ଆଣ୍ଠୁ ନମାଡ଼ିବାରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆକୁ ହୋଲ୍‌ଡିଂଙ୍କ ସମାଲୋଚନା

ଲଣ୍ଡନ : ବର୍ଣ୍ଣବୈଷମ୍ୟ ବିରୋଧରେ ଏବେ ଆନ୍ଦୋଳନ ଚାଲୁରହିଛି। ଏହାକୁ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନ ଭାବେ ଗଣାଯାଉଛି। ହେଲେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ସୀମିତ ଓଭର ଶୃଙ୍ଖଳା ଅବସରରେ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଣ୍ଠୁ ମାଡ଼ି ନବସିବାକୁ ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ମାଇକେଲ ହୋଲ୍‌ଡିଂ ସମାଲୋଚନା କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେ‌ଷ୍ଟ ଶୃଙ୍ଖଳା ବେଳେ ଇଂଲଣ୍ଡ ଖେଳାଳିମାନେ ସେମାନଙ୍କ ସାର୍ଟରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର୍‌’ ଲୋଗୋ ପରିଧାନ କରିଥିଲେ। ଏପରିକି ଜାତିଭେଦ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ଆଣ୍ଠୁ ମାଡ଼ି ପ୍ରତିବାଦ ଜଣାଇଥିଲେ। କିନ୍ତୁ ଏହାପରେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ ତାହାକୁ ଜାରି ରଖିନାହିଁ। ଏବେ ୱେଷ୍ଟଇଣ୍ଡିଜ୍‌ ଦଳ ସ୍ବଦେଶ ଫେରିଯାଇଛି। ଏହାର ଅର୍ଥ ନୁହେଁ ଯେ ତୁମେ ସେହି ବାର୍ତାକୁ ସମ୍ମାନ ଦେବା ଉଚିତ ନୁହେଁ। ଯେଉଁଥିପାଇଁ ଏଭଳି ଆନ୍ଦୋଳନ ଚାଲିଛି ଅନ୍ତତଃ ତାକୁ ସମର୍ଥନ କରାଯାଉ ବୋଲି କହିଛନ୍ତି ହୋଲ୍‌ଡିଂ। ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ଆମେରିକାରେ ହିଁ ବର୍ଣ୍ଣବୈଷମ୍ୟ ଅଧିକ ଦେଖାଯାଉଛି। ସାରା ବିଶ୍ବ ଏବେ ଏହା ବିରୋଧରେ ଆନ୍ଦୋଳନକୁ ତେଜିବାର ସମୟ ଆସିଛି ଏବଂ ସମସ୍ତଙ୍କୁ ସମାନ ନ୍ୟାୟ ଓ ସମାନତାର ବାର୍ତା ପହଞ୍ଚାଇବା ଜରୁରି ବୋଲି ହୋଲ୍‌ଡିଂ କହିଛନ୍ତି।

ଏହା କେବଳ କଳା ଓ ଧଳାର ଭେଦଭାବ ନୁହେଁ। ତେଣୁ ୱେଷ୍ଟଇଣ୍ଡିଜ୍‌ ଶୃଙ୍ଖଳା ପରେ ପାକିସ୍ତାନ ଓ ଇଂଲଣ୍ଡ ଆନ୍ଦୋଳନକୁ ସମର୍ଥନ ନକରିବା ନିନ୍ଦନୀୟ ବୋଲି କହିଛନ୍ତି ହୋଲ୍‌ଡିଂ। ଏଥିପାଇଁ ଇଂଲଣ୍ଡ କ୍ରିକେଟ୍‌ ବୋର୍ଡ (ଇସିବି)କୁ ଦାୟୀ କରିଛନ୍ତି ହୋଲ୍‌ଡିଂ। ଶୃଙ୍ଖଳା ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚ୍‌ ତାଙ୍କ ଦଳ ଆଣ୍ଠୁ ମାଡ଼ି ବସିବନି ବୋଲି କହିଥିଲେ। ତାଙ୍କ ମତରେ ପ୍ରତିବାଦ ତୁଳନାରେ ଶିକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ। ସେହିଦୃଷ୍ଟିରୁ ପଡ଼ିଆରେ ଆଣ୍ଠୁ ମାଡ଼ି ବସି ଆନ୍ଦୋଳନକୁ ସମର୍ଥନ କରିବା ଗୁରୁତ୍ବପୂର୍ଣ୍ଣ ନୁହେଁ ବୋଲି ଫିଞ୍ଚ୍‌ କହିଥିଲେ। ହେଲେ ଫିଞ୍ଚ୍‌ଙ୍କ ସହ ହୋଲ୍‌ଡିଂ ସହମତ ହୋଇନାହାନ୍ତି। ସମାନତା ହେଉ ବା ସମସ୍ତଙ୍କୁ ସମାନ ନ୍ୟାୟ ପ୍ରଦାନ ପାଇଁ ସତେଚନତା ସୃଷ୍ଟି କରିବା ଏବଂ ଶିକ୍ଷା ଉଭୟ ଗୁରୁତ୍ବପୂର୍ଣ୍ଣ ବୋଲି ହୋଲ୍‌ଡିଂ କହିଛନ୍ତି। ଫିଞ୍ଚ୍‌ଙ୍କ ଏଭଳି ମନୋଭାବକୁ ହୋଲ୍‌ଡିଂ ଦୃଢ଼ ନିନ୍ଦା କରିଛନ୍ତି।

ମୁଁ ଅବଶ୍ୟ କାହାରିକୁ ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ବାଧ୍ୟ କରିବାକୁ ଏଠାକୁ ଆସିନି। ଆଉ ଯଦି ତୁମେ ଭାବୁଛ ତାହାଲେ ସମବେଦନା ଜଣାଇବାର ଆବଶ୍ୟକତା ନାହିଁ। ବରଂ ଆନ୍ଦୋଳନକୁ ସ୍ବୀକୃତି ଦିଅ; କ୍ଷମା ଚାହଁନି ବୋଲି କହିଛନ୍ତି ହୋଲ୍‌ଡିଂ। ଏହା ପୂର୍ବରୁ ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଅଧିନାୟକ ଡାରେନ୍‌ ସାମି ମଧ୍ୟ ଏହି ଆନ୍ଦୋଳନ ସପକ୍ଷରେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର