ହୋଲଡ୍‌ର ଏକ ନମ୍ବର ଅଲରାଉଣ୍ଡର୍‌:ସୋବର୍ସଙ୍କ ପରେ ପ୍ରଥମ ଇଣ୍ଡିଜ୍ ଖେଳାଳି

ଲଣ୍ଡନ୍‌: ଇଂଲଣ୍ଡ ବିପକ୍ଷ ବ୍ରିଜ୍ ଟାଉନ୍ ଟେଷ୍ଟ୍‌ରେ ଅପରାଜିତ ଦ୍ବିଶତକ ହାସଲ କରିବା ପରେ ୱେଷ୍ଟ୍‌ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍‌ଡର ଆଇସିସି ମାନ୍ୟତାର ଅଲରାଉଣ୍ଡର୍ ତାଲିକାରେ ଶୀର୍ଷ ସ୍ଥାନ ଦଖଲ କରି ନେଇଛନ୍ତି। ଏ କ୍ଷେତ୍ରରେ ସେ ନିଜ ଦେଶର ମହାନ ଅଲରାଉଣ୍ଡର୍‌ ଗ୍ୟାରି ସୋବର୍ସଙ୍କ ପରେ ପ୍ରଥମ ଖେଳାଳି‌ ହୋଇଛନ୍ତି। ବାର୍ବାଡୋସ୍‌ ଟେଷ୍ଟ୍‌ର ପ୍ରଥମ ପାଳିରେ ଉପ‌ଯୋଗୀ ୨ ୱିକେଟ୍ ନେଇଥିଲେ ମଧ୍ୟ‌ ହୋଲ୍‌ଡର ଦ୍ବିତୀୟ ପାଳିରେ ବିସ୍ଫୋରକ ଦ୍ବିଶତକ (୨୦୨*, ୨୨୯ ବଲ୍, ୨୩ ଚୌକା, ୮ ଛକା) ଅର୍ଜନ କରିଥିଲେ। ଇଣ୍ଡିଜ୍ ମଧ୍ୟ ଏହି ଟେଷ୍ଟ୍‌ରେ ନିଜର ବୃହତ୍ ବିଜୟ (୩୮୧ ରନ୍‌) ହାସଲ କରିଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇବା ପରେ ହୋଲ୍‌ଡର ଆଇସିସି ଅଲରାଉଣ୍ଡର୍ ମାନ୍ୟତାରେ ବାଂଲାଦେଶର ସକିବ୍ ଅଲ୍ ହାସନ୍ ଏବଂ ଭାରତର ରବୀନ୍ଦ୍ର ଜାଦେଜାଙ୍କୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛନ୍ତି।‌ ଇଂଲଣ୍ଡର ବେନ୍ ଷ୍ଟୋକ୍ସ ଚତୁର୍ଥରେ ଅପରିବର୍ତିତ ରହିଛନ୍ତି। ୧୯୭୪ ମସିହାରେ ସୋବର୍ସ ନିଜ ଅବସର ବର୍ଷରେ ହିଁ ଆଇସିସି ମାନ୍ୟତାରେ ଶୀର୍ଷରେ ପହଞ୍ଚିଥିଲେ। ୮୨ ବର୍ଷୀୟ ସୋବର୍ସ ମଧ୍ୟ ସଦ୍ୟ ସମାପ୍ତ ପ୍ରଥମ ଟେଷ୍ଟ୍ ଆରମ୍ଭ ପୂର୍ବରୁ ପଡ଼ିଆକୁ ଆସିଥିଲେ। ଏଥି ସହିତ ‌ୱେଷ୍ଟଇଣ୍ଡିଜ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଜନି ଗ୍ରେଭ୍‌ ଜାତୀୟ ଦଳକୁ ପୂର୍ବତନ ଇଂଲଣ୍ଡ ଖେଳାଳି ଠିକଣା ସମ୍ମାନ ଦେଇନଥିବାରୁ ଏହାର ତୀବ୍ର ସମାଲୋଚନା କରିଛନ୍ତି। ଶୃଙ୍ଖଳା ଆରମ୍ଭ ପୂର୍ବରୁ ଇଂଲଣ୍ଡର ଦୁଇ ପୂର୍ବତନ ଅଧିନାୟକ ଜିଓଫ୍ ବୟକଟ୍‌ ଏବଂ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍‌ ଖବର କାଗଜ ସ୍ତମ୍ଭରେ ଇଣ୍ଡିଜ୍‌ ଖେଳାଳିଙ୍କୁ ସାଧାରଣ ଓ ହାରାହାରି ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର