‘ହୋମ୍‌ ଗ୍ରୋନ୍‌ ୱାର୍ଲଡ କ୍ଲାସ୍‌’ ଭଳି ହକି କିମ୍ବଦନ୍ତି ଦିଲୀପ ତିର୍କି ମଧ୍ୟ ଓଡ଼ିଶା ପାଇଁ ଅନୁରୂପ ପ୍ରତୀକ

ଭୁବନେଶ୍ବର : ଅନେକ ସଂସ୍ଥା ପାଇଁ ସ୍ବଦେଶୀ ଉତ୍ପାଦର ଲୋକପ୍ରିୟ ବିଜ୍ଞାପନ ଟ୍ୟାଗ୍‌ ଲାଇନ୍‌ ‘ହୋମ୍‌ ଗ୍ରୋନ୍‌ ୱାର୍ଲଡ କ୍ଲାସ୍’ ଭଳି ହକି କିମ୍ବଦନ୍ତି ଦିଲୀପ ତିର୍କି ମଧ୍ୟ ଓଡ଼ିଶା ପାଇଁ ଅନୁରୂପ ପ୍ରତୀକ। ସେ ହେଉଛନ୍ତି ଭାରତୀୟ ହକିର ଜୀବନ୍ତ ଯୋଦ୍ଧା। ଓଡ଼ିଶା କ୍ରୀଡ଼ାର ଜାଜ୍ଜୁଲ୍ୟମାନ ବ୍ୟକ୍ତିତ୍ବ। ଅନେକ ‘ପ୍ରଥମ’ର ସମାହାର। ଏକାଧାରରେ ଜଣେ ଶ୍ରେଷ୍ଠ ଡିଫେଣ୍ଡର, ସଫଳ ରାଜନେତା ଏବଂ କୁଶଳୀ ଓ ଦକ୍ଷ ହକି ସଂଗଠକ। ପଦ୍ମଶ୍ରୀ, ଅର୍ଜୁନ ସହ ମାଳମାଳ ପୁରସ୍କାର ବିଜେତା। ସୁନ୍ଦରଗଡ଼ର ସଉନାମରା ଗାଁର ସୁଯୋଗ୍ୟ ସନ୍ତାନ। ଓଡ଼ିଶା କ୍ରୀଡ଼ାର ଗର୍ବ ଓ ଗୌରବ। ହକି ପଡ଼ିଆ ହେଉ କି ରାଜନୀତିର ପଶାପାଲି ସବୁଠି ଛାଡ଼ିଛନ୍ତି ନିଜ ବ୍ୟକ୍ତିତ୍ବର ବଳିଷ୍ଠ ଛାପ।

ଏକଦା ଅଜଣା ଅଶୁଣା, ଅପରିଚିତ ଆଦିବାସୀ ଇଲାକାରୁ ଯାଇ ବିଶ୍ବ ଦରବାରରେ ଓଡ଼ିଶା ପାଇଁ ଅଜସ୍ର ସମ୍ମାନ, ପ୍ରଶଂସା ଏବଂ କୀର୍ତ୍ତିମାନ ସାଉଣ୍ଟିଥିବା ସେହି ସଫଳ ନାୟକ ହେଉଛନ୍ତି ଦିଲୀପ ତିର୍କି। ଯାହାଙ୍କ ବିନା କେବଳ ଓଡ଼ିଶା ନୁ‌ହେଁ ଭାରତୀୟ ହକି ମଧ୍ୟ ଅଧୂରା। ୪୦୦ରୁ ଅଧିକ ହକି ମ୍ୟାଚ୍‌ ଖେଳିବାର ଐତିହାସିକ ସଫଳତା ହାସଲ କରିଥିବା ଏହି କ୍ରୀଡ଼ା କିଂବଦନ୍ତି ଏବେ ହକି ବିକାଶକୁ ନିଜ ଜୀବନର ବ୍ରତ କରିନେଇଛନ୍ତି। ହକି ହିଁ ତାଙ୍କ ଜୀବନ ବୋଲି ବାରମ୍ବାର ପ୍ରମାଣ ଦେଇଚାଲିଛନ୍ତି। ଏକମାତ୍ର ଆଦିବାସୀ ଭାବେ ତିନିଟି ଅଲିମ୍ପିକ୍ସ ଖେଳିଥିବା ଦିଲୀପ ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ରହି ରାଜ୍ୟର କୋଣ ଅନୁକୋଣରେ ହକିକୁ ପହଞ୍ଚାଇବା ଲାଗି ଅହରହ ଉଦ୍ୟମ ଜାରି ରଖିଛନ୍ତି।

ବିଶ୍ବ ହକିର ସର୍ବଶ୍ରେଷ୍ଠ ଡିଫେଣ୍ଡର ବା ରକ୍ଷଣଭାଗ ଖେଳାଳିର ମାନ୍ୟତା ଲାଭ କରିଥିବା ଦିଲୀପଙ୍କ ଜନ୍ମ ୧୯୭୭ ମସିହା ନଭେମ୍ବର ୨୫ ତାରିଖରେ ହକିର ଅନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାର ସାଉନାମରାରେ ହୁଏ। ବଡ଼ ଭାଇ ଫ୍ରାନସିସ୍ ଏବଂ ଯାଆଁଳା ସାନ ଭାଇ ଅନୁପ ଓ ଅଜିତଙ୍କ ସହ ଗାଁର ହକି ପରିବେଶ କୁନି ଦିଲୀପଙ୍କୁ ବେଶ୍ ପ୍ରଭାବିତ କରିଥିଲା। ପିତା ଭିନସେଣ୍ଟ ତିର୍କି ଏବଂ ମା’ ରେଜିନା ତିର୍କି ମଧ୍ୟ ପୁଅର ହକି ପ୍ରତିଭା ଯେମିତି ଆହୁରି ଶାଣିତ ହୁଏ, ସେ ଦିଗରେ ସମସ୍ତ ସମର୍ଥନ ଓ ସହଯୋଗ ଯୋଗାଇ ଦେଇଥି‌ଲେ। ଖାସି ଟୁର୍ଣ୍ଣାମେଣ୍ଟ ଦେଖି ଓ ଖେଳି ବଡ଼ ହୋଇଥିବା ଦିଲୀପଙ୍କ ଜୀବନର ମୋଡ଼ ସେତେବେଳେ ବଦଳି ଯାଇଥିଲା ଯେତେବେଳେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଭବାନି ଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିଲା। ପରେ କୋଲ୍‌କାତା ସାଇ ଛାତ୍ରାବାସ ଏବଂ ରେଳବାଇ କୋଚ୍ ଫ୍ରାକ୍ଟ୍ରି, କପୁରତାଲା ବାଟ ଦେଇ ଦିଲୀପ ଭାରତୀୟ ଦଳରେ ପହଞ୍ଚି ଯାଇଥିଲେ। ୧୯୯୫ ମସିହାରେ ଇଂଲଣ୍ଡ ବିପକ୍ଷରେ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ଆଣ୍ଠୁରେ ଲାଗିଥିବା ଗୁରୁତର ଆଘାତ ଲାଗି ବାରମ୍ବାର ଆଘାତ ସମସ୍ୟା ସହ ଲଢ଼ିବା ପରେ ଶେଷରେ ୨୦୧୦ ମସିହାରେ ବାଧ୍ୟହୋଇ ଅବସର ଘୋଷଣା କରିଥିଲେ। ହକି ଛାଡ଼ିବା ବେଳକୁ ସେ ସର୍ବାଧିକ ୪୧୨ ମ୍ୟାଚ୍ ଖେଳିବାର ଅନନ୍ୟ କୀର୍ତ୍ତିମାନର ଅଧିକାରୀ ହୋଇସାରିଥିଲେ। ଅନ୍ତର୍ଜାତୀୟ ହକିରେ ୬୦ରୁ ଅଧିକ ଗୋଲ୍ କରିଛନ୍ତି।

kooapp.com

ମହାନ ଡିଫେଣ୍ଡର
ପୁଲ୍ ବ୍ୟାକ୍‌ରେ ଖେଳୁଥିବା ଦିଲୀପ ନିଜ ଶାଣିତ ଓ ସଠିକ୍ ‌ପେନାଲ୍ଟି କର୍ଣ୍ଣର ହିଟ୍ ପାଇଁ ବିଶ୍ବ ବନ୍ଦିତ ଥିଲେ। ସେ ରକ୍ଷଣଭାଗରେ ଉପସ୍ଥିତ ଥିଲେ ପ୍ରତିପକ୍ଷ ଭୟରେ ତାଙ୍କ ଆଡ଼କୁ ବଲ୍ ଦେଉନଥିଲେ। ଭାରତୀୟ ହକିର ‌କଳା କୌଶଳର ଦକ୍ଷ ଦ୍ରୁତ ଦିଲୀପ ଗୋଲ୍ ପୋଷ୍ଟ ନିକଟରେ ଟାଇଟ୍ ମାର୍କିଂ ପାଇଁ ଜଣେ ବିପଜ୍ଜନକ ଖେଳାଳି ଭାବେ ପ୍ରସିଦ୍ଧି ଲାଭ କରିଥିଲେ। ଅନ୍ୟ କୌଣସି ଦଳର ଖେଳାଳି ତାଙ୍କ ଦକ୍ଷତାର ଆଖପାଖରେ ମଧ୍ୟ ପହଞ୍ଚି ପାରୁ ନଥିଲେ। ପରବର୍ତ୍ତୀ ସମୟରେ ଭାରତ ତାଙ୍କ ନେତୃତ୍ବରେ ବିଶ୍ବକପ୍ ଖେଳିଥିଲା। ଦିଲୀପ ନିଜ ଘଟଣା ବହୁଳ ତଥା ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା କ୍ୟାରିୟର ଭିତରେ ଅନେକ ମାଇଲଖୁଣ୍ଟ ଛୁଇଁଛନ୍ତି। ୧୯୯୮ ମସିହା ବ୍ୟାଂକକ୍ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୦୨ ବୁସାନ ଏସୀୟ କ୍ରୀଡ଼ାରେ ରୌପ୍ୟ, ୧୯୯୯ ଏସିଆ କପ୍‌ରେ କାଂସ୍ୟ, ୨୦୦୩ କୁଆଲାଲୁମ୍ପୁର ଏସିଆ କପ୍‌ରେ ସ୍ବର୍ଣ୍ଣ, ୨୦୦୭ ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ବିଜୟ ହେଉଛି ଦିଲୀପଙ୍କ ଲମ୍ବା ସଫଳତା ଫର୍ଦ୍ଦରୁ କାଣିଚାଏ ମାତ୍ର। ସାଫ୍ କ୍ରୀଡ଼ା, ଚାମ୍ପିଅନ୍ସ ଟ୍ରଫି, ରାଜ୍ୟଗୋଷ୍ଠୀ କ୍ରୀଡ଼ା, ସୁଲତାନ ଆଜଲାନ ସାହା ହକି, ଆଫ୍ରୋ-ଏସିଆନ୍ ଗେମ୍ସ, ଚାମ୍ପିଅନ୍ସ ଚ୍ୟାଲେଞ୍ଜ୍ ଟ୍ରଫି ଭଳି ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୨୦୦୬ରେ ବିବାହ ବନ୍ଧନରେ ଆବଦ୍ଧ ହେବାର ଢେର କିଛି ଦିନ ପର୍ଯ୍ୟନ୍ତ ସେ ହକି ଖେଳିବା ଜାରି ରଖିଥିଲେ। ହଲାଣ୍ଡରେ ଲିଗ୍ ହକି ଖେଳିବାର ଅଭିଜ୍ଞତା ମଧ୍ୟ ଦିଲୀପଙ୍କର ରହିଛି।

ପଦ୍ମଶ୍ରୀ ପାଇବାରେ ପ୍ରଥମ ଆଦିବାସୀ
ହକି ଟର୍ଫରେ ଯାଦୁ ଦେଖାଇ ସମସ୍ତଙ୍କ ମନ ଜିଣି ନେଇଥିବା ଦିଲୀପ ୧୯୯୬ରେ ଏକଲବ୍ୟ ପୁରସ୍କାର, ୧୯୯୯ରେ ଓଏନ୍‌ଜିସି ହକି ଇୟର ବୁକ୍ ପୁରସ୍କାର, ୨୦୦୨ରେ ଅର୍ଜୁନ ପୁରସ୍କାର ଏବଂ ୨୦୦୪ରେ ପ୍ରଥମ ଆଦିବାସୀ ଖେଳାଳି ଭାବେ ସମ୍ମାନଜନକ ତଥା ଦେଶର ଚତୁର୍ଥ ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମଶ୍ରୀ ହାସଲ କରିଥିଲେ। ସେହିବର୍ଷ ସେ ମଧ୍ୟ ବିଜୁ ପଟ୍ଟନାୟକ ବର୍ଷର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ୨୦୦୯ରେ ରିକୋ ହକି ଷ୍ଟାର ଅଫ୍ ଦି ଇୟର ଓ ୨୦୧୨ରେ ସୋକେଶ୍ ଓଡ଼ିଶା ଆୱାର୍ଡ ଜିତିଥିଲେ।

ହକି ବିକାଶକୁ କରିଛନ୍ତି ବ୍ରତ
ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିବା ପରେ ଓଡ଼ିଶାରେ ହକି ବିକାଶକୁ ନିଜ ଲକ୍ଷ୍ୟ ଏବଂ ବ୍ରତ କରିଛନ୍ତି ଦିଲୀପ। ଏକଦା ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମର ଅଧ୍ୟକ୍ଷ ପଦ ମଣ୍ଡନ କରିଥିବା ଦିଲୀପ ସଂପ୍ରତି ଓଡ଼ିଶା ହକି ବିକାଶ ପରିଷଦର ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି। ଓଡ଼ିଶା ହକିର ପରିଚାଳନାରେ ମଧ୍ୟ ସକ୍ରିୟ ଭୂମିକା ନେଉଛନ୍ତି। ଓଡ଼ିଶାରେ ୨୦୧୮ ବିଶ୍ବକପ୍ ହକିର ସଫଳ ଆୟୋଜନରେ ତାଙ୍କର ବଳିଷ୍ଠ ଯୋଗଦାନ ଥିଲା। ସେହିଭଳି ୨୦୨୩ ବିଶ୍ବକପ୍ ଆୟୋଜନ ଅଧିକାର ପାଇବା ଏବଂ ଏଥିଲାଗି ପ୍ରସ୍ତୁତି କରିବା ନେଇ ମଧ୍ୟ ସେ ନିଜର ବଳିଷ୍ଠ ଯୋଗଦାନ ଦେଉଛନ୍ତି।

ରାଜନୀତିରେ ରୁଚି
ହକିରୁ ଅବସର ନେବାର ପାଖାପାଖି ଦୁଇବର୍ଷ ପରେ ଦିଲୀପ ପରୋକ୍ଷ ରାଜନୀତିରେ ଯୋଗଦେଇଥିଲେ। ୨୦୧୨ ମାର୍ଚ ୨୨ରୁ ଏପ୍ରିଲ ୨, ୨୦୧୮ ପର୍ଯ୍ୟନ୍ତ ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟ ସଭାର ସଦସ୍ୟ ହୋଇଥିଲେ। ସେ ମଧ୍ୟ ୨୦୧୪ରେ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ। ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ସେ ଏହି ନିର୍ବାଚନ ହାରି ଯାଇଥିଲେ। ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ଏୟାର ଇଣ୍ଡିଆର ଉପ ପ୍ରବନ୍ଧକ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ।

ଗଲ୍ଫ ଗୌରବ
ହକିରୁ ଅବସର ଘୋଷଣା କରିଥିଲେ ମଧ୍ୟ ଦିଲୀପ କ୍ରୀଡ଼ା କ୍ଷେତ୍ରରୁ ଦୂରେଇ ଯାଇନାହାନ୍ତି। ବରଂ ଗଲ୍ଫ ଖେଳି ନିଜ କ୍ରୀଡ଼ାପ୍ରେମକୁ ଅମର ରଖିଥିଲେ। ଏଥିଲାଗି ପ୍ରତିଦିନ ଢେର ସମୟ ଗଲ୍ଫ କୋର୍ସର କଟାନ୍ତି। ୨୦୧୭ରେ ଗଲ୍ଫ ଖେଳିବା ଆରମ୍ଭ କରିଥିବା ଦିଲୀପ ଭୁବନେଶ୍ବର ଗଲ୍ଫ କ୍ଲବ୍‌ର ଜଣେ ସକ୍ରିୟ ସଦସ୍ୟ। ଦିନେ ପେସାଦାର ଗଲ୍ଫ ଖେଳିବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ। ଏଥିଲାଗି ସେ କିଛି ପ୍ରତିଷ୍ଠିତ ଗଲ୍ଫ ଖେଳାଳିଙ୍କଠାରୁ ଅଣଆନୁଷ୍ଠାନିକ ପ୍ରଶିକ୍ଷଣ ନେଇସାରିଛନ୍ତି। ନିଜ ଫିଟ୍‌ନେସ୍‌ ଉପରେ ମଧ ନିୟମିତ କାର୍ଯ୍ୟ କରୁଛନ୍ତି। କହିବାକୁ ଗଲେ ଗଲ୍ଫକୁ ସେ ମନଭରି ଉପଭୋଗ କରୁଛନ୍ତି। ବେଙ୍ଗାଲୁରୁ, ହାଇଦ୍ରାବାଦ ଭଳି ସ୍ଥାନରେ ଗଲ୍ଫ ଖେଳି ପ୍ରଶଂସିତ ହୋଇଛନ୍ତି ସେ।

ତିନିଟି ‘ଅଲିମ୍ପିକ୍ସ’ ଅଭିଜ୍ଞତା
ଦିଲୀପ ତିନିଟି ଅଲିମ୍ପିକ୍ସ ୧୯୯୬ ଆଟଲାଣ୍ଟା ଅଲିମ୍ପିକ୍ସ, ୨୦୦୦ ମସିହା ସିଡ୍‌ନି ଅଲିମ୍ପିକ୍ସ ଏବଂ ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ଖେଳିବାର ଅଭିଜ୍ଞତା ରଖନ୍ତି। ଭାରତ ତାଙ୍କ ନେତୃତ୍ବରେ ୨୦୦୪ ଅଲିମ୍ପିକ୍ସ ଖେଳିଥିଲା। ୨୦୦୮ ବେଜିଂ ଅଲିମ୍ପିକ୍ସର ଯୋଗ୍ୟତା ପର୍ଯ୍ୟାୟରୁ ବାଦ ପଡ଼ି ନଥିଲେ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଭାରତର ନେତୃତ୍ବ ନେବାର ଗୌରବ ଅର୍ଜନ କରିଥା’ନ୍ତେ ସେ। ତେବେ ତିନିଟି ଅଲିମ୍ପିକ୍ସ ଖେଳିବାରେ ସେ ହେଉଛନ୍ତି ଏକମାତ୍ର ଆଦିବାସୀ ହକି ତାରକା। ୧୯୯୭ରେ କନିଷ୍ଠ ବିଶ୍ବ ଏକାଦଶ, ୨୦୦୨ରେ ଏସୀୟ ଏକାଦଶ, ୨୦୦୬ ଓ ୨୦୦୭ରେ ବିଶ୍ବ ଅଲ୍‌ଷ୍ଟାର ଦଳରେ ସ୍ଥାନ ପାଇଥିଲେ ଦିଲୀପ। ୨୦୧୦ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ୍ ଉପାଧୀ ଲାଭ କରିଥିଲେ ସେ। ୨୦୧୧ରେ ଓଡ଼ିଶା ଲିଭିଂ ଲିଜେଣ୍ଡ ପୁରସ୍କାର ହାସଲ କରିଥିଲେ ଏହି ମହାନ ହକି ତାରକା।

Alchetron

ବିଶ୍ବକପ୍ ବୀର
ହକି ବିଶ୍ବକପ୍ ସହିତ ଓଡ଼ିଶାର ସମ୍ପର୍କ ସ୍ଥାପିତ ହୁଏ ୨୦ ବର୍ଷ ତଳୁ। ଏହି ପର୍ବର ଅୟମାରମ୍ଭ କରିଥିଲେ କିଂବଦନ୍ତି କ୍ରୀଡ଼ାବିତ୍‌ ଦିଲୀପ ତିର୍କି। ସାଥୀ ଓଡ଼ିଆ ତାରକା ଲାଜରୁସ୍ ବାର୍ଲା ଏବଂ ପ୍ରଥମ ଓଡ଼ିଆ ଭାବେ ବିଶ୍ବକପ୍ ଖେଳିଥିବା ଜ୍ୟୋତି ସୁନୀତା କୁଲୁଙ୍କ ସହ ଗୋଟିଏ ବର୍ଷରେ ହିଁ ବିଶ୍ବକପ୍‌ରେ ନିଜ ଛାପ ଛାଡ଼ିଥିଲେ ସେ। ୧୯୯୮ ମସିହାରେ ନେଦରଲାଣ୍ଡ୍‌ସର ୟୁ‌ଟ୍ରେକ୍ଟରେ ଅନୁଷ୍ଠିତ ନବମ ବିଶ୍ବକପ୍‌ରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ ଏହି ୩ ଜଣ। ପୁରୁଷ ବର୍ଗରେ ଦୁଇ ଡିଫେଣ୍ଡର ଦିଲୀପ-ଲାଜରୁସ୍ ଏବଂ ମହିଳା ଦଳରୁ ଜ୍ୟୋତି ସୁନୀତା କୁଲୁ ଖୋଲିଥିଲେ ଏହି ଖାତା। ଓଡ଼ିଶା କ୍ରୀଡ଼ାରେ ସଂଯୋଗ ହୋଇଥିଲା ନୂଆ ଅଧ୍ୟାୟ। ଏହା ପୂର୍ବରୁ ପରୋକ୍ଷ ସମ୍ପର୍କ ଥିଲା। ୧୯୭୫ ମସିହାରେ ଭାରତ ପ୍ରଥମ ଓ ଶେଷ ଥର ବିଜେତା ହୋଇଥିବା ବେଳେ ଅଣଓଡ଼ିଆ ଓଡ଼ିଶାବାସୀ ମାଇକେଲ କ‌ିଣ୍ଡୋ ଥିଲେ ଏହାର ସଦସ୍ୟ। ତାଙ୍କ ସଫଳତା ପର୍ଯ୍ୟନ୍ତ କିନ୍ତୁ ପହଞ୍ଚି ପାରିନାହାନ୍ତି କୌଣସି ଓଡ଼ିଆ। ପଦକ ଜିତିବାର ଗୌରବ ପାଇନାହାନ୍ତି କେହି। କାରଣ ଏହି ଅଢ଼େଇ ଦଶନ୍ଧିରେ ଭାରତ କେବେ ବି ବିଶ୍ବକପ୍‌ରେ ପଦକ ଜିତିନି। ମାଇକେଲଙ୍କୁ ବାଦ୍ ଦେଲେ ହକି ବିଶ୍ବକପ୍‌ରେ ପ୍ରତିନିଧିତ୍ବ କରିବାର ଗୌରବ ପାଇଛନ୍ତି ୧୪ ଜଣ ଓଡ଼ିଆ।

୨୦୦୨ ମସିହାରେ କୁଆଲାଲୁମ୍ପୁରରେ ଦଶମ ସଂସ୍କରଣରେ ଦିଲୀପଙ୍କ ସହ ଲାଜରୁସ୍ ବାର୍ଲାଙ୍କ ସହିତ ଇଗ୍ନେସ ତିର୍କି ମଧ୍ୟ ବିଶ୍ବକପ୍ ଖେଳିଥିଲେ। ୨୦୦୬ ମସିହା ଏକାଦଶ ସଂସ୍କରଣରେ କିନ୍ତୁ ଏକ ନିଆରା ସଂ‌ଯୋଗ ଘଟିଥିଲା ଓଡ଼ିଶା କ୍ରୀଡ଼ାରେ। ଭାରତୀୟ ପୁରୁଷ ଓ ମହିଳା ଦଳର ବିଶ୍ବକପ୍ ନେତୃତ୍ବ ଥିଲା ଓଡ଼ିଆଙ୍କ ହାତରେ। ଦିଲୀପ ତିର୍କି ଏବଂ ଜ୍ୟୋତି ସୁନୀତା କୁଲୁ ଏହି ଗୌରବମୟ ଅଧ୍ୟାୟ ଯୋ‌ଡ଼ିଥିଲେ। ଜର୍ମାନିର ମଞ୍ଚେନଗ୍ଲାଡବ୍ୟାକରେ ଖେଳିଥିବା ଦିଲୀପଙ୍କ ଦଳରେ ହକିଭ୍ରାତା ଇଗ୍ନେସ ତିର୍କି ଏବଂ ପ୍ରବୋଧ ତିର୍କି ସାମିଲ ଥିଲେ। ସ୍ପେନର ରାଜଧାନୀ ମାଦ୍ରିଦରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ରେ ‌ଜ୍ୟୋତିଙ୍କ ନେତୃତ୍ବୀଧୀନ ଦଳରେ ଥିଲେ ବିନିତା ଟପ୍ପୋ ଏବଂ ସୁଭଦ୍ରା ପ୍ରଧାନ।

ଦିଲୀପଙ୍କ ଅବସର ବର୍ଷ ୨୦୧୦ ଦ୍ବାଦଶ ପୁରୁଷ ବିଶ୍ବକପ୍‌ରେ ଭାରତୀୟ ପୁରୁଷ ଦଳରେ ଜଣେ ହେଲେ ଓଡ଼ିଆ ଭାଗ ନେଇନଥିଲେ। ଆର୍ଜେଣ୍ଟିନାର ରୋଜାରିଓରେ ଅନୁଷ୍ଠିତ ମହିଳା ବିଶ୍ବକପ୍‌ରେ ୩ ଓଡ଼ିଆ ବିନିତା ଟପ୍ପୋ, ସୁଭଦ୍ରା ପ୍ରଧାନ, ମୁକ୍ତାପ୍ରଭା ବାର୍ଲା ଖେଳିଥିଲେ। ଓଡ଼ିଆଙ୍କ ମଧ୍ୟରେ ଦିଲୀପ ତିର୍କି ସର୍ବାଧିକ ୩ ଥର ବିଶ୍ବକପ୍‌ ଖେଳିଥିବା ବେଳେ ଲାଜରୁସ୍ ବାର୍ଲା, ଇଗ୍ନେସ ତିର୍କି, ଜ୍ୟୋତି ସୁନୀତା କୁଲୁ, ବିନିତା ଟପ୍ପୋ, ସୁଭଦ୍ରା ପ୍ରଧାନ, ବୀରେନ୍ଦ୍ର ଲାକ୍ରା ଦୁଇ ଥର ଲେଖାଏଁ ପ୍ରତିନିଧିତ୍ବ କରିଛନ୍ତି। ଅମିତ ରୋହିଦାସ ଥରେ ବିଶ୍ବକପ୍ ଖେଳିଛନ୍ତି।

ସମ୍ବନ୍ଧିତ ଖବର