ଦେବାଶିଷ ସୁନ୍ଦରାୟ
ଭୁବନେଶ୍ବର: ଝଡ଼ ହେଉ କି ବର୍ଷା, ଖରା ହେଉ କି ଶୀତ, କୁଆ ପଥର ମାଡ଼ କିମ୍ବା ବଜ୍ରପାତର ବିକଟାଳ ଶବ୍ଦ, କିଛି ବି ହେବ ନାହିଁ ପ୍ରତିବଂଧକ-ଏଣିକି ସାରା ବର୍ଷ ହେବ ଖେଳ। ବିଦେଶୀ ଖେଳାଳିଙ୍କ ଭଳି ବିନା ବାଧାରେ ବର୍ଷକ ବାରମାସ ଅଭ୍ୟାସ କରିପାରିବେ ଦେଶୀ ଖେଳାଳିମାନେ। କେବଳ ସେତିକି ନୁହେଁ, ୩୬୫ ଦିନ ପେସାଦାର ପ୍ରତିଯୋଗିତା ବି କରିହେବ। ଓଡ଼ିଶାର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ସମ୍ଭାରରେ ଆଉ ଏକ ଅନ୍ତର୍ଜାତୀୟମାନର ଖେଳପଡ଼ିଆ ଯୋଡ଼ି ହେବା ପରେ ଏଭଳି ସ୍ବପ୍ନ ଖୁବ୍ଶୀଘ୍ର ସତ ହେବାକୁ ଯାଉଛି। ଉଦ୍ଘାଟନ ଅପେକ୍ଷାରେ ଥିବା କଳିଙ୍ଗ ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ୍ ବିଶ୍ବ କ୍ରୀଡ଼ା ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ କରିବିନି ବରଂ ଭାରତର ପ୍ରଥମ ଏବଂ ଦକ୍ଷିଣ ଏସିଆର ସର୍ବବୃହତ୍ ଇନଡୋର୍ ଆଥଲେଟିକ୍ସ ଷ୍ଟାଡିୟମ୍ ନିର୍ମାଣ କରିବାର ଅନନ୍ୟ ଗୌରବ ହାସଲ କରିବ ଓଡ଼ିଶା। ଭାରତବର୍ଷର କ୍ରୀଡ଼ା ଦୃଶ୍ୟପଟ୍ଟକୁ ଆହୁରି ସମୃଦ୍ଧ ଓ ଋଦ୍ଧିମନ୍ତ କରିବାର ପ୍ରତିଶ୍ରୁତି ବହନ କରୁଥିବା ଏହି ଷ୍ଟାଡିୟମ୍ର ଉଦ୍ଘାଟନ ପରେ ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ୍ ଥିବା ବିଶ୍ବର ବଛାବଛା ସହର ମଧ୍ୟରେ ଭୁବନେଶ୍ବର ସ୍ଥାନ ପାଇବ। ଦେଶର କ୍ରୀଡ଼ା କ୍ୟାପିଟାଲ ଦାବିଦାରି ମଧ୍ୟ ଆହୁରି ପ୍ରଖର ହେବ।
କଳିଙ୍ଗ ଇନ୍ଡୋର ଆଥଲେଟିକ୍ ଷ୍ଟାଡିୟମ୍ ଯୋଡ଼ିବ ଅନନ୍ୟ ଫର୍ଦ୍ଦ
ଭାରତର ପ୍ରଥମ, ଦକ୍ଷିଣ ଏସିଆର ସର୍ବବୃହତ୍
ବର୍ଷସାରା ଅଭ୍ୟାସ ଓ ପ୍ରତିଯୋଗିତା କରିହେବ
୨୦୦୦ ଦର୍ଶକ କ୍ଷମତା, ବିଶ୍ବସ୍ତରୀୟ ୨୦୦ ମିଟର ଟ୍ରାକ୍
/sambad/media/post_attachments/wp-content/uploads/2024/02/gjgjgjgjgj.jpg)
କଳିଙ୍ଗ ଷ୍ଟାଡିୟମ୍ର ଦକ୍ଷିଣ ପାର୍ଶ୍ବରେ ଥିବା ଆଥଲେଟିକ୍ସ ଅଭ୍ୟାସ ଟ୍ରାକ୍ ସନ୍ନିକଟରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ଇନ୍ଡୋର୍ ଷ୍ଟାଡିୟମ୍ର ସ୍ବତନ୍ତ୍ରତା ହିଁ ଏହାକୁ ଅନନ୍ୟ ଓ ଅତୁଳନୀୟ କରିଛି। ଚାରିକାନ୍ଥରେ ଆବଦ୍ଧ ଓ ସୁଉଚ୍ଚ ଛାତତଳେ ବିଛାଯାଇଛି ଅଲିମ୍ପିକ୍ସମାନର ମୁଣ୍ଡୋ ଆଥଲେଟିକ୍ସ ଟ୍ରାକ୍। ଯାହାର ଆକାର ରହିଛି ୧୦,୦୦୦ ବର୍ଗ ମିଟର। ପୂରା ବ୍ୟବସ୍ଥା ଲାଗି ୧୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ବାତାନୁକୁଳ ପରିବେଶରେ ଖେଳାଳିମାନଙ୍କ ପାଇଁ ୨୦୦ ମିଟର ଟ୍ରାକ୍ ରହିଛି। ସେହିଭଳି ଘର ଭିତରେ ପୋଲଭଲ୍ଟ, ସଟ୍ପୁଟ୍, ଲମ୍ବଡିଆଁ, ଉଚ୍ଚଡିଆଁ, ଭାରୋତ୍ତୋଳନ ପ୍ରଶିକ୍ଷଣ କେନ୍ଦ୍ର, ଖେଳାଳି ରହିବା ପାଇଁ ୬୦ କୋଠରୀ ଓ ବୈଠକଘର ଅଛି। ୨, ୦୦୦ ଦର୍ଶକ ବସିବାର କ୍ଷମତା ଥିଲା ବେଳେ ଏଠାରେ ଏକକାଳୀନ ୧୦୦ ଖେଳାଳି ଅଭ୍ୟାସ କରିପାରିବେ ଓ ରହିପାରିବେ। ଉଚ୍ଚଗୁଣମାନର ଭିତ୍ତିଭୂମି, ଅତ୍ୟାଧୁନିକ ସୁବିଧାସୁଯୋଗ ଓ ଶୀର୍ଷସ୍ତରୀୟ ବୈଷୟିକ ଦକ୍ଷତା ପାଇଁ ବିଶ୍ବ ଆଥଲେଟିକ୍ସ ଏହାକୁ ପ୍ରଥମ ବର୍ଗର ପ୍ରମାଣପତ୍ର ଦେଇସାରିଛି। ଫଳରେ ଓଡ଼ିଶାରେ ଜାତୀୟ ଓ ଅନ୍ତର୍ଜାତୀୟ ଇନଡୋର୍ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ହେବାର ବାଟ ଫିଟିଛି।
ଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍ଆଇ)ରୁ ମିଳିଥିବା ସୂଚନା ଅନୁସାରେ କଳିଙ୍ଗ ଷ୍ଟାଡିୟମ୍ରେ ଦେଶର ପ୍ରଥମ ଇନ୍ଡୋର ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ କରିବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇସାରିଛନ୍ତି। ଏକଥା ଅତୀତରେ କ୍ରୀଡ଼ା ସଚିବ ଆର୍. ଭିନିଲକ୍ରିଷ୍ଣା ମଧ୍ୟ ସ୍ପଷ୍ଟ କରିସାରିଛନ୍ତି। ଏହି ଷ୍ଟାଡିୟମ୍ ଚଳିତମାସ ତୃତୀୟ ସପ୍ତାହ କିମ୍ବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ ହେବାର ସୂଚନା ବି ‘ସମ୍ବାଦ’କୁ ମିଳିଛି। ଷ୍ଟାଡିୟମ୍ର ମାନ ପରିଖିବା ଲାଗି ଗତ ରବିବାର ଏଠାରେ ସଫଳତାର ସହ ଏକ ପରୀକ୍ଷାମୂଳକ ପ୍ରତିଯୋଗିତା ଆୟୋଜିତ ହୋଇସାରିଛି। ଏଠାକାର ଟ୍ରାକ୍କୁ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ପ୍ରତିଯୋଗୀମାନେ ମଧ୍ୟ ବେଶ୍ ପସନ୍ଦ କରିଛନ୍ତି। ସେହିଭଳି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ଏହି ଷ୍ଟାଡିୟମ୍ ଭାରତୀୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦେଶ ପ୍ରତି ଉପହାର ଭାବେ ସେ ବର୍ଣ୍ଣନା କରିଛନ୍ତି।
ଅଲିମ୍ପିକ୍ସ ଯୋଗ୍ୟତା ସହଜ ହେବ: ଅମିୟ
ଏକଦା ଦେଶର ଦ୍ରୁତତମ ଧାବକ ଥିବା ଓଡ଼ିଆ ଆଥଲେଟ୍ ଅମିୟ ମଲ୍ଲିକ ନବନିର୍ମିତ କଳିଙ୍ଗ ଇନ୍ଡୋର ଆଥଲେଟିକ୍ସ ଷ୍ଟାଡିୟମ୍କୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏଠାରେ ଅଭ୍ୟାସ କରିବାର ଅଭିଜ୍ଞତାକୁ ବର୍ଣ୍ଣନା କରିବାକୁ ଯାଇ ‘ସମ୍ବାଦ’କୁ ସେ କହିଛନ୍ତି ଯେ, ଏହି ଷ୍ଟାଡିୟମ୍ ନିର୍ମାଣ ହେବା ଦ୍ବାରା ଅଲିମ୍ପିକ୍ସ ଯୋଗ୍ୟତା ଅପେକ୍ଷାକୃତ ସହଜ ହେବ। ଇନ୍ଡୋର ଟ୍ରାକ୍ର ଟାଇମିଂ ଭଲ ହେଉଥିବାରୁ ଆମ ଖେଳାଳିମାନେ ବିଶ୍ବ ଦୌଡ଼କୁଦ ମହାସଂଘ ଦ୍ବାରା ଧାର୍ଯ୍ୟ କରିଥିବା ପଏଣ୍ଟ୍ ବ୍ୟବସ୍ଥାର ଲାଭ ଉଠାଇପାରିବେ। ଇନ୍ଡୋର ଆଥଲେଟିକ୍ସ ଟ୍ରାକ୍ରେ ସବୁ ସମୟ ଓ ଋତୁରେ ଅଭ୍ୟାସ କରିପାରିବେ। ଭୁବନେଶ୍ବରରେ ଜାତୀୟ ଓ ଅନ୍ତର୍ଜାତୀୟ ଇନ୍ଡୋର୍ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବ। ଦୀର୍ଘମିଆଦି ସୂତ୍ରରେ ଏହା ଆମ ଖେଳାଳିଙ୍କୁ ବହୁ ଫାଇଦା ଦେବ। କଳିଙ୍ଗ ଷ୍ଟାଡିୟମ୍ରେ ମୁଣ୍ଡୋ ଟ୍ରାକ୍ ବିଛାଯାଇଥିବାରୁ ସ୍ଥାନୀୟ ଖେଳାଳିମାନେ ୟୁରୋପ ଓ ଆମେରିକୀୟ ଆଥଲେଟ୍ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବାର ଆତ୍ମବିଶ୍ବାସ ଜୁଟାଇପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/fshfshfh.jpg)