ମସ୍କୋ,: ଫୁଟ୍‌ବଲ୍‌କୁ ପୁଣି ପିଛା କରିଛି ସମଲିଙ୍ଗୀ ବିବାଦ। ରବିବାର ଜର୍ମାନିକୁ ମେକ୍ସିକୋ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲା। କିନ୍ତୁ ମେକ୍ସିକୋ ପ୍ରଶଂସକମାନେ ନିଜ ପୁରୁଣା ଭୁଲ ଓ ଦଣ୍ଡରୁ କିଛି ଶିଖିଥିବା ଭଳି ମନେ ହେଉନାହିଁ। ସେମାନେ ଏହି ମ୍ୟାଚ୍‌ ସମୟରେ ସମଲିଙ୍ଗୀ ସ୍ଲୋଗାନ ପ୍ରଦାନ କରିଥିବାରୁ ମେକ୍ସିକୋ ଅଡୁଆରେ ପଡ଼ିଛି। ଫିଫା ଏହାର ତଦନ୍ତ କରିବ ବୋଲି ଘୋଷଣା କରିଛି। ରବିବାର ମ୍ୟାଚ୍‌ ଅବସରରେ ପ୍ରଶଂସକମାନେ ପୁରୁଷ ବେଶ୍ୟାଙ୍କ ପାଇଁ ବ୍ୟବହୃତ ଶବ୍ଦକୁ ସ୍ଲୋଗାନ ରୂପରେ ନେଇ ଚିତ୍କାର କରିଥିଲେ। ସୂଚନାଯୋଗ୍ୟ, ଯୋଗ୍ୟତା ପର୍ଯ୍ୟାୟ ଅବସରରେ ଏଭଳି ଆଚରଣ ପାଇଁ ମେକ୍ସିକୋ ଫୁଟ୍‌ବଲ୍‌ ସଂଘ (ଏଫ୍‌ଏମ୍‌ଏଫ୍‌)କୁ ୯ ଥର ଜରିମାନା ଦେବାକୁ ପଡ଼ିଥିଲା। ଏଭଳି ଅଶୋଭନୀୟ ଚିତ୍କାରରୁ ବିରତ ରହିବାକୁ ବାରମ୍ବାର ରୋକାଯାଉଥିଲେ ମଧ୍ୟ ସେମାନେ ଅଟକୁ ନାହାନ୍ତି। ମସ୍କୋରେ ଥିବା ମେକ୍ସିକୋରର ନ୍ୟାସନାଲ୍‌ ହାଉସ୍‌ ମୁଖ୍ୟ ଜାଭିଏର୍‌ ରୁଇଜ୍‌ ଗଲିଣ୍ଡୋ କହିଛନ୍ତି ଏଭଳି ଚିତ୍କାର ଅନେକ ଅର୍ଥ ରହିଛି। ଏହା କାହାରିକୁ ଅସମ୍ମାନ କରିବା ଉଦ୍ଦେଶ୍ୟରେ କରାଯାଉନାହିଁ। ଆମକୁ ଏଥିରୁ ବିରତ ହେବାକୁ କୁହାଯାଇଛି, ଆମେ ସମ୍ମାନ ଦେବା କଥା‘। ରବିବାର ମେକ୍ସିକୋ ପ୍ରଶଂସକମାନେ ଜର୍ମାନି ଗୋଲରକ୍ଷକ ମାନୁଏଲ୍‌ ନିୟୁରଙ୍କ ଉଦ୍ଦେଶ୍ୟରେ ଏଭଳି କହୁଥିବା ଅଭିଯୋଗ ହୋଇଛି। ଗତ ନଭେମ୍ବରରେ ଫିଫା ଜରିମାନା ବିରୋଧରେ ମେକ୍ସିକୋ ଫୁଟ୍‌ବଲ୍‌ ସଂଘ ଆବେଦନ କରିଥିଲା। କିନ୍ତୁ ୯ଟିରୁ ମାତ୍ର ୨ଟିରେ ବିଜୟୀ ହୋଇଥିଲା। ମେକ୍ସିକୋ ପ୍ରଶଂସକମାନେ ରଖୁଥିବା ଚିତ୍କାର ଶବ୍ଦ ସ୍ପାନିଶ୍‌ ଭାଷାରେ ପୁରୁଷ ବେଶ୍ୟାଙ୍କୁ ବୁଝାଇଥାଏ। ଭବିଷ୍ୟତରେ ଏଭଳି କଲେ ଅଧିକ କଠୋର ଦଣ୍ଡର ଆଶଙ୍କା ରହିଛି ବୋଲି କୁହାଯାଉଥିଲେ ମଧ୍ୟ ମେକ୍ସିକୋବାସୀ ଭ୍ରୁକ୍ଷେପ କରୁନାହାନ୍ତି। ଫୁଟ୍‌ବଲ୍‌ରେ ଭେଦଭାବ ବିରୋଧୀ ଅଭିଯାନ ରହିଥିଲେ ମଧ୍ୟ ଏହାର ସଫଳ ରୂପାୟନ କରାଯାଇ ପାରିନାହିଁ।