ଭାଷ୍ୟକାରରୁ ହୋଲ୍ଡିଂଙ୍କ ଅବସର

ସୁମଧୁର ସ୍ବରକୁ କୋଟି କୋଟି କ୍ରିକେଟ୍‌ପ୍ରେମୀ ଝୁରିବେ: ସଚିନ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ତଥା ପ୍ରତିଷ୍ଠିତ ଭାଷ୍ୟକାର ମାଇକେଲ୍ ହୋଲ୍ଡିଂ ନିଜ ଟେଲିଭିଜନ କ୍ୟାରିୟରରେ ପୂର୍ଣ୍ଣଛେଦ ଟାଣିଛନ୍ତି। ଭାଷ୍ୟକାର ଜୀବନରୁ ଗୁରୁବାର ଅଚାନକ ଅବସର ଘୋଷଣା କରିଛନ୍ତି ଏହି ୬୬ ବର୍ଷୀୟ କ୍ରିକେଟ୍ କିଂବଦନ୍ତି। ହୋଲ୍ଡିଂ ଗତ ୨୦ ବର୍ଷ ହେବ ସ୍କାଏ ସ୍ପୋର୍ଟସ ଭାଷ୍ୟକାର ମଣ୍ଡଳିର ସଦସ୍ୟ ଥିଲେ। ସେ ମଧ୍ୟ ନିକଟରେ ଶେଷ ହୋଇଥିବା ଭାରତ-ଇଂଲଣ୍ଡ ଟେଷ୍ଟ୍ ଶୃଙ୍ଖଳାରେ ଧାରାବିବରଣୀ ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ।
ଗତ ଏକ ବର୍ଷ ହେବ କିନ୍ତୁ ନିଜ ପଦ ଛାଡ଼ିବାକୁ ବିଚାରବିମର୍ଶ କରିଆସୁଥିଲେ। ଏକ ରେଡିଓ ଟକ୍ ସୋ’ରେ ଅଂଶଗ୍ରହଣ କରି ଭାଷ୍ୟକାର ଜୀବନକୁ ଆଉ ଆଗକୁ ବଢ଼ାଇବାକୁ ଚାହୁନଥିବା ଘୋଷଣା କରିବା ସହ ବର୍ଦ୍ଧିତ ବୟସ ଏହାର ଏକମାତ୍ର କାରଣ ବୋଲି ସ୍ପଷ୍ଟ କରି ଦେଇଥିଲେ ବିଗତ ଦିନର ଏହି ମହାନ ବୋଲର। ନିଜ ଶାଣିତ ବାକ୍ୟ ଏବଂ ସୁମଧୁର ସ୍ବର ସହ ଅଗାଢ କ୍ରିକେଟ୍ ଜ୍ଞାନ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିବା ହୋଲ୍ଡିଂ ୧୯୯୧ ମସିହାରେ ଭାଷ୍ୟକାର ଜୀବନ ଆରମ୍ଭ କରିଥିଲେ। ଏହା ପୂର୍ବରୁ ୧୯୮୭ ମସିହାରେ କ୍ରିକେଟ୍‌ରୁ ସନ୍ୟାସ ନେଇଥିଲେ ସେ। ଖେଳିବା ବେଳେ ଅଗ୍ନିବର୍ଷୀ ବୋଲିଂ କରିବାର ଦକ୍ଷତା ଲାଗି ତାଙ୍କୁ ‘ହ୍ବିସ୍ପରିଂ ଡେଥ୍’ର ଉପାଧୀ ମିଳିଥିଲା। ୱେଷ୍ଟଇଣ୍ଡିଜ୍ ପକ୍ଷରୁ ୬୦ ଟେଷ୍ଟ୍ ଓ ୧୦୨ ଦିନିକିଆ ଖେଳି ୩୯୧ ଅନ୍ତର୍ଜାତୀୟ ୱିକେଟ୍ କରାୟତ୍ତ କରିଛନ୍ତି ହୋଲ୍ଡିଂ।

ସୁମଧୁର ସ୍ବରକୁ କୋଟି କୋଟି କ୍ରିକେଟ୍‌ପ୍ରେମୀ ଝୁରିବେ: ସଚିନ
ମାଇକେଲ୍ ହୋଲ୍ଡିଂ ଭାଷ୍ୟକାର ଜୀବନରୁ ଅବସର ଘୋଷଣା କରିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ସଲାମ କରିଛନ୍ତି। ସମଗ୍ର ବିଶ୍ବର କୋଟି କୋଟି କ୍ରିକେଟ୍‌ପ୍ରେମୀ ତାଙ୍କ ସ୍ବରକୁ ଝୁରିବେ ବୋଲି ନିଜ ଆବେଗଭରା ବାର୍ତ୍ତାରେ କହିଛନ୍ତି ସେ। ‘‘କ୍ରିକେଟ୍ ପ୍ରସାରଣରେ ଏକ ଚମତ୍କାର କ୍ୟାରିୟର ପାଇଁ ଆପଣଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ସମଗ୍ର ବିଶ୍ବର କୋଟି କୋଟି କ୍ରିକେଟ୍‌ପ୍ରେମୀ ଆପଣଙ୍କ ସୁମଧୁର ଓ ଶାଣିତ କ୍ରିକେଟ୍ ସ୍ବରକୁ ଦୀର୍ଘଦିନ ପର୍ଯ୍ୟନ୍ତ ଝୁରିବେ। ଆପଣ ଯେଭଳି ଭା‌ବେ ନିଜ ମତକୁ ରଖୁଥିଲେ ଏବଂ ଏହାକୁ ସାବ୍ୟସ୍ତ କରୁଥିଲେ, ତାହା ସବୁବେଳେ ମୋତେ ପ୍ରଭାବିତ କରି ଆସିଛି। ଆପଣଙ୍କ ମତ ସବୁବେଳେ ସନ୍ତୁଳିତ ଓ ନିରପେକ୍ଷ ରହୁଥିଲା। ନିଜର ଯତ୍ନ ନିଅନ୍ତୁ, ସୁରକ୍ଷିତ ରହୁନ୍ତୁ ଏବଂ ଅବସରକୁ ଉପଭୋଗ କରନ୍ତୁ’’ ବୋଲି ସଚିନ ଟ୍ବିଟ୍ କରିଥିଲେ।

ସମ୍ବନ୍ଧିତ ଖବର