ଘରୋଇ କ୍ରିକେଟ୍‌ ମ୍ୟାଚ୍‌ରେ ମହିଳା ଅମ୍ପାୟାର

ନୂଆଦିଲ୍ଲୀ: କେବଳ ପୁରୁଷମାନେ ଯେ କ୍ରିକେଟ୍‌ ମ୍ୟାଚ୍‌ ପରିଚାଳନା କରିପାରିବେ ସେହି ଧାରା ଆଉ ଜାରି ରହିପାରିବନି। ମହିଳାମାନେ ଯେ କୌଣସି ପୁରୁଷଙ୍କ ମ୍ୟାଚ୍‌ ପରିଚାଳନା କରିପାରିବେ ତାହା ବୁଧବାର ଦେଖିବାକୁ ମିଳିବ। ଗୋଟିଏ ମ୍ୟାଚ୍‌କୁ ଉଭୟ ମହିଳା ପରିଚାଳନା କରିବା ମଧ୍ୟ ସ୍ବତନ୍ତ୍ର ଇତିହାସ ସୃଷ୍ଟି କରିବ। କୋଲ୍‌କାତାର କଲ୍ୟାଣୀଠାରେ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଦ୍ବାରା ପରିଚାଳିତ ୨୩ ବର୍ଷରୁ କମ୍‌ ସିକେ ନାୟୁଡୁ ପ୍ରତିଯୋଗିତାର ମଣିପୁର ଓ ମିଜୋରାମ ମୁକାବିଲା ପାଇଁ ଦୁଇ ଜଣ ମହିଳା ଅମ୍ପାୟାର ନିଯୁକ୍ତ ହୋଇଛନ୍ତି। ଏହି ଦୁଇ ଜଣ ହେଲେ ମୁମ୍ବାଇର ବ୍ରିନ୍ଦା ରାଥି ଓ ଚେନ୍ନାଇର ଏନ୍‌ ଜନନୀ। ବୁଧବାରଠୁ ଆରମ୍ଭ ହେବାକୁ ଯାଉଥିବା ବିସିସିଆଇର ଏହି ଘରୋଇ ମ୍ୟାଚ୍‌କୁ ଦୁହେଁ ପରିଚାଳନା କରି ନୂଆ ଇତିହାସ ରଚିବେ। ଅବଶ୍ୟ ବ୍ରିନ୍ଦା ଓ ଜନନୀ ହିଁ ମାତ୍ର ଦୁଇ ଭାରତୀୟ ମହିଳା ଭାବେ ବିସିସିଆଇ ଦ୍ବାରା ଲେଭଲ୍‌-୨ ଅମ୍ପାୟାରର ମାନ୍ୟତା ଲାଭ କରିଛନ୍ତି। ଚଳିତ ବର୍ଷ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ଦୁଇ ଜଣ ମହିଳା କ୍ରିକେଟ୍‌ ମ୍ୟାଚ୍‌ ସାଙ୍ଗକୁ କନିଷ୍ଠ ବାଳକ ମ୍ୟାଚ୍‌ଗୁଡ଼ିକ ପରିଚାଳନା କରିବେ ବୋଲି ବିସିସିଆଇ ସ୍ପଷ୍ଟ କରି‌ଦେଇଛି। ଏହା ବ‌ାଦ୍‌ ବିସିସିଆଇ ମଧ୍ୟ ଚଳିତ ଋତୁରେ କନିଷ୍ଠ କ୍ରିକେଟ୍‌ ଓ ମହିଳା କ୍ରିକେଟ୍‌ ମ୍ୟାଚ୍‌ଗୁଡ଼ିକ ପାଇଁ ୧୩ ଜଣ ମହିଳାଙ୍କୁ ରେଫରି ନିଯୁକ୍ତ କରିଛି।

ସମ୍ବନ୍ଧିତ ଖବର