ସେମିଫାଇନାଲ୍‌ରେ ହାଲେପ୍‌, ସେରେନା

ଫାଇନାଲ୍‌ ପାଇଁ ସ୍ବିତୋଲିନା-ହାଲେପ୍‌ ଓ ଷ୍ଟ୍ରାଇକୋଭା-ସେରେନା

ଲଣ୍ଡନ: ଦୁଇ ପୂର୍ବତନ ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ଖେଳାଳି ସିମୋନା ହାଲେପ୍‌ ଏବଂ ସେରେନା ୱିଲିୟମ୍‌ସ ଚଳିତ ବର୍ଷର ତୃତୀୟ ଗ୍ରାଣ୍ଡ୍‌ସ୍ଲାମ୍‌ ଟେନିସ୍‌ ପ୍ରତିଯୋଗିତା ୱିମ୍ବଲଡନ୍‌ ସେମିଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ମଙ୍ଗଳବାର ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ଚୀନ୍‌ର ଅଣମାନ୍ୟତାପ୍ରାପ୍ତ ଝାଙ୍ଗ୍‌ ସୁଆଇଙ୍କୁ ସିଧାସଳଖ ୭-୬ ଓ ୬-୧ ସେଟ୍‌ରେ ପରାସ୍ତ କରି ସପ୍ତମ ମାନ୍ୟତାପ୍ରାପ୍ତ ରୋମାନିଆ ଲଳନା ହାଲେପ୍‌ ଦ୍ବିତୀୟ ଥର ପାଇଁ ଏଠାରେ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଗତବର୍ଷ ଫ୍ରେଞ୍ଚ୍‌ ଓପନ୍‌ ଜିତିଥିବା ହାଲେପ୍‌ ମହିଳା ଏକକ ସେମିଫାଇନାଲ୍‌ରେ ଅଷ୍ଟମ ମାନ୍ୟତାପ୍ରାପ୍ତ ଇଲିନା ସ୍ବିତୋଲିନାଙ୍କୁ ଭେଟିବେ। ମଙ୍ଗଳବାର ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ଚେକ୍‌ ଗଣରାଜ୍ୟର ସ୍ବିତୋଲିନା ସିଧାସଳଖ ୭-୫ ଓ ୬-୪ ସେଟ୍‌ରେ ନିଜ ଦେଶର ଅଣମାନ୍ୟତାପ୍ରାପ୍ତ କ‌ା‌ରୋଲିନା ମୁଚୋଭାଙ୍କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଥିଲେ।
ଅନ୍ୟପକ୍ଷରେ ଆମେରିକାର ଶକ୍ତିଶାଳୀ ତାରକା ସେରେନା ୱିଲିୟମ୍‌ସ ମଙ୍ଗଳବାରର ଦ୍ବିତୀୟ ମହିଳା ଏକକ କ୍ବାର୍ଟର ଫାଇନାଲ୍‌ରେ ନିଜ ଦେଶର ଆଲିସନ୍‌ ରିସ୍କେଙ୍କୁ ପରାସ୍ତ କରି ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିଛନ୍ତି। ଏକାଦଶ ମାନ୍ୟତାପ୍ରାପ୍ତ ସେରେନା ପ୍ରଥମ ସେଟ୍‌କୁ ୬-୪ରେ ଜିତିବା ପରେ ଅଣମାନ୍ୟତାପ୍ରାପ୍ତ ରିସ୍କେ ଦ୍ବିତୀୟ ସେଟ୍‌କୁ ସମାନ ୬-୪ରେ ଜିତିନେଇ କଡ଼ା ଟକ୍କର ଦେଇଥିଲେ। ହେଲେ ଅଭିଜ୍ଞତାର ଫାଇଦା ଉଠାଇ ସେରେନା ତୃତୀୟ ତଥା ନିର୍ଣ୍ଣାୟକ ସେଟ୍‌କୁ ୬-୩ରେ ଜିତି ନିଜ ଜୀବନର ୨୪ତମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି ଜିତିବା ଦିଗରେ ଆଉ ପାଦେ ଅଗ୍ରସର ହୋଇଛନ୍ତି। ସେ ସେମିଫାଇନାଲ୍‌ରେ ଚେକ୍‌ ଗଣରାଜ୍ୟର ବାର୍ବରା ଷ୍ଟ୍ରାଇକୋଭା୍ଙ୍କୁ ଭେଟିବେ। ଏଥି ସହିତ ସେରେନା ଦ୍ବାଦଶ ଥର ପାଇଁ ୱିମ୍ବଲଡନ୍‌ ମହିଳା ଏକକ ସେମିଫାଇନାଲ୍‌ ପ୍ରବେଶ କରିଛନ୍ତି। ଅଣମାନ୍ୟତାପ୍ରାପ୍ତ ବାର୍ବରା ମଙ୍ଗଳବାର କ୍ବାର୍ଟର ଫାଇନାଲ୍‌ରେ ୧୯ତମ ମାନ୍ୟତାପ୍ରାପ୍ତ ଇଂଲଣ୍ଡର ଜୋହାନା କୋଣ୍ଟାଙ୍କୁ ସିଧାସଳଖ ୭-୬ ଓ ୬-୧ ସେଟ୍‌ରେ ପରାସ୍ତ କରି ବିଦାୟ ରାସ୍ତା ଦେଖାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର