି ଗାଁର ଅନେକ ପୁଅଝିଅ ସୁଯୋଗ ଓ ସମ୍ଭାବନାକୁ ହାତମୁଠାରେ ସାଉଁଟି ଆଣିଛନ୍ତି। ଏତେ ସବୁ ନାହିଁ ନାହିଁ ମଧ୍ୟରେ କଠିନ ପରିଶ୍ରମରେ ବିଶ୍ବାସ ରଖିଥିବା ଏହି ଆଦିବାସୀ ଖେଳାଳିଙ୍କ ଶାରୀରିକ କ୍ଷମତା, ଦମ୍ଭ, କ୍ଷିପ୍ରତା, ଶୃଙ୍ଖଳା ମନୋଭାବ ସହ ଲୋକଦେଖାଣିଆ ଖେଳ ଅପେକ୍ଷା ଦଳର ସ୍ବାର୍ଥକୁ ଗୁରୁତ୍ବ ଦେବା ହିଁ ସେମାନଙ୍କୁ ଆଣିଦେଇଛି ସଫଳତା। ଜିଲ୍ଲାର ସର୍ବାଧିକ ଅଲିମ୍ପିଆନ, ଜାତୀୟ, ଅନ୍ତର୍ଜାତୀୟ ହକି ତାରକାଙ୍କୁ ତିଆରି କରି ହକି ଗାଁ ରୂପେ ଖ୍ୟାତ ଲୁଲୁକିଡ଼ିହିରେ ଅଲିମ୍ପିଆନ ଭ୍ରାତା ଇଗ୍ନେସ ତିର୍କି ଓ ପ୍ରବୋଧ ତିର୍କି ହକିର ଅନ୍ୟ ଏକ ବିସ୍ମୟ। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଇଗ୍ନେସ ଫୁଲ୍ବ୍ୟାକ୍ ଖେଳାଳି ଭାବେ ବହୁ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏଥିପାଇଁ ତାଙ୍କୁ ୨୦୦୩ରେ ଏକଲବ୍ୟ, ୨୦୦୯ରେ ଅର୍ଜୁନ, ୨୦୧୦ରେ ପଦ୍ମଶ୍ରୀ ସମ୍ମାନ ମିଳିଥିଲା।
ସେହିପରି ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ପ୍ରବୋଧ ଭାରତୀୟ ଦଳକୁ ଅନେକ ଖେଳରେ ଚାମ୍ପିଅନର ସ୍ବାଦ ଚଖାଇ ଏକଲବ୍ୟ ପୁରସ୍କାର, ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ ପାଇଛନ୍ତି। ଗୋଟିଏ ମା’ କୋଳର ଦୁଇପୁଅ ଇଗ୍ନେସ ଓ ପ୍ରବୋଧଙ୍କ ଭାରତୀୟ ହକି ପ୍ରତି ବଡ଼ ଅବଦାନ ରହିଛି। ଦୀପ୍ଗ୍ରେସ୍ଙ୍କ ବାପା ଚାର୍ଲସ ମଧ୍ୟ ହକି ଖେଳାଳି ଥିଲେ। ଦଳର ରକ୍ଷଣଭାଗ ସମ୍ଭାଳୁଥିବା ଚାର୍ଲସ ସେତେବେଳେ ଝାଡ଼ଖଣ୍ଡ, ଛତିଶଗଡ଼ ଅଞ୍ଚଳକୁ ମ୍ୟାଚ୍ ଖେଳିବାକୁ ଯାଉଥିଲେ। କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ତାଲିମ ଅଭାବରୁ ସେ ଗାଁ ଖେଳାଳି ହୋଇ ରହିଯାଇଥିଲେ। ଦୀପ୍ଗ୍ରେସ୍ଙ୍କ ପରି ତାଙ୍କ ଭାଇ ଡେନିସ୍ ମଧ୍ୟ ଜଣେ ହକି ଖେଳାଳି। ସେ ଦିଲ୍ଲୀରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ନିଗମରେ ନିଯୁକ୍ତି ପାଇ କମ୍ପାନି ଟିମ୍ରେ ଖେଳୁଛନ୍ତି। ସେହିପରି ବିନିତା ଟପ୍ପୋ, ନୀଳିମା କୁଜୁର, ଆନ୍ନାରିତା କେର୍କେଟା, ମୁକ୍ତା ବାର୍ଲା, ସନ୍ତୋଷ ମାଝୀଙ୍କ ପରି ୧୦ରୁ ଅଧିକ ଖେଳାଳି ଏହି ମାଟିରୁ ଯାଇ ଜାତୀୟ ପଡ଼ିଆରେ ଚମକିଛନ୍ତି। ଗାଁର ଗୋଡ଼ିବାଲିର ଦନ୍ତୁର ପଡ଼ିଆରୁ ଭାରତୀୟ ପୁରୁଷ ହକି ଦଳର ଦୁଇ ଅଧିନାୟକ ଓ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଭାର ସମ୍ଭାଳିବାର ସୌଭାଗ୍ୟ ପାଇଥିବା ସୁଯୋଗ୍ୟ ସନ୍ତାନଙ୍କ ପାଇଁ ଏହି ଗାଁ ଆଜି ସତରେ ସୁନାମଧନ୍ୟ। ଏଥିପାଇଁ ପୁରୁଷ ହକି ବିଶ୍ବକପ୍ ସମୟରେ ସ୍ମରଣକୁ ଆସିଛି ଜିଲ୍ଲାର ହକି ଗାଁ ଲୁଲୁକିଡ଼ିହି।