ଫାଷ୍ଟ୍ ହକି ଖେଳିବା ପାଇଁ ପରିଚିତ ବେଲ୍ଜିୟମ ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ଥିଲେ ମଧ୍ୟ କେବଳ ଚାମ୍ପିଅନ୍ସ ଚ୍ୟାଲେଞ୍ଜ ଛଡ଼ା ଅନ୍ୟ କୌଣସି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ଏ ପର୍ଯ୍ୟନ୍ତ ବିଜେତା ହୋଇନାହିଁ। ଭୁବନେଶ୍ବରରେ ଚାଲିଥିବା ଚତୁର୍ଦଶ ହକି ବିଶ୍ବକପ୍ରେ ବେଲଜିୟମ ସଫଳତାର ନୂଆ ସ୍ତର ଛୁଇଁବା ଆଶାରେ ରହିଛି। ଏହି ୟୁରୋପୀୟ ଶକ୍ତିର ବିଶ୍ବକପ୍ ଜିତିବା ସ୍ବପ୍ନ ପୂରଣ ହେବା ଅଭିଜ୍ଞ ତାରକା ଥୋମାସ ବ୍ରିଏଲ୍ସଙ୍କ ଉପରେ ଅଧିକ ନିର୍ଭର କରିବ। ୩୦୦ରୁ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ସାରିଥିବା ବ୍ରିଏଲ୍ସ କେବଳ ଜଣେ ହକି ଖେଳାଳି ନୁହନ୍ତି। ଜର୍ମାନି ଅଧିନାୟକ ମାର୍ଟିନ ହେନରଙ୍କ ଭଳି ସେ ଜଣେ ଡାକ୍ତର ମଧ୍ୟ। ଫରକ ଏତିକି ଯେ ହେନର ଅସ୍ଥି ଶଲ୍ୟ ବିଶେଷଜ୍ଞ ହୋଇଥିଲା ବେଳେ ବ୍ରିଏଲ୍ସ ହେଉଛନ୍ତି ପେଡିଆଟ୍ରିଷ୍ଟ ବା ପାଦ ରୋଗ ଚିହ୍ନଟ କରୁଥିବା ଡାକ୍ତର।
ବ୍ରିଏଲ୍ସଙ୍କ ଯମଜ ଭାଇ ଓ ଭଉଣୀ ମଧ୍ୟ ହକି ଖେଳନ୍ତି। ମାତ୍ର ୪ ବର୍ଷ ବୟସରୁ ସେ ହକି ଖେଳିବା ଆରମ୍ଭ କରିଥିଲେ। ବେଲ୍ଜିୟମର ଶୀର୍ଷ ସ୍ତରୀୟ ହକି କ୍ଲବ୍ କେଏଚ୍ସି ଡ୍ରାଗନ୍ସର କନିଷ୍ଠ ଦଳରେ ଚମକ ଦେଖାଇବା ପରେ ତାଙ୍କୁ ବେଲ୍ଜିୟମ ଜାତୀୟ ଦଳରେ ସ୍ଥାନ ମିଳିଥିଲା। ନେଦରଲାଣ୍ଡ୍ର ପ୍ରତିଷ୍ଠିତ ହକି କ୍ଲବ୍ ଅରେଞ୍ଜ-ଜ୍ବାର୍ଟ ସହ ହକି ଇଣ୍ଡିଆ ଲିଗ୍ ଖେଳିବାର ଅଭିଜ୍ଞତା ତାଙ୍କର ଅଛି। କଳିଙ୍ଗ ଷ୍ଟାଡିୟମରେ ଭାରତକୁ ହରାଇବା ସହଜ ନୁହେଁ। ସେମାନଙ୍କ ପଛରେ ୧୫୦୦୦ ଦର୍ଶକ ଥିଲେ। ତଥାପି ଆମେ ସେମାନଙ୍କୁ ପଏଣ୍ଟ୍ ବାଣ୍ଟିବାକୁ ବାଧ୍ୟ କଲୁ ବୋଲି ଉତ୍ସାହିତ ବ୍ରିଏଲ୍ସ କହିଛନ୍ତି। ୧୯୮୭ ମସିହା ଅଗଷ୍ଟ ୨୩ରେ ଜନ୍ମଗ୍ରହଣ କରିଥିବା ବ୍ରିଏଲ୍ସ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ବେଲ୍ଜିୟମ ଦଳର ସଦସ୍ୟ ଥିଲେ। ତାଙ୍କର ତିନିଟି ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/broils.jpg)