ଇଂଲଣ୍ଡକୁ ଘାଇଲା କଲେ ହୋଲଡ୍‌ର-ଗାବ୍ରିଏଲ୍‌, ଇଂଲଣ୍ଡ ୨୦୪, ୱେଷ୍ଟଇଣ୍ଡିଜ୍‌ ୫୭/୧

ଷ୍ଟୋକ୍ସଙ୍କ ପିଠିରେ ବିକାଶ

ସାଉଥାମ୍ପଟନ୍‌: ଦର୍ଶକବିହୀନ କ୍ରିକେଟ୍‌ ବି ରୋମାଞ୍ଚରେ କିଛି କମ ଦମ୍‌ ଦେଖାଉନାହିଁ। ଇଂଲଣ୍ଡ୍‌ ଏବଂ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାରଠାରୁ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନ ବର୍ଷା କାରଣରୁ ମାତ୍ର ୧୭.୪ ଓଭର ଖେଳ ହୋଇଥିଲା। ଗୁରୁବାର ଦ୍ବିତୀୟ ଦିବସରେ କିନ୍ତୁ ବୋଲରଙ୍କ କମାଲ କାରଣରୁ ଘରୋଇ ଇଂଲଣ୍ଡ ପ୍ରଥମ ପାଳି ମାତ୍ର ୨୦୪ ରନ୍‌ରେ ଶେଷ ହୋଇଯାଇଛି। ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲଡର (୬/୪୨) ଏବଂ ସାନନ୍ ଗାବ୍ରିଏଲ୍ (୪/୬୨) ମିଳିତ ଭାବେ ୧୦ ୱିକେଟ୍ ବାଣ୍ଟି ନେବାରୁ ବେନ୍ ‌ଷ୍ଟୋକ୍ସଙ୍କ ଦଳ ଆହ୍ବାନଭରା ସ୍କୋର ଛିଡ଼ା କରିବାରେ ବିଫଳ ହୋଇଛି। ଜବାବରେ ଦ୍ବିତୀୟ ଦିନ ଖେଳ ଆଲୋକ ଅଭାବରୁ ଆଗୁଆ ବନ୍ଦ ବେଳକୁ ୱେଷ୍ଟଇଣ୍ଡିଜ୍‌ ୧ ୱିକେଟ୍ ବିନିମୟରେ ୫୭ ରନ୍ ସଂଗ୍ରହ କରି ନେଇଥିଲା।

ଗୁରୁବାର ପାଗ ଠିକ୍‌ ଥିବାରୁ ନିର୍ଧାରିତ ସମୟରେ ଖେଳ ଆରମ୍ଭ ହୋଇଥିଲା। ୩୫/୧ରୁ‌ ଖେଳ ଆରମ୍ଭ କରିଥିବା ଇଂଲଣ୍ଡକୁ କିନ୍ତୁ ନିଜର ଲଗାତାର ଓଭରରେ ଝଟକା ଦେଇଥିଲେ ସାନନ୍ ଗାବ୍ରିଏଲ୍‌। ‌ପ୍ରଥମେ ଜୋ ଡେନଲି (୧୮, ୫୮ ବଲ୍‌)ଙ୍କୁ ବୋଲଡ୍ କରିଦେବା ପରେ ପରବର୍ତୀ ଓଭରରେ ରୋରି ବର୍ନସଙ୍କୁ (୩୦, ୮୫ ବଲ୍) ଲେଗ୍ ବିଫୋର କରାଇ ନେଇଥିଲେ। ପୂର୍ବଦିନ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ‌ଡମ୍ ଶିବଲେ (୦)ଙ୍କୁ ଖାତା ଖୋଲିବାକୁ ଦେଇନଥିବା ଗାବ୍ରିଏଲ୍‌ ଏଥି ସହ ଇଂଲଣ୍ଡର ପ୍ରଥମ ୩ ୱିକେଟ୍ ଦଖଲ କରିନେଇଥିଲେ। ମଧ୍ୟକ୍ରମରେ ଇଂଲଣ୍ଡ ପାଇଁ ଜାକ୍ କ୍ରଲି (୧୦), ଅଧିନାୟକ ବେନ୍ ଷ୍ଟୋକ୍ସ (୪୩, ୯୭ ବଲ୍‌), ଓଲି‌‌ ପୋପ୍ (୧୨), ଜୋସ୍ ବଟଲର୍ (୩୫, ୪୭ ବଲ୍‌) ଏବଂ ଡମ୍ ବେସ୍‌ (୩୧*, ୪୪ ବଲ୍‌) ଲଢ଼ିଥିଲେ ମଧ୍ୟ ଜାସନ୍ ହୋଲଡରଙ୍କ ମଧ୍ୟମଗତି ବୋଲିଂ ଆଗରେ ହାର ମାନିଥିଲେ। ମଧ୍ୟାହ୍ନ‌ ଭୋଜନ ପୂର୍ବ ଓ ପରେ ହୋଲଡରଙ୍କ ବୋଲିଂରେ କ୍ରଲି, ପୋପ୍‌, ଷ୍ଟୋକ୍ସ, ବଟଲର୍‌, ଆର୍ଚର, ମାର୍କ ଉଡ୍‌ ପ୍ରମୁଖ ଶିକାର ହୋଇଥିଲେ। ସପ୍ତମ ଥର ପାଇଁ ୫ ୱିକେଟ୍ ସଫଳତା ପାଇଥିବା ହୋଲଡର୍ ମଧ୍ୟ ନିଜ ଟେଷ୍ଟ୍ କ୍ରିକେଟ୍ ଜୀବନର ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର (୨୦-୬-୪୨-୬) ଅର୍ଜନ କରିଥିଲେ। ଦୁଇ ଦୁଇ ଥର କ୍ୟାଚ୍‌ ଡ୍ରପ୍‌ରୁ ବର୍ତିଥିବା ଷ୍ଟୋକ୍ସଙ୍କୁ ହୋଲଡର୍ ପଞ୍ଚମ ଶିକାର କରିଥିଲେ। ଜେମ୍ସ ଆଣ୍ଡରସନ୍‌ଙ୍କୁ ବୋଲ୍ଡ କରି ଗାବ୍ରିଏଲ୍‌ ନିଜର ଚତୁର୍ଥ ଶିକାର ସହିତ ଇଂଲଣ୍ଡ ପାଳିକୁ ଶେଷ କରିଥିଲେ। ଗାବ୍ରିଏଲଙ୍କ ୪ ୱିକେଟ୍‌ ମଧ୍ୟରୁ ୩ଟି ବୋଲଡ୍ ଆଉଟ୍ ସାମିଲ ରହିଥିଲା। ଏହା ପୂର୍ବରୁ କିନ୍ତୁ ଆଣ୍ଡରସନ୍‌ ଯୁବ ଖେଳାଳି ଡୋମିନିକ୍ ବେସ୍ (୩୧*, ୪୪ ବଲ୍‌)ଙ୍କୁ ସାଥୀ କରି ଶେଷ ୱିକେଟ୍‌ରେ ୩୦ ରନ୍ ଯୋଡ଼ିନେବାରୁ ଇଂଲଣ୍ଡ ପାଳି ୨୦୦ ଟପି ପାରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍ ଚା’ପାନ ବିରତି ପରେ ପାଳି ଆରମ୍ଭ କରିଥିଲା। ଆଲୋକ ଅଭାବରୁ ବାରମ୍ବାର ଅଟକିଥିଲେ ମଧ୍ୟ ପ୍ରାରମ୍ଭିକ ଯୋଡ଼ି ଜନ୍ କ୍ୟାମ୍ପ୍‌ବେଲ୍ ଏବଂ କ୍ରେଗ୍ ବ୍ରାଥ୍‌ୱେଟ୍‌ ଭଲ ଆରମ୍ଭ କରିଥିଲେ। କ୍ୟାମ୍ପ୍‌ବେଲ୍ (୨୮, ୩୬ ବଲ୍‌)ଙ୍କୁ ଆଣ୍ଡରସନ୍ ଲେଗ୍ ବିଫୋର କରାଇ ଭ୍ରମଣକାରୀ ଦଳକୁ ପ୍ରଥମ ଝଟ୍‌କା ଦେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୬୭.୩ ଓଭରରେ ୨୦୪ (ବେନ୍‌ ଷ୍ଟୋକ୍ସ-୪୩, ଜୋସ୍ ବଟଲର୍‌-୩୫, ଡୋମିନିକ୍‌ ବେସ୍-୩୧*, ଜାସନ୍ ହୋଲଡର-୬/୪୨, ସାନନ୍ ଗାବ୍ରିଏଲ୍‌-୪/୬୨)।

ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି: ୧୯.୩ ଓଭରରେ ୫୭/୧ (ଜନ୍ କ୍ୟାମ୍ପ୍‌ବେଲ୍‌-୨୮, କ୍ରେଗ୍ ବ୍ରାଥ୍‌ୱେଟ୍-୨୦*, ସାଇ ହୋପ୍‌-୩*, ଜେମ୍ସ ଆଣ୍ଡରସନ୍-୧/୧୭)।

ଷ୍ଟୋକ୍ସଙ୍କ ପିଠିରେ ବିକାଶ
ରୋଜ୍‌ ବାଉଲ୍‌ରେ ଚାଲିଥିବା ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିବସରେ ଉଭୟ ଦଳର ଖେଳାଳିମାନେ ‘ବ୍ଲାକ୍ ଲାଇଭ୍ ମ୍ୟାଟର୍‌ସ’ ଅଭିଯାନକୁ ପଡ଼ିଆରେ ଗୋଟିଏ ଆଣ୍ଠୁ ମାଡି ସମର୍ଥନ କରିଥିଲେ। ଏହା ପୂର୍ବରୁ କିନ୍ତୁ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ ଅଭ୍ୟାସ ଶିବିରରେ ଇଂଲଣ୍ଡ ଖେଳାଳିମାନେ ନିଜ ଜର୍ସି ପଛପଟେ କିଛି ଯୋଦ୍ଧାଙ୍କ ନାମ ଲେଖିଥିଲେ। ଇଂଲଣ୍ଡର କାମଚଳା ଅଧିନାୟକ‌ ବେନ୍ ଷ୍ଟୋକ୍ସଙ୍କ ଜର୍ସି ପଛରେ‌ ଲେଖାଥିଲା ‘ଡକ୍ଟର ବିକାଶ କୁମାର’। ଡକ୍ଟର ବିକାଶ ଜଣେ ଆନାସ୍ଥେଟିକ୍ସ ଆଣ୍ଡ କ୍ରିଟିକାଲ୍‌ କେୟାର ସ୍ପେଶାଲିଷ୍ଟ ଏବଂ ଡରହାମ୍‌ ପାଇଁ କ୍ରିକେଟ୍‌ ବି ଖେଳନ୍ତି। କରୋନା ଯୋଦ୍ଧାମାନଙ୍କ ପ୍ରତି ଏହା ‌ଛୋଟ ଶ୍ରଦ୍ଧାଞ୍ଜଳି ବୋଲି ଏହି ଅବସରରେ କହିଛନ୍ତି ଷ୍ଟୋକ୍ସ।

ସମ୍ବନ୍ଧିତ ଖବର