ଗୃହାବଦ୍ଧରେ କ୍ରିକେଟ୍ ଖେଳିଲେ ଅଭିନେତ୍ରୀ ସାୟାମୀ

ନୂଆଦିଲ୍ଲୀ: କରୋନା ସଙ୍କଟ ପାଇଁ ଗୃହାବଦ୍ଧରେ ଥିବା ସେଲିବ୍ରେଟିମାନେ ଅପ୍ରତ୍ୟାଶିତ ଭାବେ ମିଳିଥିବା ଏହି ଖାଲି ସମୟକୁ କିଭଳି କାଟୁଛନ୍ତି, ତାର ଭିଡିଓ ଓ ଫଟୋଗ୍ରାଫ ନିୟମିତ ଭାବେ ନିଜ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରୁଛନ୍ତି। ରବିବାର ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ତଥା ପୂର୍ବତନ କ୍ରିକେଟର ସାୟାମୀ ଖେର ଯୋଗଦେଇଛନ୍ତି। ସାୟାମୀ ନିଜ ଟ୍ବିଟର ପୃଷ୍ଠାରେ କ୍ରିକେଟ୍ ଖେଳୁଥିବାର ଭିଡିଓ ପ୍ରକାଶ କରିଛନ୍ତି। ଏଥିରେ ସେ ନିଜ ବ୍ୟାଟିଂ ଓ ବୋଲିଂ ଦକ୍ଷତାର ଝଲକ ଦେଖାଇଛନ୍ତି। ସାୟାମୀ ପୁରୁଖା ଅଭିନେତା ଅନିଲ କାପୁରଙ୍କ ପୁଅ ହର୍ଷବର୍ଦ୍ଧନ କାପୁରଙ୍କ ସହ ବଲିଉଡ୍ ଚଳଚ୍ଚିତ୍ର ‘ମିର୍ଜିୟା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରଥିଲେ। ସେ ମଧ୍ୟ ତେଲଗୁ ଚଳଚ୍ଚିତ୍ର ‘ରେ’ ଓ ମରାଠୀ ଚଳଚ୍ଚିତ୍ର ‘ମୁରଲୀ’ରେ ନିଜ ଅଭିନୟ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି। ଅଭିନୟ ଜଗତରେ ପାଦ ଥାପିବା ପୂର୍ବରୁ ସାୟାମୀ କିନ୍ତୁ ଜଣେ ରାଜ୍ୟସ୍ତରୀୟ କ୍ରିକେଟର ଥିଲେ। ମହାରାଷ୍ଟ୍ର ପକ୍ଷରୁ ସେ ଅନ୍ତଃରାଜ୍ୟ କ୍ରିକେଟ୍ ପ୍ରତିଯୋଗିତା ଖେଳିଛନ୍ତି। ସେ ଦ୍ରୁତ ବୋଲିଂ କରିବା ସହ ଉପଯୋଗୀ ବ୍ୟାଟିଂ ମଧ୍ୟ କରୁଥିଲେ। ଏପରିକି ଏକଦା ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷଣ ଶିବିର ଲାଗି ଡାକରା ମିଳିଥିଲା।

ସମ୍ବନ୍ଧିତ ଖବର