ହୋଲ୍‌ଡର ବିଦା: ପୋଲାର୍ଡ ଇଣ୍ଡିଜ୍‌ ସୀମିତ ଓଭର ଦଳ ଅଧିନାୟକ

ନୂଆଦିଲ୍ଲୀ: ଆଇସିସି ବିଶ୍ବକପ୍‌ ଏବଂ ଭାରତ ବିପକ୍ଷ ସମସ୍ତ ୩ ଶୃ୍‌ଙ୍ଖଳାରେ ଧୂଲେଇର ଶିକାର ହେବା ପରେ କ୍ରିକେଟ୍‌ ୱେ‌ଷ୍ଟଇଣ୍ଡିଜ୍ (ସିଡବଲ୍ୟୁଆଇ) ଜାସନ୍ ହୋଲ୍ଡର ଓ କାର୍ଲୋସ୍ ବ୍ରାଥ୍‌ୱେଟଙ୍କୁ ଯଥାକ୍ରମେ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳର ଅଧିନାୟକ ପଦରୁ ବିଦା କରିଛି। ତ୍ରିନିଦାଦ ଓ ଟବାଗୋ ଗାର୍ଡିଏନ୍‌ରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଅଲରାଉଣ୍ଡର କିରଣ‌ ପୋଲାର୍ଡଙ୍କୁ ସୀମିତ ଓଭର ଦଳର ଅଧିନାୟକ କରିବାକୁ ଗତ ଶନିବାର ବସିଥିବା ସିଡବଲ୍ୟୁଆଇ ବୋର୍ଡ ବୈଠକରେ ପ୍ରସ୍ତାବ ଦିଆଯାଇଛି। ପୋର୍ଟ ଅଫ ସ୍ପେନ୍‌ରେ ବସିଥିବା ଦୁଇ ଦିନିଆ ଏହି ପାକ୍ଷିକ ବୈଠକରେ ୬ ଜଣ ନିର୍ଦେଶକ ସମ୍ମତି ପ୍ରଦାନ କରିଥିବା ବେଳେ ଅନ୍ୟ ୬ ଜଣ ଅନୁପସ୍ଥିତ ରହିଥିଲେ। ୩୨ ବର୍ଷୀୟ ପୋଲାର୍ଡ କିନ୍ତୁ ଶେଷ ଥର ପାଇଁ ୨୦୧୬ ମସିହାରେ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିଲେ। ବଡ଼ ସଟ୍ ଖେଳାଳି ଭାବେ ପରିଚିତ ପୋଲାର୍ଡ ଅଦ୍ୟାବଧି ୧୦୧ ଦିନିକିଆ ଖେଳିଛନ୍ତି। ଏହି ଫର୍ମାଟରେ ସେ ୨୫.୭୧ ହାରରେ ୩ ଶତକ, ୯ ଅର୍ଧଶତକ ସହ ୨,୨୮୯ ରନ୍‌ କରିଛନ୍ତି। ୫୦ ୱିକେଟ୍‌ ମଧ୍ୟ ନେଇଛନ୍ତି। ଟ୍ବେଣ୍ଟି-୨୦ରେ ସେ ୬୨ ମ୍ୟାଚ୍‌ରୁ ୯୦୩ ରନ୍ ଏବଂ ୨୩ ୱିକେଟ୍‌ ସଂଗ୍ରହ କରିଛନ୍ତି। ୱେଷ୍ଟଇଣ୍ଡିଜ୍ ଗତ ୧୦ ଦଳୀୟ ବିଶ୍ବକପ୍‌ରେ ନବମ ସ୍ଥାନରେ ରହିଥିଲା। ୯ ମ୍ୟାଚ୍‌ରୁ ମାତ୍ର ୨ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର